ରାଜ୍ୟ

୨୪ ଓ ୨୫ରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ସୃଷ୍ଟି ହୋଇଥିବା ଅବପାତ ଆଜି ସନ୍ଧ୍ୟା ୮ଟା ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ତାମିଲନାଡ଼ୁ ଉପକୂଳଠାରୁ ବହୁତ ଦୂରରେ ଅବସ୍ଥିତ ରହିଛି। ଏହା ଏବେ ମଧ୍ୟ ସକ୍ରିୟ ରହିଥିବାରୁ ୨୪ ଓ ୨୫ ତ‌ାରିଖରେ କେନ୍ଦ୍ରୀୟ ପଶ୍ଚିମ ଉପକୂଳ ଆଡ଼କୁ ବିସ୍ତୃତ ହେବ ବୋଲି ଆକଳନ କରାଯାଉଛି। ଏହା ଉପକୂଳ ନିକଟତର ହେବାକୁ ଥିବାରୁ ଓଡ଼ିଶାର ବାଲେଶ୍ବରଠାରୁ ଗଞ୍ଜାମ ଜିଲ୍ଲା ପର୍ଯ୍ୟନ୍ତ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ହୋଇପାରେ। ଜଗତ୍‌ସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ଼, ଗଜପତି ଜିଲ୍ଲାରେ ମଧ୍ୟମ ବର୍ଷା ଆଶଙ୍କା ରହିଛି। ସମୁଦ୍ର ସଂଲଗ୍ନ ଅଞ୍ଚଳରେ ଭାରୀ ବର୍ଷା ହେବାର ସମ୍ଭାବନା ଅଧିକ ରହିଥିବା ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ୨୭ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ତେବେ ଠିକ୍‌ ସେହି ସମୟରେ ବିଷୁବରେଖାର ଦକ୍ଷିଣରେ ଏକ ସମ୍ଭାବ୍ୟ ସିଷ୍ଟମ ଦକ୍ଷିଣ ବଙ୍ଗୋପସାଗରର ବାୟୁକୁ ଟାଣିବ। ତେଣୁ ଡିସେମ୍ବରର ତୃତୀୟ ସିଷ୍ଟମଟି କେତେ ଘନୀଭୂତ ହେବ ଏବଂ ଏହାର ଗତିପଥ କ’ଣ ରହିବ ତାହା ୨୬ ତାରିଖ ବେଳକୁ ସ୍ପଷ୍ଟ ହେବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ୨୪ ଓ ୨୫ ତାରିଖରେ ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ନୟାଗଡ଼, କୋରାପୁଟ, ମାଲକାନଗିରି, କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ହେବ। ଆସନ୍ତା ୩ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଏହାପରେ ସେଭଳି କୌଣସି ପରିବର୍ତ୍ତନ ହେବ ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button