‘ନବୀନ ବାବୁ ଏକ ଅଦ୍ଭୁତ ପ୍ରେମ କାହାଣୀର ନାୟକ
ଭୁବନେଶ୍ବର: ନବୀନ ବାବୁ ଏକ ଅଦ୍ଭୁତ ପ୍ରେମ କାହାଣୀର ନାୟକ। ନବୀନ ବାବୁ ଓଡ଼ିଶାକୁ ବେଶି ଭଲପାଆନ୍ତି ନା ଓଡ଼ିଶାବାସୀ ନବୀନ ବାବୁଙ୍କୁ ବେଶି ଭଲପାଆନ୍ତି ତାହା ଆଲୋଚନାଯୋଗ୍ୟ। ଓଡ଼ିଆଙ୍କ ପାଇଁ ସେ ୨୪ବର୍ଷ ଧରି କ୍ଷମତାରେ ରହିଲେ, ପ୍ରତିବଦଳରେ ସେମାନଙ୍କର ଭାଷା ଶିଖିପାରିଲେ ନାହିଁ। ଅଥଚ ଯିଏ ଯାହାକୁ ବେଶି ଭଲପାଏ, ତାର ସବୁକିଛିକୁ ଆଖିବୁଜି ଆପଣାଇ ନିଏ। ନବୀନ ବାବୁଙ୍କ ଜୀବନୀକୁ ଅଧ୍ୟୟନ କରିବା ଦ୍ବାରା ତାଙ୍କର ଅନୁଗତ ହୁଅନ୍ତୁ ବା ବିରୋଧୀ, ଏହା ସଭିଙ୍କୁ ଉତ୍କଣ୍ଠା ଯୋଗାଇବ ବୋଲି କଥାକାର ରୁବେନ୍ ବାନାର୍ଜୀଙ୍କ ପୁସ୍ତକ ‘ନବୀନ ପଟ୍ଟନାୟକ-ଦ ଅଥରିଟେଟିଭ୍ ବାୟୋଗ୍ରାଫି ରିଭାଇଜ୍ଡ୍ ଆଫ୍ଟର୍ ୨୦୨୪ ଇଲେକ୍ସନ୍ସ’ ଉନ୍ମୋଚନ ଅବସରରେ ଅତିଥିମାନେ କହିଛନ୍ତି।
‘ନବୀନ ପଟ୍ଟନାୟକ-ଦ ଅଥରିଟେଟିଭ୍ ବାୟୋଗ୍ରାଫି ରିଭାଇଜଡ୍ ଆଫ୍ଟର୍ ୨୦୨୪ ଇଲେକ୍ସନ୍ସ’ ଉନ୍ମୋଚିତ
ଭୁବନେଶ୍ବର କ୍ଲବ୍ ପରିସରରେ ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ପୁସ୍ତକ ଲୋକାର୍ପଣ ଉତ୍ସବରେ ମୁଖ୍ୟବକ୍ତା ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ମାନିତ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଶାସକ ଅମିୟ ଭୂଷଣ ତ୍ରିପାଠୀ ଓ ପୁସ୍ତକର ଲେଖକ ରୁବେନ୍ ବାନାର୍ଜୀ ଉପସ୍ଥିତ ଥିଲେ। ମୁଖ୍ୟବକ୍ତା ଶ୍ରୀ ପଟ୍ଟନାୟକ କହିଲେ ଯେ ନବୀନ ବାବୁଙ୍କୁ ନିର୍ବାଚନ ଜିତିବାର କଳା ବେଶ୍ ଭଲ ଭାବେ ଜଣା। ବାରମ୍ବାର ନିର୍ବାଚନ ଜିତୁଥିବା ସତ୍ତ୍ବେ ତାଙ୍କୁ ୨୦୨୪ ନିର୍ବାଚନରେ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଲା। ତାଙ୍କ ଜୀବନର ପ୍ରଥମ ୫୦ବର୍ଷରେ ସେଭଳି କୌଣସି ଉଲ୍ଲେଖନୀୟ ଘଟଣା ଘଟିନଥିଲା ବେଳେ ପରବର୍ତ୍ତୀ ଜୀବନରେ ସେ ପାଇଥିବା ଈର୍ଷଣୀୟ ସଫଳତା ଉଭୟ ବିରୋଧୀ ଓ ତାଙ୍କର ପ୍ରଶଂସକଙ୍କୁ ନିଶ୍ଚିତ ଭାବେ ପ୍ରଭାବିତ କରିବ ବୋଲି ଶ୍ରୀ ପଟ୍ଟନାୟକ କହିବା ସହିତ ପୁସ୍ତକର ପାଠକାଦୃତି କାମନା କରିଥିଲେ।
ସମ୍ମାନିତ ବକ୍ତା ଅମିୟ ଭୂଷଣ ତ୍ରିପାଠୀ କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଶାସକଙ୍କ ଉପରେ ମାତ୍ରାଧିକ ନିର୍ଭର କରୁଥିଲେ। ୨୦୧୦ ପର୍ଯ୍ୟନ୍ତ ପୂର୍ବତନ ପ୍ରଶାସକ ସ୍ବର୍ଗତ ପ୍ୟାରୀ ମୋହନ ମହାପାତ୍ର ଏବଂ ଏହା ପରଠାରୁ ସେ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ଉପରେ ନିର୍ଭର କରୁଥିଲେ। ଏହା ଦ୍ବାରା ସେ ଜନତାଙ୍କଠାରୁ ଦୂରେଇ ଗଲେ। ଯାହାର ଫଳ ସ୍ବରୂପ ତାଙ୍କୁ ୨୪ବର୍ଷର କ୍ଷମତା ହରାଇବାକୁ ପଡ଼ିଲା ବୋଲି ଶ୍ରୀ ତ୍ରିପାଠୀ କହିଥିଲେ। ପୁସ୍ତକର ଲେଖକ ଶ୍ରୀ ବାନାର୍ଜୀ କହିଲେ, ଏହି ପୁସ୍ତକର ପ୍ରଥମ ସଂସ୍କରଣ ୨୦୧୮ ମସିହାରେ ଉନ୍ମୋଚିତ ହୋଇଥିଲା। ସେଥିରେ ୨୦୧୭ ପର୍ଯ୍ୟନ୍ତ ନବୀନ ବାବୁଙ୍କ ଜୀବନୀ ସମ୍ପର୍କରେ ଉଲ୍ଲେଖ ରହିଥିଲା। ଏବେ ଏହି ପୁସ୍ତକର ସଂଶୋଧିତ ସଂସ୍କରଣରେ ୨୦୨୪ ମସିହା ପର୍ଯ୍ୟନ୍ତ ଘଟଣାବଳିକୁ ଯୋଡ଼ାଯାଇଛି। ଏହି ୬ବର୍ଷ ମଧ୍ୟରେ ଘଟିଥିବା ବିଭିନ୍ନ ରୋଚକ ତଥ୍ୟକୁ ପୁସ୍ତକରେ ସ୍ଥାନ ଦିଆଯାଇଛି।