ରାଜ୍ୟ

ସା‌ନ୍ତାଳୀ ଭାଷାରେ ଶିକ୍ଷାଦାନ ପାଇଁ ସରକାର ଚିନ୍ତା କରୁଛନ୍ତି: ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଅତୁଳନୀୟ। ସାନ୍ତାଳୀ ଭାଷା ଅଲ୍‌ଚିକି ଲିପିରେ ‘କେଜି’ରୁ ‘ପିଜି’ ପର୍ଯ୍ୟନ୍ତ ଶିକ୍ଷାଦାନ ନିମନ୍ତେ ସରକାର ଚିନ୍ତା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ମଙ୍ଗଳବାର ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଓଡ଼ିଶା ଶାଖାର ସପ୍ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି।

କେନ୍ଦୁଝର ଅଶୋକ ବାଟିକାରେ ସାନ୍ତାଳୀ ଲେଖକ ସଂଘର ବାର୍ଷିକ ସମ୍ମିଳନୀକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ୧୯୨୫ରେ ଅଲ୍‌ଚିକି ଲିପିର ସୃଷ୍ଟି ହୋଇଥିଲା। ଏହାର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଏହି ଅବସରରେ ସ୍ମରଣ କରିବା ସହ ୨୦୨୫ରେ ଏହି ଲିପି ସୃଷ୍ଟି ହେବାର ଶତବାର୍ଷିକୀକୁ ଏକ ମିସନ୍‌ ଭାବେ ନେଇ ‘ମିସନ୍‌ ଅଲ୍‌ଚିକି-୨୦୨୫’କୁ ସଫଳ କରିବାପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ୨୦୨୫ ସୁଦ୍ଧା ସମସ୍ତେ ଅଲ୍‌ଚିକି ଲିପି ତଥା ସାନ୍ତାଳୀ ଭାଷାରେ ଶିକ୍ଷା ଗ୍ରହଣ କରିପାରିଲେ ଏହା ପଣ୍ଡିତ ମୁର୍ମୁଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି କହିଥିଲେ। ସେ ଆହୁରି କହିଥିଲେ, ଗୋଟିଏ ଜାତିର ଉନ୍ନତି ତଥା ପରିଚୟ ପାଇଁ ମାତୃଭାଷା ସର୍ବଶ୍ରେଷ୍ଠ। ସାନ୍ତାଳୀ ଲେଖକମାନେ ନିଜ ଜାତିର ଭାଷା, ସଂସ୍କୃତି, ପରମ୍ପରା ଓ ଶିକ୍ଷାର ବହୁଳ ପ୍ରଚାରପ୍ରସାର କରନ୍ତୁ। ବିଭିନ୍ନ ଭାଷାରେ ଲିଖିତ ପ୍ରସିଦ୍ଧ ପୁସ୍ତକକୁ ସାନ୍ତାଳୀ ଭାଷାରେ ଓ ସାନ୍ତାଳୀ ଭାଷାରେ ଲିଖିତ ପୁସ୍ତକ କିପରି ଅନ୍ୟ ଭାଷାରେ ଅନୁବାଦ ହୋଇପାରିବ ସେ ଦିଗରେ ନିରନ୍ତର ଉଦ୍ୟମ ଜାରି ରଖନ୍ତୁ। ଆଦିବାସୀଙ୍କ ସାମୂହିକ ବିକାଶ ପାଇଁ ସମସ୍ତେ ଏକହୋଇ ଶିକ୍ଷା ସ୍ରୋତରେ ସାମିଲ ହୁଅନ୍ତୁ। ଏହାଦ୍ବାରା ‘ବିକଶିତ ଓଡ଼ିଶା-୨୦୩୬’ରେ ଆଦିବାସୀ ସମାଜ ଏକ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କେନ୍ଦୁଝରରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ସମ୍ମିଳନୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସଂଘର ଉପଦେଷ୍ଟା ସ୍ବର୍ଗତ କାନ୍ଦ୍ରା ମୁର୍ମୁ ଓ ସଂଘର ପୂର୍ବତନ ସଭାପତି ସ୍ବର୍ଗତ ରୂପଚାନ୍ଦ ହାଁସଦାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ସଂଘର ସ୍ମରଣିକା ଉନ୍ମୋଚିତ ହୋଇଥିଲା। ସାନ୍ତାଳୀ ଲେଖକ ସୁରେଶ କୁମାର ହେମ୍ବ୍ରମ୍‌ଙ୍କୁ ପୁସ୍ତକ ‘ସୋନାଲି ଘାରଂଜ୍’ ପାଇଁ ଶ୍ୟାମସୁନ୍ଦର ହେମ୍ବ୍ରମ୍‌ ସମ୍ମାନ, ଦୁର୍ଗା ସୋରେନଙ୍କୁ କ୍ଷୁଦ୍ରଗଳ୍ପ ‘ଉନି କୁଳିଦ ଅକୟ?’ ପାଇଁ ଯୁବ ପୁରସ୍କାର, ଆର୍ସୁ ହାଁସଦାଙ୍କୁ କବିତା ପୁସ୍ତକ ‘ଆର୍‌ସି’ ପାଇଁ ଯଦୁମଣି ବେଶ୍ରା ସମ୍ମାନ ଏବଂ ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ ବିଶିଷ୍ଟ ଲେଖକ ତଥା ସମାଜସେବୀ ଲକ୍ଷ୍ମଣ ମାରାଣ୍ଡିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ। ତୃଣମୂଳସ୍ତରରେ ସାନ୍ତାଳୀ ଲେଖକମାନଙ୍କୁ ଉତ୍ସାହିତ କରିବା ପାଇଁ ଭାଗବତ ହେମ୍ବ୍ରମ୍‌, ଗୋବିନ୍ଦ ହାଁସଦା, ମୋହନ ସୋରେନ, ମଧୁସୂଦନ ମୁର୍ମୁ ଓ ଜ୍ୟୋତିଲାଲ ହେମ୍ବ୍ରମ୍‌ଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପ୍ରଶଂସିତ ଅଲ୍‌ଚିକି ଲିପିର ଟାଇପ୍‌ ବୋର୍ଡ ପ୍ରଚଳନ ପାଇଁ ରାମଜିତ୍‌ ଟୁଡୁ ଏବଂ ଜଣାଶୁଣା ୟୁଟ୍ୟୁବର୍‌ ଲବ ହାଁସଦାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ଏହି ସମ୍ମିଳନୀରେ ସାରସକଣା ବିଧାୟକ ଭାଦବ ହାଁସଦା, ବାରିପଦା ବିଧାୟକ ପ୍ରକାଶ ସୋରେନ, ସାନ୍ତାଳୀ ସାହିତ୍ୟ ଏକାଡେମି ନୂଆଦିଲ୍ଲୀର ପୂର୍ବତନ ସଂଯୋଜକ ମଦନ ମୋହନ ସୋରେନ ଏବଂ ଲେଖିକା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ଯୋଗଦେଇଥିଲେ। ସରୋଜ କୁମାର ସୋରେନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର ଅଧ୍ୟକ୍ଷ ସୁନାରାମ ମାରାଣ୍ଡି ପ୍ରାରମ୍ଭିକ ସୂଚନା ଦେଇଥିଲେ। ସମ୍ପାଦକ ଅର୍ଜୁନ ମାରାଣ୍ଡି ବିବରଣୀ ପାଠ କରିଥିଲେ। ସହସମ୍ପାଦକ ମହେଶ୍ବର ସୋରେନ କାର୍ଯ୍ୟକ୍ରମ ସଂଯୋଜନା ଓ ଉପସଭାପତି ସିଙ୍ଗ୍ରାୟ ମୁର୍ମୁ ଧନ୍ୟବାଦ ଦେଇଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button