ରାଜ୍ୟ

ରତ୍ନଭଣ୍ଡାର ମରାମତି ଆରମ୍ଭ: ଭିତର ରତ୍ନଭଣ୍ଡାରରେ ସରିଲା ଭାରାବନ୍ଧା କାର୍ଯ୍ୟ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆଜିଠାରୁ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ନିୟୋଜିତ କୁଶଳୀ ଶ୍ରମିକମାନେ ଆଜି ଭିତର ରତ୍ନଭଣ୍ଡାରରେ ଲୁହା ପାଇପ୍‌ ଭାରାବନ୍ଧା କାମ ଶେଷ କରିଛନ୍ତି। ଅପରପକ୍ଷେ ପହିଲି ଭୋଗ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି ଅନୁଷ୍ଠିତ ହେବାକୁ ଥିବାରୁ ବୁଧବାର ରତ୍ନଭଣ୍ଡାର ମରାମତି କାମ ବନ୍ଦ ରଖାଯାଇଛି। ଗୁରୁବାରଠାରୁ ପୁଣି ମରାମତି କାମ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି। ଦ୍ବିତୀୟ ଭୋଗମଣ୍ଡପ ଶେଷ ପରେ ଆଜି ଜିଲ୍ଲା ଟ୍ରେଜେରିରୁ ରତ୍ନଭଣ୍ଡାର ଚାବି ଅଣାଯାଇଥିଲା। ଅପରାହ୍ଣ ୨ଟାରେ ଏଏସ୍‌ଆଇର ବୈଷୟିକ ଦଳ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲେ। ପ୍ରାୟ ୫ ଘଣ୍ଟା ଭାରାବନ୍ଧା ଓ ଅନ୍ୟାନ୍ୟ କାମ ସାରିବା ପରେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଫେରିଥିଲେ।

ଭିତର ରତ୍ନଭଣ୍ଡାରରେ ସରିଲା ଭାରାବନ୍ଧା କାର୍ଯ୍ୟ
ଦିବା ପହୁଡ଼ ପାଇଁ ଆଜି ବନ୍ଦ ରହିବ ୫ ଘଣ୍ଟା ଦର୍ଶନ

ଏ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ପାଢ଼ୀ କହିଛନ୍ତି, ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆଜିଠାରୁ ସୁଚାରୁରୂପେ ଆରମ୍ଭ ହୋଇଛି। ପହିଲିଭୋଗ ମାସରେ ଦୈନିକ ଦିବା ପହୁଡ଼ ଅନ୍ୟତମ ନୀତି। କିନ୍ତୁ ପହିଲିଭୋଗ ମାସରେ ଦର୍ଶନାର୍ଥୀଙ୍କ ଅତ୍ୟଧିକ ଭିଡ଼ ସହ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପାଇଁ ସମୟ ଆବଶ୍ୟକ ହେଉଥିବାରୁ ଦୈନିକ ଦିବା ପହୁଡ଼ କରାନଯାଇ କେବଳ ପରମ୍ପରା ପ୍ରତୀକ ସ୍ୱରୂପ ଗୋଟିଏ ଦିନ ଦିବାପହୁଡ଼ କରାଯିବାକୁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ରତ୍ନଭଣ୍ଡାର ମରାମତି ବନ୍ଦ ରହିବ। ଏଥିସହ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ଅପରାହ୍ନ ସାଢ଼େ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦିବା ପହୁଡ଼ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଡ.ପାଢ଼ୀ କହିଛନ୍ତି। ଏଏସ୍‌ଆଇ ଅଧୀକ୍ଷକ ଡ. ଡି ବି ଗଡ଼ନାୟକ କହିଛନ୍ତି, ଭିତର ରତ୍ନଭଣ୍ଡାରରେ ଭାରାବନ୍ଧା କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ପ୍ରାୟ ୨୦ ଫୁଟ ଉଚ୍ଚତାର ଭାରା କରାଯାଇଛି। ଦିବାପହୁଡ଼ ପାଇଁ ବୁଧବାର ମରାମତି କାମ ବନ୍ଦ ରହିବ ଏବଂ ଗୁରୁବାରଠାରୁ ଚୁନଛଡ଼ା ଓ ଅନ୍ୟାନ୍ୟ କାମ ଆରମ୍ଭ କରାଯିବ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button