ସୁରେନ୍ଦ୍ର ମହାନ୍ତି ଓଡ଼ିଆ ଅସ୍ମିତାର ଅନ୍ୟତମ ପ୍ରତୀକ: ସୌମ୍ୟରଂଜନ
ଭୁବନେଶ୍ୱର: ସୁରେନ୍ଦ୍ର ମହାନ୍ତି ଏକ ଅଦ୍ଭୁତ ପ୍ରତିଭାର ଅଧିକାରୀ ଥିଲେ। ସାମ୍ବାଦିକତା, ସାହିତ୍ୟ ଓ ରାଜନୀତି- ଏହି ତିନିଟି କ୍ଷେତ୍ରରେ ଓଡ଼ିଶାର ଜନମାନସକୁ ପ୍ରଭାବିତ କରିଥିଲେ। ଏବେ ଓଡ଼ିଆ ଅସ୍ମିତା କଥା କୁହାଯାଉଛି। ସୁରେନ୍ଦ୍ର ମହାନ୍ତି ମଧ୍ୟ ଓଡ଼ିଆ ଅସ୍ମିତାର ଅନ୍ୟତମ ପ୍ରତୀକ। ଆମେ ଅତ୍ୟନ୍ତ ଗର୍ବିତ ଯେ ସେ ‘ସମ୍ବାଦ’ର ପ୍ରଥମ ସମ୍ପାଦକ ହୋଇ ଆମକୁ ବାଟ ଦେଖାଇଛନ୍ତି। ତାଙ୍କ ମାର୍ଗଦର୍ଶନରେ ଆଜି ‘ସମ୍ବାଦ’ ଏହି ସ୍ଥାନରେ ପହଞ୍ଚିଛି। ଗୋଟେ ଲେଖକ କିପରି ପାଠକଙ୍କ ପାଖରେ ପହଞ୍ଚିବ ତାହା ପ୍ରକାଶକଙ୍କର ମୁଖ୍ୟ ଦାୟିତ୍ବ। ସେ ଦାୟିତ୍ୱ ‘ଆମ ଓଡ଼ିଶା’ ନିର୍ବାହ କରିଛି। ଋଣ ପରିଶୋଧ ଦୃଷ୍ଟିରୁ ତାଙ୍କର ୭୫ ଭାଗ ପୁସ୍ତକ ପ୍ରକାଶିତ ହୋଇଛି। ଖୁବ୍ ଶୀଘ୍ର ବାକି ରଚନା ସମଗ୍ର ପାଠକଙ୍କ ପାଇଁ ପ୍ରକାଶ କରାଯିବ। ଆଜି ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ‘ଆମ ଓଡ଼ିଶା’ ଷ୍ଟଲ୍ ରେ ‘ସୁରେନ୍ଦ୍ର ରଚନା ସମଗ୍ର: ଉପନ୍ୟାସ -୨’ର ପାଠକାର୍ପଣ ଅବସରରେ କହିଛନ୍ତି ‘ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍’ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ।
ସୁରେନ୍ଦ୍ର ମହାନ୍ତିଙ୍କ କନ୍ୟା ଲୋପାମୁଦ୍ରା ମହାନ୍ତି କହିଥିଲେ, ଜଣେ ଲେଖକ ୩୫ ବର୍ଷ ହେଲା ବିଦାୟ ନେଲେଣି। ଆଜି ତାଙ୍କ ବହି ଉନ୍ମୋଚନ ହେଉଛି ଏବଂ ପାଠକଙ୍କ ପାଖରେ ନୂଆ ରୂପରେ ପହଞ୍ଚିଛି। ଏହାଠାରୁ ବଡ଼ କଥା ଆଉ କ’ଣ ହୋଇପାରେ! ଲେଖକ, ପାଠକ ଓ ପ୍ରକାଶକ ଏକାଠି ନହେଲେ କୌଣସି ସାହିତ୍ୟ ବଞ୍ଚିବନି। ସୁରେନ୍ଦ୍ର ମହାନ୍ତିଙ୍କ ରଚନା ସମଗ୍ର ‘ଆମ ଓଡ଼ିଶା’ ପ୍ରକାଶ କରୁଥିବାରୁ ‘ସମ୍ବାଦ’ ପରିବାର ନିକଟରେ ଆମେ କୃତଜ୍ଞ।
‘ସୁରେନ୍ଦ୍ର ରଚନା ସମଗ୍ର : ଉପନ୍ୟାସ’ର ପାଠକାର୍ପଣ
ବିଶିଷ୍ଟ କଥାକାର ଗୌରହରି ଦାସ କହିଲେ, ବହି ନ ଥିଲେ ଲେଖକର ମାନେ କିଛି ନାହିଁ। ପାଠକ ଓ ସମୀକ୍ଷକଙ୍କ ଦ୍ୱାରା ଲେଖକ ବଞ୍ଚି ରୁହେ। ଦିନେ ସୁରେନ୍ଦ୍ର ମହାନ୍ତିଙ୍କ ବହି ମିଳିବା ନେଇ ଯେଉଁ ଆଶଙ୍କା ପ୍ରକାଶ ପାଉଥିଲା, ଆଜି ‘ଆମ ଓଡ଼ିଶା’ ସେହି ଆଶଙ୍କା ଦୂର କରିଛି। ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ଉପ ସଭାପତି ସଂଗ୍ରାମ ଜେନା, ‘ଆମ ଓଡ଼ିଶା’ର ଉପସଭାପତି ସ୍ବରାଜ ମିଶ୍ର, ଲେଖିକା ସୁନନ୍ଦା ପ୍ରଧାନ, ଉତ୍କଳ ସାହିତ୍ୟ ସମାଜର ସଭାପତି ଗୋବିନ୍ଦ ଚନ୍ଦ୍ର ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଆମ ଓଡ଼ିଶା ପ୍ରକାଶନ ସଂପାଦକ ଅସିତ ମହାନ୍ତି ପ୍ରାରମ୍ଭିକ ବକ୍ତବ୍ୟ ଏବଂ ସମ୍ପାଦକ ଅରବିନ୍ଦ ଦାସ ଧନ୍ୟବାଦ ଦେଇଥିଲେ। ଆଜି ଏହି ପୁସ୍ତକର ପ୍ରଥମ ଗ୍ରାହକ ହିମାଂଶୁ ପରିଡ଼ାଙ୍କୁ ଶ୍ରୀ ପଟ୍ଟନାୟକ ଶୁଭେଚ୍ଛା ଜଣାଇଥିଲେ।
ସୂଚନାଯୋଗ୍ୟ, ସୁରେନ୍ଦ୍ର ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଶ୍ରୀଜଗନ୍ନାଥଙ୍କୁ ନେଇ ତାଙ୍କର ତିନିଟି ଉପନ୍ୟାସ ‘ନୀଳଶୈଳ’, ‘ନୀଳାଦ୍ରି ବିଜୟ’ ଓ ‘କୃଷ୍ଣାବେଣୀରେ ସନ୍ଧ୍ୟା’ ‘ଆମ ଓଡ଼ିଶା’ ପକ୍ଷରୁ ପ୍ରଥମ ଅର୍ଘ୍ୟ ରୂପେ ପ୍ରକାଶ ପାଇଥିଲା। ପରବର୍ତ୍ତୀ କାଳରେ ମଧୁସୂଦନ ଦାସଙ୍କୁ ନେଇ ରଚିତ ତାଙ୍କର ଦୁଇ ଉପନ୍ୟାସ ‘ଶତାବ୍ଦୀର ସୂର୍ଯ୍ୟ’ ଓ ‘କୁଳବୃଦ୍ଧ’ ଏକତ୍ର ପ୍ରକାଶ ପାଇଥିଲା। ପରେ ତାଙ୍କର ସମଗ୍ର ୧୩ ଟି ଯାକ ଗଳ୍ପ ସଂକଳନର ଗପ ସହିତ ଅସଂକଳିତ ୧୪ ଗଳ୍ପକୁ ନେଇ ସମଗ୍ର ଗଳ୍ପ ୨ ଖଣ୍ଡରେ ପ୍ରକାଶ ପାଇଥିଲା। ସେହି କ୍ରମରେ ଆଜି ତାଙ୍କର ପ୍ରଥମ ୫ଟି ଉପନ୍ୟାସ- ‘ପ୍ରଜାପତି’, ‘ବଧୂ ଓ ପ୍ରିୟା’, ‘ସହସ୍ର ଶଯ୍ୟାର ନାୟିକା’, ‘ଅନ୍ଧଦିଗନ୍ତ’ ଓ ‘ହଂସଗୀତି’କୁ ନେଇ ଏହି ଉପନ୍ୟାସ ସମଗ୍ର- ଦ୍ୱିତୀୟ ଖଣ୍ଡ ପ୍ରକାଶ ପାଇଛି। ୬୬୪ ପୃଷ୍ଠାର ଏହି ବହିର ମୂଲ୍ୟ ୬୭୦ ଟଙ୍କା ରହିଛି। ଏହା ପୁସ୍ତକ ମେଳାରେ ‘ଆମ ଓଡ଼ିଶା’ ଷ୍ଟଲ୍ ବି- ୧ ଓ ବି-୨ରେ ରିହାତି ମୂଲ୍ୟରେ ଉପଲବ୍ଧ ହେଉଛି।