ରାଜ୍ୟ

ନ୍ୟାୟିକ ଅଦାଲତକୁ ଉଦ୍‌ଘାଟନ କଲେ ରାଷ୍ଟ୍ରପତି: ‘ବିଳମ୍ବିତ ନ୍ୟାୟ, ଅନ୍ୟାୟ ସହ ସମାନ’

ଭୁବନେଶ୍ବର: ବିଳମ୍ବିତ ନ୍ୟାୟ, ଅନ୍ୟାୟ ସହିତ ସମାନ। ବିଚାର ପ୍ରକ୍ରିୟା ବିଳମ୍ବ ସଂସ୍କୃତି ଯୋଗୁଁ ଗରିବମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ବାରମ୍ବାର ଅଦାଲତକୁ ଆସିବା ପାଇଁ ସେମାନଙ୍କ ପାଖରେ ଅର୍ଥ ନାହିଁ କି ମାନବସମ୍ବଳ ନାହିଁ। ଏଣୁ ସାଧାରଣ ଲୋକ କିଭଳି ନ୍ୟାୟ ପାଇବେ ସେ ନେଇ ତତ୍ପରତା ପ୍ରକାଶ ପାଇବା ଜରୁରି। ଆଜି ଭୁବନେଶ୍ବର ନ୍ୟାୟିକ ଅଦାଲତକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ଘାଟନ କରିବା ଅବସରରେ ଏହା କହିଛନ୍ତି। ସେ କହିଥିଲେ, ଭାଷା ମଧ୍ୟ ସାଧାରଣ ଲୋକଙ୍କ ପାଇଁ ଏକ ପ୍ରତିବନ୍ଧକ। ଓକିଲ ସେମାନଙ୍କ ସପକ୍ଷରେ କ’ଣ ଯୁକ୍ତି କରୁଛନ୍ତି କିମ୍ବା ବିଚାରପତି କ’ଣ ରାୟ ଦେଉଛନ୍ତି ତାହା ସେମାନେ ବୁଝିପାରନ୍ତି ନାହିଁ। ନ୍ୟାୟାଳୟଙ୍କ ରାୟଗୁଡ଼ିକ ବର୍ତ୍ତମାନ ଓଡ଼ିଆ ଓ ସାନ୍ତାଳୀ ଭାଷାରେ ଅନୁବାଦ କରାଯାଉଛି। ରାୟଗୁଡ଼ିକ ସୁପ୍ରିମକୋର୍ଟ ଓ ଓଡ଼ିଶା ହାଇକୋର୍ଟର ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବା ଖୁସିର କଥା।

ରାଷ୍ଟ୍ରପତି ଆହୁରି ମଧ୍ୟ କହିଥିଲେ ଯେ ଅନ୍ୟ କ୍ଷେତ୍ର ଭଳି ନ୍ୟାୟପାଳିକାରେ ମଧ୍ୟ ମହିଳାଙ୍କ ଭାଗିଦାରୀ ବଢ଼ିଛି। ବର୍ତ୍ତମାନ ଓଡ଼ିଶା ନ୍ୟାୟିକ ସେବାରେ ୪୮ ପ୍ରତିଶତ ମହିଳା ଅଧିକାରୀ ରହିଛନ୍ତି। ଆଗାମୀ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇବ। ଅଧିକାଂଶ ସମୟରେ ଲୋକମାନେ ଓକିଲ ଓ ବିଚାରପତିଙ୍କ ସମ୍ମୁଖରେ ଭୟଭୀତ ହୋଇଯାଆନ୍ତି। ଏଣୁ ଅଦାଲତରେ ସମ୍ବେଦନଶୀଳ ବାତାବରଣ ରହିବା ଜରୁରି। ଯାହାଦ୍ୱାରା ସେମାନେ ମୁକ୍ତ ଭାବରେ ନିଜ କଥା ବ୍ୟକ୍ତ କରିପାରିବେ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ରାଜ୍ୟପାଳ ରଘୁବର ଦାସ କହିଥିଲେ, ନ୍ୟାୟପାଳିକା ମଧ୍ୟ ସାଧାରଣ ଲୋକଙ୍କ ପାଇଁ ଉତ୍ତରଦାୟୀ। ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ରାୟ ଚରଣ ସିଂ କହିଥିଲେ, ରାଷ୍ଟ୍ରପତି ଯେଉଁ ରାଜ୍ୟର ଅଟନ୍ତି ମୁଁ ‌ସେହି ରାଜ୍ୟର ମୁଖ୍ୟ ବିଚାରପତି ହୋଇଥିବାରୁ ନିଜକୁ ଧନ୍ୟ ମନେ କରୁଛି। ଏହି କୋଠା ନିର୍ମାଣ ଯୋଗୁ ବହୁ ଦିନର ଦାବି ପୂରଣ ହୋଇଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଏଥିରେ ରାଷ୍ଟ୍ରପତି ଯୋଗଦେଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ।

ବିଜେବି କଲେଜ ଖେଳ ପଡ଼ିଆରେ ଅନୁଷ୍ଠିତ ଏହି ସଭାରେ ଖୋର୍ଦ୍ଧା ପ୍ରାଶାସନିକ ନ୍ୟାୟାଧୀଶ ସଂଗମ କୁମାର ସାହୁ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ନୂତନ ଜୁଡିସିଆଲ୍‌ କୋର୍ଟ କମ୍ପ୍ଲେକ୍ସ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ଭିଡିଓ ମାଧ୍ୟମରେ ଭୁବନେଶ୍ୱର ନ୍ୟାୟିକ ଅଦାଲତ ପରିସରରେ କ’ଣ ବ୍ୟବସ୍ଥା ରହିଛି ତାହା ପ୍ରଦର୍ଶନ ହୋଇଥିଲା। ଏଥିରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବହୁ ପୂର୍ବତନ ବିଚାରପତି, ବିଚାରପତି, ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ, ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ, ହାଇକୋର୍ଟ ଓକିଲ ସଂଘର ସମ୍ପାଦକ ରଞ୍ଜନ କୁମାର ନାୟକ, ବିଭିନ୍ନ ଓକିଲ ସଂଘର କର୍ମକର୍ତ୍ତା, ଜିଲ୍ଲାର ବିଭିନ୍ନ ଜୁଡିସିଆଲ ଅଧିକାରୀ, ଭୁବନେଶ୍ବର ଓକିଲ ସଂଘ ସଭାପତି କୁନ୍ଦନ ରଥ, ସମ୍ପାଦକ ଦୀପକ କୁମାର ଦାଶ, ଉପସଭାପତି ଦୁର୍ଗା ପ୍ରସାଦ ସାହୁ, ଯୁଗ୍ମ ସମ୍ପାଦକ ଅନ୍ତର୍ଯ୍ୟାମୀ ବିଶ୍ବାଳ ଓ କୋଷାଧ୍ୟକ୍ଷ ଜଗଦୀଶ ବେହେରାଙ୍କ ସମେତ ବିଭିନ୍ନ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button