ରାଜ୍ୟ

ଅସୁରକ୍ଷିତ ରାଜଧାନୀ; ପୁଲିସ୍‌ କନଷ୍ଟେବଳଙ୍କୁ ଛୁରା ମାଡ଼

ପାଖେଇ ଆସିଲାଣି ଶାରଦୀୟ ପୂଜା। ଫଳରେ ଚଳଚଞ୍ଚଳ ହୋଇଉଠିଥିବା ରାଜଧାନୀ ଏବେ ବି ଅସୁରକ୍ଷିତ ରହିଛି। ଗତ ରାତିରେ ଜଣେ ଯୁବକଙ୍କ ଛୁରା ମାଡ଼ରେ ଜଣେ ପୁଲିସ୍ କନଷ୍ଟେବଳ ଆହତ ହୋଇଛନ୍ତି।

ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ସ୍ଥିତ ଶ୍ରୀରାମନଗରରେ ଗତକାଲି ବିଳମ୍ବିତ ରାତିରେ ଏପରି ଏକ ଭୟଙ୍କର କାଣ୍ଡ ଘଟିଛି। ଗାଡି ହର୍ଣ୍ଣ ମାରିବାକୁ ନେଇ ଗଣ୍ଡଗୋଳ ହୋଇଥିଲା ।

ଏହି ଗଣ୍ଡଗୋଳ ଉଗ୍ର ରୂପ ଧାରଣ କରିବାରୁ ଅଭିଯୁକ୍ତଙ୍କ ଛୁରାମାଡ଼ରେ ଜଣେ ଯୁବକଙ୍କ ସମେତ ଜଣେ ପୁଲିସ୍ ବି ଆହତ ହୋଇଛନ୍ତି।

ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଶ୍ରୀରାମନଗରଠାରେ ୪ ଯୁବକ ବସିଥିଲେ। ଏତିକିବେଳେ ଏକ ବାଇକରେ ଦୁଇ ଯୁବକ ଦ୍ରୁତ ଗତିରେ ଆସି ହର୍ଣ୍ଣ ମାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଦୁଇ ପକ୍ଷ ଭିତରେ ପାଟିତୁଣ୍ଡ ହୋଇଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଜଣେ ଯୁବକଙ୍କୁ ବାଇକ୍ରେ ଆସିଥିବା ଯୁବକ ଛୁରାମାଡ଼ କରିଥିଲେ।

ଖବର ପାଇ ତୁରନ୍ତ ପିସିଆର ଭ୍ୟାନ୍ ଶ୍ରୀରାମନଗରରେ ପହଞ୍ଚିଥିଲା। ପୁଲିସ୍ ଅଭିଯୁକ୍ତଙ୍କୁ କାବୁ କରିବାକୁ ଉଦ୍ୟମ କରୁଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ହାତାହାତି ହୋଇଥିଲେ। ଏପରିକି ହିତାହିତ ଜ୍ଞାନ ଭୁଲି ବସିଥିବା ଯୁବକଜଣକ ଜଣେ ପୁଲିସ୍ କନଷ୍ଟେବଳଙ୍କୁ ମଧ୍ୟ ଛୁରା ମାଡ଼ କରିବାକୁ ପଛାଇ ନ ଥିଲେ ।

ଉଭୟ ଆହତଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଚିକିତ୍ସିତ ହୋଇ ସେମାନେ ଘରକୁ ଫେରିଥିବା ଜଣାଯାଇଛି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଯୁବକ ଜଣଙ୍କ ନିଜ ସ୍ତ୍ରୀଙ୍କ ସହ ଗଣ୍ଡଗୋଳ କରି ରାଗରେ ନିଶାଶକ୍ତ ଅବସ୍ଥାରେ ଥିବା ବେଳେ ଏପରି କାଣ୍ଡ ଭିଆଇଥିବା ମଞ୍ଚେଶ୍ୱର ଥାନାଧିକାରୀ କହିଛନ୍ତି।

ଗତକାଲି ରାଜଧାନୀର ଏକ ବ୍ୟାଙ୍କ ସମ୍ମୁଖରୁ ସାଡେ ୩ ଲକ୍ଷ ଲୁଟ ହେବା ସହ ଖାରବେଳନଗରରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ନେଲେ ଲୁଟେରା। ଏହାପରେ ରାତିରେ ହେଲା ଛୁରା ମାଡ଼ । ପୁଲିସ୍ ପାଟ୍ରୋଲିଂ କଡ଼ାକଡ଼ି ନ କଲେ ଆଗାମୀ ଦିନରେ ଅପରାଧ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button