ଆଜି ଆସୁଛନ୍ତି ମହାମହିମ: ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

ରାଇରଙ୍ଗପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତକୁ ନେଇ ସଜେଇ ହେଉଛି ଗାଁରୁ ସହର। ରାଷ୍ଟ୍ରପତିଙ୍କ ଆଗମନ ନେଇ ଜନ୍ମମାଟି ତଥା ପୈତୃକ ଗାଁ ଉପରବେଡ଼ା ଚଳଚଞ୍ଚଳ ହୋଇ ଉଠିଛି। ସେ ଦେଶର ସର୍ବୋଚ୍ଚ ନାଗରିକ ରାଷ୍ଟ୍ରପତି ହେବା ପରେ ଉପରବେଡା ଗ୍ରାମକୁ ତାଙ୍କର ଏହା ପ୍ରଥମ ଗସ୍ତ। ତେଣୁ ସମଗ୍ର ଗାଁ ଦାଣ୍ଡରେ ଥିବା ଜନ୍ମ ସମୟର ଗଛ ପତ୍ର, ଧୂଳି ମାଟି, ଗ୍ରାମର ଘର ଦ୍ୱାର ରାସ୍ତା ଘାଟ ବିଦ୍ୟାଳୟ, ମାଆ ମାଉସୀ, ଭାଇ ଭଉଣୀ ସମେତ ବନ୍ଧ ପୋଖରୀ ମଧ୍ୟ ସଜେଇ ହେଉଛି। ରାଷ୍ଟ୍ରପତିଙ୍କ ପୈତୃକ ଘର କାନ୍ଥ ସହ ପ୍ରଥମ ଶିକ୍ଷା ପାଇଁ ପାଦ ଥାପି ଥିବା ସେହି ବିଦ୍ୟାଳୟ, ରାସ୍ତାଘାଟ ଗୁଡିକୁ ରଙ୍ଗବେରଙ୍ଗରେ ସଜାଇବା ନିମନ୍ତେ ଜୋରସୋର କାମ ଚାଲିଛି।
ଏହି ଖବର ପଢ଼ନ୍ତୁ: ଆଇନ ବ୍ୟବସ୍ଥାକୁ ସହଜ କରିପାରିଲେ ଗରିବ ଲୋକ ଉପକୃତ ହେବେ
କୁସୁମୀ ବ୍ଲକ ଅଞ୍ଚଳରେ ଥିବା ୫ଟି ୱାର୍ଡରେ ବସବାସ କରୁଥିବା ଉପରବେଡା ଗାଁରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜନ୍ମଗ୍ରହଣ କରିବା ସହିତ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ। ତେଣୁ ସେ ୬ ଡିସେମ୍ବର ଦିନ ତାଙ୍କ ପୈତୃକ ଗାଁକୁ ଆସି ବିଦ୍ୟାଳୟ ପରିଦର୍ଶନ କରିବା ସହ ବର୍ତ୍ତମାନର ଶିକ୍ଷକ ଶିକ୍ଷୟିତ୍ରୀ, ସହ ନିଜେ ପଢିଥିବା ସମୟର ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ନିଜ ସହପାଠୀଙ୍କ ସହିତ ଭାବ ବିନିମୟ କରିବା ପାଇଁ ସ୍ଥିର କରିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ବେଶ ଉତ୍ସାହିତ ଅଛନ୍ତି। ତାଙ୍କ ସହିତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଛାତ୍ରଛାତ୍ରୀମାନଙ୍କ ସହିତ ଭାବ ବିନିମୟ କରିବେ ବୋଲି ଉପରବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋରଞ୍ଜନ ମୁର୍ମୁ ସୂଚନା ଦେଇଛନ୍ତି।