କଳା ତାଲିକାଭୁକ୍ତ କମ୍ପାନିକୁ ୩ଶହ କୋଟିର କାମ ଦେଇଛନ୍ତି ସରକାର: ବିଜେଡି
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଗଷ୍ଟ ମାସରେ ବିଧାନସଭାରେ ଯେଉଁ କମ୍ପାନି କଳା ତାଲିକାଭୁକ୍ତ ହୋଇଥିବା ସୂଚନା ଦେଇଥିଲେ, ସେହି କମ୍ପାନିକୁ ରାଜ୍ୟ ସରକାର ୩ଶହ କୋଟିର କାମ ଦେଇଛନ୍ତି। ଯାହାକି ବିଜେପି ସରକାରଙ୍କ ଦୁର୍ନୀତିକୁ ପଦାରେ ପକାଇଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଥିଲେ, ଏହି କଳା ତାଲିକାଭୁକ୍ତ କମ୍ପାନିକୁ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଆଶ୍ରମ ସ୍କୁଲର ପାହ୍ୟା ବୃଦ୍ଧି, ଜନଜାତି ଐତିହ୍ୟ ଓ ସ୍ବାଭିମାନ ଭବନ ନିର୍ମାଣ ପାଇଁ କାମ ଦିଆଯାଇଛି।
ପୂର୍ବରୁ ଏହି କମ୍ପାନିକୁ ସୁନ୍ଦରଗଡ଼ ସହରରେ ବିଜୁଳି ବନ୍ଧ ସୌନ୍ଦର୍ଯ୍ୟକରଣ ପାଇଁ ଡିଏମ୍ଏଫ୍ ତରଫରୁ ୩.୪୨କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା କାମ ୱାପକୋସ ଦ୍ବାରା ସମ୍ପାଦନା କରାଯାଉଥିଲା। ଏହି କାର୍ଯ୍ୟରେ ଅଗ୍ରଗତି ନ ହେବା ଯୋଗୁଁ କମ୍ପାନିକୁ କଳା ତାଲିଭାଭୁକ୍ତ କରାଯାଇଥିଲା। ଅଗଷ୍ଟ ମାସରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଯେଉଁ କମ୍ପାନି କଳା ତାଲିକାଭୁକ୍ତ ହୋଇଥିବା ସୂଚନା ଦେଇଥିଲେ ଅକ୍ଟୋବର ମାସରେ ୩ଶହ କୋଟିର କାମ କରିବାକୁ କିଭଳି ଯୋଗ୍ୟତା ପାଇଲା ?
ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏକ ଅରାଜକତା ସ୍ପଷ୍ଟ ପରିଲିକ୍ଷିତ ହେଉଛି। ଜଣେ ଓଡ଼ିଆ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା, ଆମ୍ବ ଟାକୁଆ ଜାଉ ଖାଇ ୩ଜଣ ମହିଳା ପ୍ରାଣ ହରାଇବା ଭଳି ଘଟଣାରେ ବିଧାନସଭାରେ ରାଜ୍ୟ ସରକାର ତଥ୍ୟ ସଂଗ୍ରହ ଚାଲିଥିବା କହିଛନ୍ତି। ଏହା କେବଳ ସତ୍ୟକୁ ଲୁଚାଇବା ପାଇଁ ଅପଚେଷ୍ଟା ବୋଲି ଶ୍ରୀ ମହାନ୍ତି କହିଛନ୍ତି।