ସ୍ବାସ୍ଥ୍ୟ ମନ୍ତ୍ର: ନେତୃତ୍ବ ନେଉଥିବା ଲୋକ ମାନସିକସ୍ତରରେ ସବଳ ହେବା ଉଚିତ
ଭୁବନେଶ୍ୱର: ରାଜ୍ୟରେ ସରକାର ବଦଳିଛି। ଅନେକ ନୂଆ ଚେହେରାଙ୍କ ଉପରେ ଏଥର ଓଡ଼ିଶାର ଶାସନ ଭାର ରହିଛି। ସେମିତି ଜଣେ ନୂଆ ଚେହେରା ହେଉଛନ୍ତି ଢେଙ୍କାନାଳ ନିର୍ବାଚନମଣ୍ଡଳୀର ବିଧାୟକ ତଥା ଓଡ଼ିଶା ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ରାଜ୍ୟରେ ଦରଦାମ ବୃଦ୍ଧି, ବିଶେଷ କରି ଆଳୁ ସଙ୍କଟକୁ ଦୂର କରିବା ନେଇ ମନ୍ତ୍ରୀ ଶ୍ରୀ ପାତ୍ର ଚିନ୍ତାରେ…। ତେବେ ଏସବୁ ଭିତରେ ସେ ନିଜ ଶରୀର ପ୍ରତି କେତେ ସଚେତନ? ସେ କେମିତି ନିଜକୁ ସୁସ୍ଥ ରଖନ୍ତି? ଏ ସମ୍ପର୍କରେ ମନ୍ତ୍ରୀଙ୍କ ବାସଭବନରେ ଆଲୋଚନା।
ଶୀତୁଆ ସନ୍ଧ୍ୟାରେ ଗୋଟେ କପ୍ ଚା’ରୁ କଥା ଆରମ୍ଭ ହେଲା। ମନ୍ତ୍ରୀ ଟିକେ ହସି କହିଲେ, ବୟସ ୬୦ ପାର୍ ହେଲାଣି। ତଥାପି ସକାଳ ୬ରୁ ମୁଁ ବିଛଣା ଛାଡ଼େ। ପ୍ରଥମେ ଉଷୁମ ପାଣି ପିଏ। ସାଢ଼େ ୬ଟାରେ ନିତ୍ୟକ୍ରମ ସାରି ୩ରୁ ୪ କିଲୋମିଟର ଚାଲେ। ତା’ ପରେ ଅଧଘଣ୍ଟା ଯୋଗ ପରେ ଖବରକାଗଜ ପଢ଼େ। ତା ଭିତରେ ଟିକେ ଚା’ କିମ୍ବା କାଢ଼ା ପିଏ। ଗାଧୋଇବା ବେଳକୁ ୯ଟା ହେଇଯାଏ। ପୂର୍ବରୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଶାଖାକୁ ଯାଉଥିଲି। ଏବେ ଯାଇ ପାରୁନି। ଗାଁକୁ ଗଲେ ଦିନେ ଦିନେ ଶାଖାକୁ ଯାଏ।
ସକାଳ ଖାଇବାରେ ଉପମା, ଇଡ୍ଲି, ଚୁଡ଼ା, ଚକୁଳି ଖାଏ। ପୂର୍ବରୁ ପଖାଳ ଖାଉଥିଲି। କିନ୍ତୁ ଏବେ ମଧୁମେହ ରୋଗ ବାହାରିବା ପରେ ଆଉ ଖାଇ ହେଉନି। ଦିନ ୧୦ଟା ବେଳକୁ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଯାଏ। ଖରାବେଳ ଖାଇବାରେ ଠିକ୍ ନଥାଏ। ପ୍ରାୟ ୨ଟା ପରେ ଯେଉଁଠି ଯାହା ମିଳିଲା ଖାଇବା କଥା। ଘରେ ତ ଖାଇବା ବହୁତ କମ୍। ଭାତ, ଡାଲି ଭଜା, ସନ୍ତୁଳା, ତରକାରି ମୋର ପ୍ରିୟ। ଏବେ କିଛି ମାସ ହେବ ଆମିଷ ଛାଡ଼ି ଦେଇଛି। କାମ ନଥିଲେ ଦ୍ବିପ୍ରହରରେ ଅଧଘଣ୍ଟା ବିଶ୍ରାମ ନିଏ। ସନ୍ଧ୍ୟାରେ ଆଗରୁ ବହୁତ ତେଲଛଣା ଜିନିଷ ଖାଉଥିଲି। କିନ୍ତୁ ଏବେ ଚୁଡ଼ା ଭଜା, ମୁଢ଼ି ସାଙ୍ଗକୁ ଚା କପେ ବହୁତ। ବାହାରକୁ ଗଲେ ବିସ୍କୁଟ୍, କାଜୁ ଦିଇଟା ଖାଇଦିଏ। ରାତି ୧୦ଟାରେ ରୁଟି, ସନ୍ତୁଳା କିମ୍ବା ଡାଲମା, ଛେନା ଟିକେ ଖାଏ।
ସତ କଥା ହେଲା ନେତାଙ୍କ ଜୀବନରେ ସବୁ ଠିକ୍ ସମୟରେ କରିବା ସମ୍ଭବ ନୁହେଁ। କିନ୍ତୁ ମୋର ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗ ଥିବାରୁ ଅନ୍ତତଃ ଖାଇବା ଠିକ୍ ସମୟରେ କରିବାକୁ ଚେଷ୍ଟା କରେ। ଶରୀରକୁ ଅବହେଳା କରିବାରୁ ୨ ବର୍ଷ ତଳେ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ଆମେ ଆମ ଦିନଚର୍ଯ୍ୟାକୁ ଠିକ୍ ଭାବରେ ରଖି ପାରିଲେ ରୋଗଠାରୁ ଦୂରରେ ରହିପାରିବା।
ମୁଁ ଆଧ୍ୟାତ୍ମିକ ଲୋକ। ମାନସିକ ଭାବେ ବହୁତ ସବଳ ଅଛି। ସମାଜର ନେତୃତ୍ବ ନେଉଥିବା ଲୋକ ମାନସିକ ଭାବେ ସବଳ ହେବା ଉଚିତ। ସମସ୍ତେ ସକାଳୁ ଯୋଗ କରନ୍ତୁ।