ପୋଟେରୁ ନଦୀ ଭିତରେ ମାଳମାଳ ଟ୍ରାକ୍ଟର; କୁଆଡେ ଯାଉଛି ବାଲି?
ମାଲକାନଗିରି: ଜିଲ୍ଲାରେ ଏବେ ବାଲି ମାଫିଆଙ୍କ ରାଜ। ବେଧଡ଼କ ବାଲି ଚୋରା ଚାଲାଣ ହେଉଥିବା ବେଳେ ଏହାର ଯାଞ୍ଚ ତଥା ତଦାରଖ କରିବାରେ ସଂପୃକ୍ତ ବିଭାଗ ଫେଲ ମାରିଛି। ଜିଲ୍ଲାର ସୀମାନ୍ତ ଛତିଶଗଡ଼କୁ ଲାଗି ରହିଥିବା ପଡ଼ିଆ ବ୍ଲକର ସେମିଳିବାଞ୍ଛା ପଞ୍ଚାୟତର ପୁଟୁମପାଲୀ ନିକଟରେ ରହିଥିବା ସାବେରୀ ନଦୀରେ ମାଳମାଳ ଟ୍ରାକ୍ଟର ବାଲି ନେଉଥିବା ଦେଖିବାକୁ ମିଳିଛି।
ଏହି ଖବର ପଢ଼ନ୍ତୁ: ନୌସେନା ପ୍ରଶଂସନୀୟ ଭୂମିକା ତୁଲାଉଛି
ଏହି ବାଲି କୁଆଡ଼େ ଯାଉଛି ବୋଲି ପ୍ରଶ୍ନ ଉଠିଛି। ବାଲି ମାଫିଆମାନେ ଓଡ଼ିଶା ବଦଳରେ ଛତିଶଗଡ଼କୁ ବାଲି ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି। ଦିନରାତି ଏକ କରି ଟ୍ରାକ୍ଟର ଏବଂ ଟିପ୍ପରମାନଙ୍କରେ ବାଲି ଚୋରା ଚାଲାଣ ହେଉଛି।
ଏହି ଖବର ପଢ଼ନ୍ତୁ: ୨୯ ମାସରେ ମୁଖ୍ୟମନ୍ତ୍ରୀରୁ ଉପମୁଖ୍ୟମନ୍ତ୍ରୀ
ବାଲିଚୋରା ଚାଲାଣ ରୋକିବା ପାଇଁ ତହସିଲ ବଦଳରେ ଜିଲ୍ଲା ଖଣି ଅଧିକାରୀ କାର୍ଯ୍ୟାଳୟର ଅଧିକାରୀମାନେ ତଦାରଖ କରିବା କଥା। କିନ୍ତୁ କର୍ମଚାରୀ ଅଭାବ ଯୋଗୁଁ ନିୟମିତ ଯାଞ୍ଚ କରିବାରେ ବିଫଳ ହେଉଛନ୍ତି। ଯାହାର ଫାଇଦା ଉଠାଉଛନ୍ତି ବାଲି ମାଫିଆ। ପୁଣି ଏବେ ବିଭାଗ ବାଲି କ୍ବାରିଗୁଡିକରେ ସିସିଟିଭି ଲଗାଇବା ନେଇ ତାଗିଦ କରିଛି। ଏକ ମାସ ମଧ୍ୟରେ ସିସିଟିଭି ନଲାଗିଲେ କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ଧମକ ଦେଇଛି।
ଏହି ଖବର ପଢ଼ନ୍ତୁ: ମୋ ପାଟି ଖୋଲନ୍ତୁ ନାହିଁ
ଅନ୍ୟଦିଗରେ ବାଲି କ୍ବାରି ନେଇଥିବା ବ୍ୟକ୍ତିମାନେ କେଉଁଠାରୁ ଏତେ ଟଂକା ଆଣିବେ ବୋଲି ପ୍ରଶ୍ନ କରିଛନ୍ତି। ବାଲି ଚୋରା ଚାଲାଣ ରୋକିବାକୁ ଖଣି ବିଭାଗ ଏଭଳି ଉପାୟ କରିଥିଲେ ମଧ୍ୟ ଏଥିରେ ବାଲି କ୍ବାରି ନେଇଥିବା ବ୍ୟକ୍ତିମାନେ ଅମଙ୍ଗ ହେଉଥିବା ଦେଖିବାକୁ ମିଳିଛି। ତେବେ ସୀମାନ୍ତ ପୋଟେରୁ ନଦୀରୁ ଟ୍ରାକ୍ଟର ଟ୍ରାକ୍ଟର ବାଲି ଚୋରା ଚାଲାଣ ହେଉଥିବା ବେଳେ ଏହାର ଖବର ବିଭାଗ ପାଖରେ ନାହିଁ। ବର୍ତ୍ତମାନ ବର୍ଷା ନଥିବାରୁ ନଦୀ ଭିତରେ ମାଳମାଳ ଟ୍ରାକ୍ଟର ପଶି ବାଲି ଉଠାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।
ଏହି ଖବର ପଢ଼ନ୍ତୁ: ବିଲୁପ୍ତ ପ୍ରାୟ ‘ଅଟାଲ‘ ବଇଗଣ
ଖଣି ବିଭାଗରୁ ଏହି ଯାଞ୍ଚ ଦାୟିତ୍ବ ପୁଣି ତହସିଲକୁ ପ୍ରଦାନ କରିବା ନେଇ ସ୍ଥାନୀୟ ଅଂଚଳରେ ଦାବି ଉଠିଛି। ବାଲିର ଦାମ ଛତିଶଗଡ଼ରେ ଅଧିକା ରହିଥିବାରୁ ମାଫିଆମାନେ ଓଡ଼ିଶାର ବାଲିକୁ ଛତିଶଗଡ଼ରେ ବିକ୍ରି କରୁଥିବା ଜଣାପଡ଼ିଛି। ଏହାର ଯାଞ୍ଚ ହେଲେ ବହୁ ଗାଡ଼ି ଜବତ ସହ ମାଫିଆମାନେ ମଧ୍ୟ ଗିରଫ ଏବଂ ଜରିମାନା ମଧ୍ୟ ଆଦାୟ ହେବ।ବାଲି ଚୋରା ଚାଲାଣ ହେଉଥିବାରୁ ସରକାର କୋଟି କୋଟି ଟଂକାର ରାଜସ୍ବ ହରାଉଛନ୍ତି। ନିୟମିତ ଚଢାଉ ହେଲେ ରାଜସ୍ବ ଆଦାୟ ସହ ଚୋରା ଚାଲାଣକୁ ମଧ୍ୟ ରୋକା ଯାଇପାରିବ ବୋଲି କୁହାଯାଇଛି।