ପ୍ରତିଷ୍ଠିତ କଲେଜରେ ଯୌନ କେଳେଙ୍କାରୀର ଖୋଲୁଛି ଗୁମର, ସୁନ୍ଦରୀ ଯୁବତୀଙ୍କୁ ପାଖରେ ରଖିବାକୁ ପସନ୍ଦ କରୁଥିଲେ ଅଧ୍ୟକ୍ଷ

ସମ୍ବଲପୁର, ୧୨/୦୯: ପ୍ରତିଷ୍ଠିତ କଲେଜରେ ଯୌନ କେଳେଙ୍କାରୀକୁ ନେଇ ସହର ଉଠୁଛି ପଡୁଛି । କଲେଜ ଅଧ୍ୟକ୍ଷ ଜଣେ ପେସାଦାର ଯୌନ ଶୋଷଣକାରୀ । ପୂର୍ବରୁ ଏଭଳି ଅଭିଯୋଗ ଆଣି ଜଣେ ଶିକ୍ଷୟିତ୍ରୀ ଖୋଲା ଚିଠି ଲେଖିଥିବାବେଳେ ଏବେ ଅନ୍ୟଜଣେ ଛାତ୍ରୀ ମଧ୍ୟ ସମାନ ଅଭିଯୋଗ କରିଛନ୍ତି । ଅଧ୍ୟକ୍ଷ କେବଳ ସୁନ୍ଦରୀ ଯୁବତୀଙ୍କୁ ପାଖରେ ରଖିବାକୁ ପସନ୍ଦ କରନ୍ତି ।
ଏହାକୁ ଖୋଲାଖୋଲି ଅନ୍ୟ ଅଧ୍ୟାପକଙ୍କୁ ମଧ୍ୟ କହିଥାନ୍ତି । ଯଦି କୌଣସି ଛାତ୍ରୀ କିମ୍ବା ଶିକ୍ଷୟିତ୍ରୀ ତାଙ୍କ କଥାରେ ସହମତି ପ୍ରକାଶ ନ କଲା, ତାଙ୍କୁ ଯଥାସାଧ୍ୟା ହଇରାଣ କରିଥାନ୍ତି । ଜଣେ କିରାଣୀ ଓ ଅନ୍ୟ କିଛି କର୍ମଚାରୀଙ୍କ ଦ୍ୱାରା ସେ ହଇରାଣ କରିଥାନ୍ତି । ଜଣେ ପରେ ଜଣେ ଅଭିଯୋଗ ଆଣୁଛନ୍ତି । କିନ୍ତୁ କେହି ଥାନା କିମ୍ବା ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରୁନଥିବାରୁ ତଦନ୍ତ ହୋଇପାରୁ ନାହିଁ । ଏମିତି କି, ତାଙ୍କର କଳା କାରନାମା କଲେଜ ଭିତରେ ହିଁ ସୀମିତ ରହିଯାଉଛି ବୋଲି ସେହି ସଂସ୍ଥାର କର୍ମଚାରୀ କହିଛନ୍ତି ।
ବୃତ୍ତିଗତ ପାଠ୍ୟକ୍ରମ ପଢ଼ାଯାଉଥିବା ଏକ କଲେଜରେ ଗତ ୫ ବର୍ଷ ହେଲା ବିଭିନ୍ନ ଛାତ୍ରୀ, ଶିକ୍ଷୟିତ୍ରୀଙ୍କୁ ଯୌନ ଶୋଷଣ କରାଯାଉଛି । ପୂର୍ବରୁ ଅଧ୍ୟକ୍ଷ ନଥିଲେ ମଧ୍ୟ ନିଜର ଅଖଣ୍ଡ କ୍ଷମତା ବଳରେ ଛାତ୍ରୀ ଓ ଶିକ୍ଷୟିତ୍ରୀଙ୍କୁ ଯୌନଦାସୀ କରିବାକୁ ବାରମ୍ବାର ଚେଷ୍ଟା କରୁଥିଲେ । ନିଜର ସରକାରୀ କ୍ୱାର୍ଟରରେ ପରିବାର ନ ରଖି ସେ ଏହି କାମ କରୁଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ବିଭିନ୍ନ ବାହାନା କରି ଘରକୁ ଡାକିବା ଓ ସେଠାରେ ଅଶ୍ଳିଳ ଇଙ୍ଗିତ କରିଥାନ୍ତି । ତାଙ୍କ କଥାରେ ଯେ ରାଜି ହୋଇଗଲା, ତାକୁ ବିଭିନ୍ନ ସହଯୋଗ କରିଥାନ୍ତି । ହେଲେ ବିରୋଧ କଲେ କଥା ଶେଷ । ବାରମ୍ବାର ହଇରାଣ କରିବା ସହ ପରୀକ୍ଷାରେ ଫେଲ୍ କରିଦେବାକୁ ମଧ୍ୟ ଧମକ ଦେଇଥାନ୍ତି । ଜଣେ ପୂରାତନ ଛାତ୍ରୀ କହିଛନ୍ତି, ଆମେ ପଢ଼ୁଥିବା ସମୟରେ ମୋ ସାମ୍ନାରେ ଏହି ଅଧ୍ୟକ୍ଷ ଜଣକ କହିଥିଲେ, ମୋ ପାଖକୁ ସୁନ୍ଦରୀ ଛାତ୍ରୀଙ୍କୁ ପଠାଇବ । ଅନେକ ସହପାଠୀଙ୍କୁ ସେହିଭଳି ଅସଦାଚରଣ କରିଥିବା ମଧ୍ୟ କହିଛନ୍ତି । ସବୁ ଅଭିଯୋଗ ସତ୍ତେ୍ୱ ଅଧ୍ୟକ୍ଷ ଜଣକ ବେପରୁଆ ଭାବେ ମନ୍ତବ୍ୟ ଦେଉଛନ୍ତି । ଜଣେ ଶିକ୍ଷୟିତ୍ରୀଙ୍କୁ ସନ୍ଦେହ କରି ବିଭିନ୍ନ ସ୍ଥାନରେ ତାଙ୍କ ଚରିତ୍ରକୁ ଆକ୍ଷେପ କରୁଛନ୍ତି । ଗତ ସପ୍ତାହରେ ଭାଇରାଲ ହୋଇଥିବା ଖୋଲା ଚିଠିରେ ଛାତ୍ରୀ ଜଣଙ୍କ ୪ ଜଣଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଥିଲେ ।
କଲେଜ ଅଧ୍ୟକ୍ଷଙ୍କୁ ଏହି ଯୌନ କେଳେଙ୍କାରୀ କରିବାରେ ୩ ଜଣ ସହଯୋଗ କରୁଥିବା ଚିଠିରେ ଉଲ୍ଲେଖ ଥିଲା । ହେଲେ ଏନେଇ ଅଧିକ ଖୋଳତାଡ କଲେ ସଂଖ୍ୟା ଢେର ଅଧିକ ହେବ ବୋଲି କଲେଜର ଜଣେ କର୍ମଚାରୀ କହିଛନ୍ତି । ନିୟମିତ ଭାବେ ଏଠାରେ ଛାତ୍ରୀ ଓ ଶିକ୍ଷୟିତ୍ରୀଙ୍କୁ ଶୋଷଣ କରାଯାଉଛି । କିନ୍ତୁ ଏନେଇ କେହି ମୁହଁ ଖୋଲୁନଥିଲେ । ହେଲେ ଅଧ୍ୟକ୍ଷଙ୍କ ବିରୋଧରେ କେହି ଜଣେ ସାହସ କରି ମୁହଁ ଖୋଲିଛି । ତେଣୁ ଏନେଇ ଉଚ୍ଚସ୍ତରୀୟ ତଦନ୍ତ ହେବାର ଆବଶ୍ୟକତା ରହିଛି । ତଦନ୍ତ ହେଲେ ଅଧ୍ୟକ୍ଷଙ୍କ ଯୌନ କେଳେଙ୍କାରୀର ଇତିହାସ ପର୍ଦ୍ଦାଫାଶ ହେବ ବୋଲି କର୍ମଚାରୀ କହିଛନ୍ତି।