ନିଆଁ ଲଗାଇ ପୂର୍ବତନ ପ୍ରେମିକଙ୍କୁ ହତ୍ୟା ଅଭିଯୋଗ, ଅଭିନେତ୍ରୀ ନର୍ଗିସ୍ ଫଖରିଙ୍କ ଭଉଣୀ ଗିରଫ, ହୋଇପାରେ ଆଜୀବନ

ରକଷ୍ଟାର୍ ଫେମ୍ ନର୍ଗିସ୍ ଫଖରିଙ୍କ ଭଉଣୀ ଆଲିଆଙ୍କୁ ନ୍ୟୁୟର୍କ ପୋଲିସ ଗିରଫ କରିଛି । ସେ ତାଙ୍କ ପୂର୍ବତନ ପ୍ରେମିକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏକ ରିପୋର୍ଟ ଅନୁଯାୟୀ, ଆଲିଆ ନ୍ୟୁୟର୍କର କୁଇନ୍ସରେ ଦୁଇ ମହଲା ବିଶିଷ୍ଟ ଗ୍ୟାରେଜରେ ନିଆଁ ଲଗାଇ ଦେଇଥିଲେ, ଯେଉଁଥିରେ ପୂର୍ବତନ ପ୍ରେମିକ ଏଡୱାର୍ଡ ଜ୍ୟାକବ୍ସ (୩୫) ଏବଂ ତାଙ୍କ ବାନ୍ଧବୀ ଏଟିଏନ (୩୩)ଙ୍କ ମୃତ୍ୟୁ ଘଟିଥିଲା ।
ଆଲିଆଙ୍କ ଜାମିନ ନାମଞ୍ଜୁର ହୋଇଛି । ନ୍ୟୁୟର୍କ ପୋଲିସ ତାଙ୍କୁ ପଚରାଉଚରା କରୁଛି । ମିଡିଆ ରିପୋର୍ଟ ମୁତାବକ, ଆଲିଆଙ୍କୁ ନଭେମ୍ବର ୨୬ରେ ଗିରଫ କରାଯାଇଥିଲା । ପରଦିନ ଗ୍ରାଣ୍ଡ୍ ଜୁରୀ ତାଙ୍କ ଉପରେ ଅନେକ ଗୁରୁତର ଅଭିଯୋଗ ଲଗାଇଥିଲେ । ଯଦି ଅଭିନେତ୍ରୀଙ୍କ ଭଉଣୀଙ୍କ ବିରୋଧରେ ଅଭିଯୋଗ ପ୍ରମାଣିତ ହୁଏ, ତେବେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇପାରେ ।
ମୃତ ଏଡୱାର୍ଡ ଜ୍ୟାକବ୍ସଙ୍କ ମାଆ ଜେନେଟ୍ ନ୍ୟୁୟର୍କ ପୋଷ୍ଟକୁ କହିଛନ୍ତି ଯେ ଜ୍ୟାକବ୍ସ ଓ ଆଲିଆଙ୍କ ସମ୍ପର୍କ ବର୍ଷେ ତଳୁ ଭାଙ୍ଗିଯାଇଥିଲା । ହେଲେ ବ୍ରେକଅପ୍ ପରେ ବି ଆଲିଆ ତାଙ୍କୁ ଛାଡ଼ି ନ ଥିଲେ । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି କି, ଜ୍ୟାକବ୍ସ ଓ ଏଟିଏନଙ୍କ ମଧ୍ୟରେ କେବଳ ବନ୍ଧୁତ୍ୱ ସମ୍ପର୍କ ଥିଲା । ଜେନେଟ୍ କହିଛନ୍ତି, ଜ୍ୟାକବ୍ସଙ୍କର ୩ ସନ୍ତାନ ଅଛନ୍ତି । ୧୧ ବର୍ଷର ଦୁଇ ଜଣ ଯାଆଁଳା ପୁଅ ଏବଂ ୯ ବର୍ଷର ଏକ ଝିଅ ।
ଯଦିଓ ଏହି ମାମଲାରେ ନର୍ଗିସ ଏ ପର୍ଯ୍ୟନ୍ତ କିଛି କହି ନାହାନ୍ତି । କିନ୍ତୁ ତାଙ୍କ ମାଆ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ମୁଁ ଭାବୁ ନାହିଁ ଯେ ସେ କାହାକୁ ମାରିପାରିବ । ସେ ସର୍ବଦା ସମସ୍ତଙ୍କର ଯତ୍ନ ନେଉଥିଲା ଏବଂ ସବୁବେଳେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଥିଲା ।
ଅନଲାଇନ୍ ଜେଲ୍ ରେକର୍ଡ ଅନୁସାରେ, ଆଗାମୀ ଶୁଣାଣି ଯାଏ ଆଲିଆ ଫଖରିଙ୍କୁ ରିକର୍ସ ଆଇଲାଣ୍ଡରେ ରୋଜ୍ ଏମ୍. ସିଙ୍ଗର ସେଣ୍ଟରରେ ରଖାଯାଇଛି । କୋର୍ଟରେ ପରବର୍ତ୍ତୀ ଶୁଣାଣି ଡିସେମ୍ବର ୯ରେ ହେବ ।




