ରାଜ୍ୟ

ମଞ୍ଚରେ ଜିଅନ୍ତା ଘୁଷୁରି ଖାଇବା ଘଟଣା: ଯାତ୍ରା ପରିଚାଳକ ଓ ଅଭିନେତା ଗିରଫ

ହିଞ୍ଜିଳିକାଟୁ/ଭୁବନେଶ୍ବର: ଯାତ୍ରା ପରିବେଷଣ ନାଁରେ ଚାଲିଛି ଖୋଲାଖୋଲି ଅଙ୍ଗ ପ୍ରଦର୍ଶନ। ଯାତ୍ରାରେ ନଗ୍ନତା ବଢ଼ିଚାଲିଥିବା ବେଳେ ନୃଶଂସତା ମଧ୍ୟ ଏଥିରେ ପ୍ରବେଶ କରିଛି। ବାରମ୍ବାର ଅଭିଯୋଗ ଓ ଅସନ୍ତୋଷ ପରେ ବି ନିରବ ରହିଛି ସଂସ୍କୃତି ଓ ଆଇନ ବିଭାଗ। ରାଜ୍ୟ ସରକାରଙ୍କ ପକ୍ଷରୁ ଅଦ୍ୟାବଧି ଏ ନେଇ କୌଣସି ମାର୍ଗଦର୍ଶିକା କିମ୍ବା ପଦକ୍ଷେପ ଗ୍ରହଣ କରାଯାଇନଥିଲେ ମଧ୍ୟ ତୀବ୍ର ଜନଅସନ୍ତୋଷକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଗଞ୍ଜାମ ଜିଲ୍ଲା ପୁଲିସ ଓ ବନବିଭାଗ। ଯାତ୍ରାର ଏକ ଭିଡିଓ ଗତକାଲି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ପରିବେଶବିତ୍ ଓ ବୁଦ୍ଧିଜୀବୀମାନେ ଏହାକୁ ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଫଳରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ରାଳବ ଗ୍ରାମରେ ଗତ ୨୬ ତାରିଖରେ ରାମାୟଣ ନାଟକ ପରିବେଷଣ ବେଳେ ମଞ୍ଚ ଉପରେ ଜିଅନ୍ତା ଘୁଷୁରି ଓ କୁକୁଡ଼ା ଖାଇଥିବା ଏବଂ ବିଷଧର ସାପ ସହ ଖେଳିଥିବା କଳାକାରଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ୨ ଜଣଙ୍କୁ ଗିରଫ କରାଯାଇଛି।

ନିରବ ରହିଛି ଆଇନ ଓ ସଂସ୍କୃତି ବିଭାଗ

ନାଟକରେ ବନ୍ୟଜନ୍ତୁ ସଂରକ୍ଷଣ ନିୟମର ଉଲ୍ଲଂଘନ ଅଭିଯୋଗରେ ବ୍ରହ୍ମପୁର ବନଖଣ୍ଡ କେସ୍ ନମ୍ବର ୧୮୭/୨୦୨୪-୨୫ରେ ଯାତ୍ରା ପରିଚାଳକ ନା‌ରାୟଣ ସ୍ବାଇଁ (୩୭)ଙ୍କୁ ଗିରଫ କରାଯାଇଥିବା ବ୍ରହ୍ମପୁର ଡିଏଫ୍‌ଓ ସନ୍ନି ଖୋଖର୍ ସୂଚନା ଦେଇଛନ୍ତି। ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଏଥିରେ ‌ଯେଉଁମାନେ ଜଡ଼ିତ ଥିବା ଜଣାପଡ଼ିବ, ସେମାନଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ଖୋଖର କହିଛନ୍ତି। ସେପଟେ ହିଞ୍ଜିଳିକାଟୁ ପୁଲିସ ମଧ୍ୟ ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରି ନିଜ ଆଡ଼ୁ ନଂ୯୮୫ରେ ଏକ ମାମଲା ରୁଜୁ କରିଛି। ରାକ୍ଷସ ଭୂମିକାରେ ଅଭିନୟ କରିଥିବା ବିମ୍ବାଧର ଗୌଡ଼ ସମସ୍ତ ବର୍ବରତାର ସୀମା ପାର୍‌ କରିଥିବାରୁ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ବିମ୍ବାଧରଙ୍କ ଘର କବିସୂର୍ଯ୍ୟନଗର ଥାନା ବଡ଼ଖରିଡ଼ା ଗାଁରେ। ଚିକିଲିର ‘ରାମାୟଣ ଗ୍ରୁପ୍‌’ ଦ୍ବାରା ଏହି ନାଟକ ମଞ୍ଚସ୍ଥ ହୋଇଥିଲା।

ଦେଖିବାକୁ ଗଲେ, ଯାତ୍ରା ନୃତ୍ୟରେ ଅଶ୍ଳୀଳତା ପ୍ରଦର୍ଶନ ବର୍ତ୍ତମାନ ଏକ ଧାରା ପାଲଟିଗଲାଣି। ଏହାର ପ୍ରଭାବରେ ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି। ଏଥିପାଇଁ ଯାତ୍ରା ମାଲିକ ଦାୟୀ ନା କମିଟି ଦାୟୀ, ତାକୁ ନେଇ ଦୋଷ ଠେଲାଠେଲି ଚାଲିଛି। ତେବେ ଯାତ୍ରାରେ ଅଶ୍ଳୀଳତାକୁ ବିରୋଧ କରି ଯାତ୍ରା କମିଟି ମହାସଂଘ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଗତ ମାସରେ ଭେଟିଥିଲେ। ଯାତ୍ରା ପରିବେଷଣ ପାଇଁ ସ୍ବତନ୍ତ୍ର ନିୟମ ପ୍ରସ୍ତୁତ ସହ ଅଶ୍ଳୀଳତା, ଦ୍ବିଅର୍ଥବୋଧକ ଶବ୍ଦ ଓ ସମାଜ ପ୍ରତି ଖରାପ ପ୍ରଭାବ ପକାଉଥିବା ବିଷୟକୁ ବିରୋଧ ପାଇଁ ସ୍ମାରକପତ୍ର ଦେଇଥିଲା ମହାସଂଘ। ଯାତ୍ରା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆସିବା ଦରକାର। ଯାହାକୁ ଯାତ୍ରା କମିଟି, ଯାତ୍ରା ମାଲିକଙ୍କ ସହ କଳାକାର ଓ ଆଇଟମ୍‌ ଡ୍ୟାନ୍ସରମାନେ ମାନିବେ ଓ ସୀମା ଭିତରେ ରହିବେ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।

ଯାତ୍ରା ପାଇଁ ସେନ୍‌ସର ବ୍ୟବସ୍ଥା ରହୁ

ଭୁବନେଶ୍ବର: ଯାତ୍ରାରେ ଅଶ୍ଳୀଳତା ଓ ଜିଅନ୍ତା ପଶୁଙ୍କୁ ଖାଇବା ଘଟଣାକୁ ନେଇ ଆଜି ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଶୂନ୍ୟ କାଳରେ ବିଜେପି ବିଧାୟକ ସନାତନ ବିଜୁଳି କହିଲେ, ଯାତ୍ରାରେ ଅଶ୍ଳୀଳତା ଭରିଗଲାଣି। ଅଙ୍ଗ ପ୍ରଦର୍ଶନ ପାଇଁ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ପରିବାର ସହ ବସି ଯାତ୍ରା ଦେଖିବା ଅସମ୍ଭବ ହୋଇପଡ଼ିଲାଣି। କଳାକାରଙ୍କ ଭାଷାଗତ ସଂଯମତା ଓ ଅଙ୍ଗ ପ୍ରଦର୍ଶନରେ ନିଶ୍ଚିତ ରୋକ୍ ଲାଗିବାର ଆବଶ୍ୟକତା ରହିଛି। ଏ ଦିଗରେ ସରକାର କଠୋର ପଦକ୍ଷେପ ନିଅନ୍ତୁ।

ଜିଅନ୍ତା ଘୁଷୁରି ଖାଇବାକୁ ନିନ୍ଦା
ଅଶ୍ଳୀଳତା ବନ୍ଦ ପାଇଁ କଠୋର ପଦକ୍ଷେପ ନିଆଯାଉ

ବାବୁ ସିଂହ କହିଲେ, ଯାତ୍ରାରେ ଓଡ଼ିଶାର କଳା, ସଂସ୍କୃତିକୁ କିଛି ଲୋକ କଳୁଷିତ କରିଦେଲେଣି। ମଞ୍ଚରେ ଜିଅନ୍ତା ଘୁଷୁରି ଓ କୁକୁଡ଼ା ଖାଇବାର ଦୃଶ୍ୟ ଦେଖିବାକୁ ମିଳୁଛି। ଯାତ୍ରାରେ ଯେପରି ନୃତ୍ୟ ପରିବେଷଣ କରାଯାଉଛି, ତାହା ଚିନ୍ତାଜନକ। ଆମ ସଂସ୍କୃତିକୁ ଅପଭ୍ରଂଶ କରିବାକୁ ହେଉଥିବା ଉଦ୍ୟମକୁ ରୋକାଯିବା ଉଚିତ। ଆମେ ଓଡ଼ିଆ ଅସ୍ମିତା କଥା କହୁଛୁ। ତେଣୁ ଆମ ସଂସ୍କୃତିକୁ ସୁରକ୍ଷା ଦେବାକୁ ପଡ଼ିବ। ଚଳଚ୍ଚିତ୍ର ପରି ଯାତ୍ରାରେ ମଧ୍ୟ ସେନ୍ସର ବ୍ୟବସ୍ଥା ଲାଗୁ କରାଯାଉ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button