ପତ୍ନୀଙ୍କ ଗଳା କାଟି ହତ୍ୟା କଲା ସ୍ୱାମୀ: ଅଭିଯୁକ୍ତ ଅଟକ, ଘଟଣାସ୍ଥଳରେ ଏସ୍ପିଙ୍କ ତଦନ୍ତ
କଙ୍କଡ଼ାହାଡ଼: ଢେଙ୍କାନାଳ ମହାବିରୋଡ଼ ଥାନା ମଝିକା ଗାଁରେ ରବିବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ପାଇଁ ବିବାହ କରିଥିବା ସ୍ବାମୀ ପତ୍ନୀର ଗଳାକାଟି ହତ୍ୟା କରିଛି। ହତ୍ୟାକାରୀ ସ୍ବାମୀକୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ପ୍ରକାଶ କରିଛି।
ମୃତଦେହକୁ ପୋତିବା ବେଳେ ଧରାପଡ଼ିଲା
ଅଭିଯୁକ୍ତ ଅଟକ, ଘଟଣାସ୍ଥଳରେ ଏସ୍ପିଙ୍କ ତଦନ୍ତ
ପୁଲିସ ସୂଚନା ଅନୁସାରେ ପାରିବାରିକ ବିବାଦକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହେବା ପରେ ଗତକାଲି ବିଳମ୍ବିତ ରାତିରେ କାତୁ ଦେହୁରୀ (୪୦) ପତ୍ନୀ ଝୁମୁରୀ ଦେହୁରୀ(୩୫)ଙ୍କ ଗଳା କାଟି ହତ୍ୟା କରିଥିଲା। ହତ୍ୟାକାଣ୍ଡ ପରେ ନିଜ ଘରଠାରୁ ଅଳ୍ପ ଦୂରରେ ମାଟି ଖୋଳି ମୃତଦେହକୁ ପୋତିବା ପାଇଁ ବି ଯୋଜନା କରିଥିଲା। ତେବେ ମାଟି ଖୋଳିଥିବା ସ୍ଥାନକୁ ଶବ ନେବା ସମୟରେ ଗାଁ ଲୋକେ ଦେଖି ଦେଇଥିଲେ। ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କଠାରୁ ଖବର ପାଇ ଢେଙ୍କାନାଳ ଏସ୍ପି ଅଭିନବ ସୋନକର, କାମାକ୍ଷାନଗର ଏସ୍ଡିପିଓ ଜ୍ଞାନରଞ୍ଜନ ମିଶ୍ର, ମହାବିରୋଡ ଥାନା ଅଧିକାରୀ ଅନାଦି ପଟ୍ଟାୟତ ପ୍ରମୁଖ ମଝିକା ଗାଁରେ ପହଞ୍ଚିଥିଲେ। ଅଭିଯୁକ୍ତ ସ୍ୱାମୀକୁ ଘଟଣାସ୍ଥଳରୁ ଧରିଥିଲା ପୁଲିସ। ବ୍ୟବଚ୍ଛେଦ ପାଇଁ ମୃତଦେହକୁ ପର୍ଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିବାବେଳେ ଅଭିଯୁକ୍ତ ସ୍ବାମୀକୁ ମହାବିରୋଡ ଥାନାରେ ଅଟକ ରଖାଯାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ବାପା କହିଛନ୍ତି, ପୁଅର ମୁଣ୍ଡ ଖରାପ ଥିବା କାରଣରୁ ସେ ଏଭଳି କାଣ୍ଡ କରିଛି। ଏ ସଂକ୍ରାନ୍ତରେ ମହାବିରୋଡ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।