ଡିଜି-ଆଇଜି ସମ୍ମିଳନୀରେ ମୋଦୀ ମନ୍ତ୍ର: ଆଗ ସ୍ବଚ୍ଛ ରୁହ, ଲୋକଙ୍କ ବିଶ୍ବାସ ଜିଣ

ଭୁବନେଶ୍ବର: ବିକଶିତ ଭାରତ ଗଠନରେ ପୁଲିସର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ବାହ୍ୟ ଶତ୍ରୁ କବଳରୁ ନାଗରିକଙ୍କୁ ସୁରକ୍ଷା ଯୋଗାଇବା କ୍ଷେତ୍ରରେ ମଧ୍ୟ ପୁଲିସର ବହୁ ଅବଦାନ ରହିଛି। ସମ୍ପ୍ରତି ପୁଲିସ ପାଇଁ ବହୁ ନୂଆ ନୂଆ ଆହ୍ବାନ ମୁଣ୍ଡ ଟେକିଛି। ଅପରପକ୍ଷେ ପୁଲିସକୁ ପୂର୍ବାପେକ୍ଷା ଶକ୍ତିଶାଳୀ କରିବାକୁ ଦେଶରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଓ ଆସ୍ପିରେସ୍ନାଲ୍ ଇଣ୍ଡିଆ (ଏଆଇ) ଭଳି ଜ୍ଞାନକୌଶଳ ରହିଛି। ତେଣୁ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ବଳରେ ପୁଲିସ ସମସ୍ତ ପ୍ରକାର ଆହ୍ବାନକୁ ମୁକାବିଲା କରିପାରିବ। ଏଥିପାଇଁ ପୁଲିସକୁ ଅଧିକରୁ ଅଧିକ କୌଶଳଭିତ୍ତିକ, ଲକ୍ଷ୍ୟଭିତ୍ତିକ, ବିଶ୍ବସନୀୟ ଓ ସ୍ବଚ୍ଛ ହେବାକୁ ପଡ଼ିବ। ସବୁବେଳେ ନୂଆନୂଆ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଲିସ ଡିଜି-ଆଇଜି ସମ୍ମିଳନୀର ଉଦ୍ଯାପନୀ ଉତ୍ସବରେ ଏଭଳି ମନ୍ତ୍ର ଦେବା ସହ ଉତ୍ସାହଭରା ବକ୍ତବ୍ୟ ରଖିଛନ୍ତି।
ଡିଜିଟାଲ୍ ଠକାମି, ସାଇବର ଅପରାଧ ପୁଲିସ ପାଇଁ ଏବେ ବଡ଼ ଆହ୍ବାନ
ତୃଣମୂଳସ୍ତରରୁ ପୁଲିସକୁ ଅଧିକ ସଶକ୍ତ କରାଯିବାକୁ ନିଷ୍ପତ୍ତି
ବାଂଲାଦେଶ ଓ ମିଆଁମାର୍ ପଟୁ ଅନୁପ୍ରବେଶ ରୋକ୍ ଲଗାଇବା ଉପରେ ଗୁରୁତ୍ବ
ଏହି ଅବସରରେ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଆସନ୍ତା ବର୍ଷ ଭାରତର ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ଲୌହମାନବ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳନ କରାଯିବ। ତେଣୁ ତୃଣମୂଳସ୍ତରରୁ ପୁଲିସ ବିଭାଗକୁ ଅଧିକ ଶକ୍ତିଶାଳୀ କରି ସ୍ବର୍ଗତ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ଦେଶର ଲକ୍ଷ୍ୟ ବୋଲି ସେ କହିଛନ୍ତି। ସମ୍ପ୍ରତି ଡିଜିଟାଲ୍ ଠକାମି ତଥା ସାଇବର ଅପରାଧ ପୁଲିସ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ୍। ଏହାକୁ ପ୍ରତିରୋଧ କରିବାକୁ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରିବାକୁ ହେବ। ତୃଣମୂଳସ୍ତରରେ କାମ କରୁଥିବା ପୁଲିସ କର୍ମଚାରୀମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଉପଯୁକ୍ତ ଜ୍ଞାନକୌଶଳ ପ୍ରୟୋଗ କରିବାକୁ ହେବ। ଏଥିପାଇଁ ଜାତୀୟସ୍ତରରେ ପୁଲିସ ହାକାଥନ୍ ଆୟୋଜନ କରିବାକୁ ସେ ପରାମର୍ଶ ଦେଇଥିଲେ। ପୂର୍ବ ଭାରତକୁ ବାଂଲାଦେଶ ଓ ମିଆଁମାର୍ ପଟୁ ବଢ଼ୁଥିବା ଅନୁପ୍ରବେଶ ଉପରେ ରୋକ୍ ଲଗାଇବା ପ୍ରସଙ୍ଗକୁ ସେ ଗୁରୁତ୍ବ ଦେଇଥିଲେ। ବିଭିନ୍ନ ଆତଙ୍କବାଦ ସଂଗଠନ ପକ୍ଷରୁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ସୃଷ୍ଟି ହେଉଥିବା ବିପଦର ମୁକାବିଲା ଯେତିକି ଗୁରୁତ୍ବପୂର୍ଣ୍ଣ ସାଇବର ଠକାମି, ଅପରାଧ, ତଟ ସୁରକ୍ଷା, ଅନୁପ୍ରବେଶ ରୋକିବା ଓ ନିଶା କାରବାରରେ ଅଙ୍କୁଶ ଲଗାଇବା ସେତିକି ମହତ୍ତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ସର୍ବୋପରି ପୁଲିସ କିଭଳି ସାଧାରଣ ନାଗରିକଙ୍କ ଆସ୍ଥାଭାଜନ ଓ ବିଶ୍ବାସଭାଜନ ହେବ, ସେ ଦିଗରେ ମଧ୍ୟ ଚିନ୍ତା କରାଯିବା ଜରୁରି ବୋଲି ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପୁଲିସ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।
ଆଜି ମଧ୍ୟ ଯୋଗ ଅଧିବେଶନରୁ ସମ୍ମିଳନୀର ଶେଷ ଦିବସ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ଏନ୍ଏସ୍ଏ ଉପଦେଷ୍ଟା ଅଜିତ୍ ଡୋଭାଲ୍ ଲୋକସେବା ଭବନ କନ୍ଭେନ୍ସନ୍ ହଲ୍ରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ପାଠଶାଳା। ସୀମା ସୁରକ୍ଷା, ତଟ ସୁରକ୍ଷା, ଅନୁପ୍ରବେଶ ରୋକିବା ସଂପର୍କରେ ଆଲୋଚନା କରାଯାଇଥିଲା। ମହିଳା ହିଂସାରେ ରୋକ୍ ଲଗାଇବାକୁ କି କି ଯୋଜନା କରାଯାଇପାରେ, ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା। ବିଭିନ୍ନ ନୂଆ ଯୋଜନାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ଭବିଷ୍ୟତ ଯୋଜନା ଉପରେ ମଧ୍ୟ ରୋଡ୍ମ୍ୟାପ୍ ପ୍ରଦର୍ଶନ କରାଯାଇଥିଲା। ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦିଗ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା। ତିନିଦିନିଆ ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ସମେତ ଜାତୀୟ ସୁରକ୍ଷା ସହ ସମ୍ପୃକ୍ତ ସଂସ୍ଥାଗୁଡ଼ିକରୁ ୭୫୦ରୁ ଅଧିକ ପଦସ୍ଥ ଅଧିକାରୀ ଯୋଗଦେଇଥିଲେ।




