ରାଜ୍ୟ

ସପ୍ତାହକରେ ୩୦ଟଙ୍କା ବଢ଼ିଗଲା: ଆଳୁ କେଜି ୬୦ ପାର୍‌

ଭୁବନେଶ୍ବର: ରାଜ୍ୟରେ ଏବେ ଆଳୁକୁ ନେଇ ଅଭାବନୀୟ ପରିସ୍ଥିତି। ହଠାତ୍ ଆ‌ଳୁ ଦାମ୍ ବଢ଼ିବା ସାଧାରଣ ଲୋକଙ୍କୁ ବାଧୁଛି। ସପ୍ତାହ ତଳେ ଆଳୁ କେଜି ୩୦ଟଙ୍କାରେ ବିକ୍ରି ହେଉଥିବାବେଳେ ଆଜି କେଜି ୬୦ଟଙ୍କାରେ ବିକ୍ରି ହେଉଛି। ହେଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେବଳ ବୟାନବାଜିରେ ମାତିଛନ୍ତି। ମନ୍ତ୍ରୀ ଗଣମାଧ୍ୟମରେ ଯେମିତି ପ୍ରତିକ୍ରିୟା ରଖୁଛନ୍ତି ସେଥିରେ ଦରଦାମ୍ ନିୟନ୍ତ୍ରଣ ନେଇ ସରକାର ତତ୍ପର ନଥିବା ବାରି ହୋଇପଡ଼ୁଛି।

ପାଇକାରୀ ବଜାର ତୁଳନାରେ ଖୁଚୁରା ବଜାରରେ ଆଳୁଦର ବହୁତ ଅଧିକ ରହିବାର ଫନ୍ଦି ଧରାପଡ଼ିଲାଣି। ଖୁଚୁରା ବ୍ୟବସାୟୀଙ୍କ କହିବାନୁଯାୟୀ, ଆଳୁ ଯୋଗାଣ କମିଥିବାବେଳେ ଏବେ ବସ୍ତାରେ ବି କମ୍ ଆଳୁ ଯୋଗାଣ ହେଉଛି। ପୂର୍ବରୁ ବସ୍ତାରେ ୫୦କେଜି ଆଳୁ ରହୁଥିବାବେଳେ ଏବେ ୪୨କେଜି ଆଳୁ ଆସୁଛି। ପାଇକାରୀ ବଜାରରେ ୪-୫ ଦିନ ତଳେ ଆଳୁ ୫୦କେଜି ବସ୍ତାକୁ ୧୧୦୦ରୁ ୧୨୦୦ଟଙ୍କା ପର୍ଯ୍ୟନ୍ତ ପଡ଼ୁଥିଲା ଏବଂ ଖୁଚୁରା ବଜାରରେ ଆଳୁ କେଜି ୩୩ରୁ ୩୫ଟଙ୍କାରେ ବିକ୍ରି ହେଉଥିଲା। ଏବେ କିନ୍ତୁ ୪୨କେଜି ବସ୍ତାକୁ ୨ହଜାର ଟଙ୍କାରେ ବିକ୍ରି ହେଉଛି। ତେଣୁ ଆଳୁ ୬୦ଟଙ୍କାରେ ବିକ୍ରି କରିବାକୁ ପଡ଼ୁଛି।
ଓଡ଼ିଆ ଦି’ଓଳି ଭାତ କି ରୁଟି ଖାଇଲେ ବି ସାଙ୍ଗରେ ଆଳୁ ଦରକାର। ବିନା ଆଳୁରେ ଭଜା, ତରକାରୀ ଅସଂପୂର୍ଣ୍ଣ। ଯେଉଁ ପରିବା ଉପରେ ଓଡ଼ିଆ ସବୁଠୁ ଅଧିକ ନିର୍ଭରଶୀଳ ତାହାକୁ ବି ସରକାର ଯୋଗାଇବାରେ ସଫଳ ହେଉନାହାନ୍ତି। ଆଳୁଦର ନିୟନ୍ତ୍ରଣ କରିବା ଦୂର କଥା, ରାଜ୍ୟକୁ କେଉଁଠୁ ଆଳୁ ଆସିବ ଏବଂ ଲୋକଙ୍କୁ କେମିତି କମ୍‌ ଦାମ୍‌ରେ ମିଳିବ ତାହା ଏପର୍ଯ୍ୟନ୍ତ ନିଶ୍ଚିତ କରିପାରୁନାହାନ୍ତି। ଆଳୁ ଦର ଦିନକୁ ଦିନ ବଢ଼ିବା ସାଧାରଣ ଲୋକଙ୍କ ପାଇଁ ଏବେ ଚିନ୍ତାର ବିଷୟ ହେଲାଣି।

ଆଳୁ କେଜି ୬୦ ପାର୍‌
୫୦କେଜି ବସ୍ତା ଏବେ ୪୨କେଜି
ୟୁପିରୁ ୩୦୦ ଟ୍ରକ୍ ଆଳୁ ଆସୁଛି: ମନ୍ତ୍ରୀ
ୟୁପି ଆଳୁ ଓଡ଼ିଆଙ୍କୁ ରୁଚୁନି, ବେଶି ପଚା

ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହେବା ପରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଉତ୍ତରପ୍ରଦେଶରୁ ୩୦୦ ଟ୍ରକ୍ ଆଳୁ ଆସୁଛି। ସୋମବାର ଗାଡ଼ି ପହଞ୍ଚିବ। ଆଳୁ ଆସିଗଲେ ଦାମ୍ କମିଯିବ। ହେଲେ ଉତ୍ତରପ୍ରଦେଶ ଆଳୁକୁ ନା ବ୍ୟବସାୟୀ ନା ଗ୍ରାହକ କେହି ପସନ୍ଦ କରୁନାହାନ୍ତି। ଗ୍ରାହକଙ୍କ କହିବା କଥା, ପଶ୍ଚିମବଙ୍ଗ ଆଳୁରେ ଯେଉଁ ସ୍ବାଦ ଅଛି, ଉତ୍ତରପ୍ରଦେଶ ଆଳୁରେ ତାହା ନାହିଁ। ୟୁପି ଆଳୁ ଭାତୁଆ ଲାଗୁଛି। ଏପଟେ ବ୍ୟବସାୟୀ କହୁଛନ୍ତି, ୟୁପି ଆଳୁ ଆଣିଲେ ବହୁତ ସଢ଼ା ବାହାରୁଛି। ପଶ୍ଚିମବଙ୍ଗରୁ ଦିନକରେ ଆଳୁ ଆସି ଆମ ପାଖରେ ପହଞ୍ଚୁଛି। ତେଣୁ ଭଲ ଆଳୁ ମିଳୁଛି। ଉତ୍ତରପ୍ରଦେଶ ଆଳୁ ପହଞ୍ଚିବାକୁ ତିନି ଦିନ ଲାଗୁଛି। ଗାଡ଼ିରୁ ଅନଲୋଡ୍ ହୋଇ ଆମ ପାଖକୁ ଆସିଲା ବେଳକୁ ବସ୍ତାରେ ୮ରୁ ୧୦କେଜି ସଢ଼ା ବାହାରୁଛି। ତେଣୁ ୟୁପି ଆଳୁ ଆସିଲେ ବି ତା’ର ଦାମ୍ କମିବନି।
ମନ୍ତ୍ରୀ ବୟାନବାଜି କରିବା ଅପେକ୍ଷା ଯଦି ଆଳୁ ବସ୍ତାରେ ୫୦କେଜି ରହିବା ନିଶ୍ଚିତ କରିବେ ଏବଂ ୟୁପିରୁ ଆସୁଥିବା ଆଳୁକୁ ଦିନେ ଦୁଇଦିନରେ ଆଣିପାରିବେ ତେବେ ଯାଇ ବଜାରରେ ଆଳୁ ଦର ନିୟନ୍ତ୍ରଣକୁ ଆସିବ। ନହେଲେ ନିକଟ ଭବିଷ୍ୟତରେ ଆଳୁ ଦର କମିବାର ସମ୍ଭାବନା ନାହିଁ।

ଅପରପକ୍ଷେ ଆଜି ଯୋଗାଣ ବିଭାଗର ଅଧିକାରୀମାନେ କୁବେରପୁରୀରେ ଆଳୁ ଗୋଦାମ ଯାଞ୍ଚ କରିବା ସହ ଆଳୁ ଯୋଗାଣ ଯେପରି ସ୍ବାଭାବିକ ହେବ, ସେ ନେଇ ବ୍ୟବସାୟୀମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ କୁବେରପୁରୀ ବ୍ୟବସାୟୀ ସଂଘର ସଭାପତି ମନୋଜ ଜେନା ଓ ସମ୍ପାଦକ ଶକ୍ତିଶଙ୍କର ମିଶ୍ର ସୂଚନା ଦେଇଛନ୍ତି ଯେ ଆଳୁ କେଜି ୩୬ଟଙ୍କାରୁ ଅଧିକରେ ଆଳୁ ବିକ୍ରି ନ କରିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ଖୁଚୁରା ବେପାରୀଙ୍କୁ ପାଇକାରୀ ବେପାରୀମାନେ ଚିଠା ଦେବାକୁ ବାଧ୍ୟତାମୂଳକ କରାଯାଇଛି। ଫଳରେ ଖାଉଟିମାନେ ଖୁଚୁରା ବେପାରୀଙ୍କଠାରୁ ଆଳୁ କିଣିବା ବେଳେ ଶୋଷଣର ଶିକାର ହେବେନି କି ଅଧିକ ଦାମ୍‌ରେ ଆଳୁ କିଣୁଛନ୍ତି ବୋଲି କହିପାରିବେନି। ଏହା ଦର୍ଶାଉଛି ଯେ ଆଳୁ ୟୁପିରୁ ଆସୁ କି ପଶ୍ଚିମବଙ୍ଗରୁ, ଖୁଚୁରା ବଜାରରେ ଏବେ ଆଳୁ କେଜି ୪୫ଟଙ୍କାରୁ କମ୍‌ ହେବା ସମ୍ଭାବନା କ୍ଷୀଣ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button