ରାଜ୍ୟ

ପତିତପାବନ ମନ୍ଦିର ଓ ରତ୍ନପଲଙ୍କ ହେବ ରୁପା ଛାଉଣି, ରୂପ ଦେବେ କଟକ କାରିଗର

ପୁରୀ, ୧୫/୧୧ : ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ପୂଜା ପାଉଥିବା ପତିତପାବନଙ୍କ ମନ୍ଦିର ଓ ଖିଲଣ ଉପରେ ହେବ ରୁପା ଛାଉଣି। ଏଥିସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନପଲଙ୍କ ବା ଅଣସର ଖଟ ଓ ମଦନ ମୋହନ ଅବକାଶ ଖଟୁଲୀ ମଧ୍ୟ ରୁପା ଛାଉଣି ହେବ । ପ୍ରାୟ ୩୦୦ କେଜିରୁ ଅଧିକ ରୁପା ଏଥିନିମନ୍ତେ ବ୍ୟବହାର ହେବ । କଟକର କାରିଗରମାନେ ଏହି କାର୍ଯ୍ୟକୁ ରୂପଦେବେ ।

ଏନେଇ ଗୁରୁବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ, ବରିଷ୍ଠ ସେବାୟତ, ପୂର୍ବତନ ପରିଚାଳନା କମିଟି ସେବାୟତ ସଦସ୍ୟମାନେ ବୈଠକରେ ଯୋଗଦେଇ ସେମାନଙ୍କ ମତାମତ ରଖିଥିଲେ । ଡିସେମ୍ବର ୨୫ ସୁଦ୍ଧା ଏସବୁ କାର୍ଯ୍ୟକୁ ସମାପନ କରିବାକୁ ବୈଠକରେ ଉପସ୍ଥିତ ଠିକାଦାରଙ୍କୁ କୁହାଯାଇଛି ।

ଅନ୍ୟପଟେ ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କ ସମେତ ଦୋଳଗୋବିନ୍ଦ ପ୍ରଭୃତି ଠାକୁରମାନଙ୍କ ୭ଟି ରୁପା ପ୍ରଭା କରିବାକୁ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଦାତାମାନେ ଦେଇଥିବା ରୁପାକୁ ବ୍ୟବହାର କରି ଏସମସ୍ତ କାର୍ଯ୍ୟ କରାଯିବ। ଏନେଇ ଶ୍ରୀଜଗନ୍ନାଥ ପରିଚାଳନା କମିଟି ପୂର୍ବତନ ସଦସ୍ୟ ମାଧବ ଚନ୍ଦ୍ର ପୂଜାପଣ୍ଡା କହିଛନ୍ତି, ଦାତା ଦେଇଥିବା ରୁପାକୁ ବ୍ୟବହାର କରି ଶ୍ରୀମନ୍ଦିର ବିଭିନ୍ନ ସୌନ୍ଦର୍ଯୀକରଣ କାର୍ଯ୍ୟ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ନୂଆବର୍ଷ ପୂର୍ବରୁ ପତିତପାବନଙ୍କ ମନ୍ଦିର ଓ ଖିଲଣର ରୂପା ଛାଉଣି ସାରିବାକୁ କଟକର ସୁନାରୀଙ୍କୁ କୁହାଯାଇଛି । ବର୍ମାଟିକ୍ କାଠ ବ୍ୟବହାର କରି ୩ଟି ରତ୍ନପଲଙ୍କର ତିଆରି ସରିଥିବାରୁ ଏହାକୁ ରୁପା ଛାଉଣି କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ କୌଣସି ମତାମତ ଦେଇନାହାନ୍ତି ।

ସୂଚନା ଥାଉକି, ଶ୍ରୀମନ୍ଦିର ବିଭିନ୍ନ ଦ୍ୱାରକୁ ରୁପା ଛାଉଣି କରିବା ପରେ ଏବେ ଶ୍ରୀମନ୍ଦିର ପ୍ରଶାସନ ରତ୍ନଭଣ୍ଡାର ଦୁଆରକୁ ସୁନା ଛାଉଣି କରିବାକୁ ମଧ୍ୟ କିଛିଦିନ ତଳେ ନିଷ୍ପତ୍ତି ନେଇଥିଲା । ରତ୍ନଭଣ୍ଡାର ମରାମତି ବେଳେ ଏହି କାମ କରିବା ପାଇଁ ପ୍ରସ୍ତୁତି ମଧ୍ୟ ହେଉଛି

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button