ପଡ଼ୋଶୀ ଦେଶ ତୁଳନାରେ ଭାରତର ବାୟୁ ଅଧିକ ଦୂଷିତ, ପିଏମ୍ ୨.୫ ସବୁଠୁ ବଡ଼ କାରଣ
ନୂଆଦିଲ୍ଲୀ ୧୫/୧୧: ଭାରତର ଅନେକ ଜିଲ୍ଲାରେ ଏକ୍ୟୁଆଇ (ଏୟାର କ୍ୱାଲିଟି ଇଣ୍ଡେକ୍ସ) ସ୍ତର ଖରାପରୁ ଅତି ଖରାପ ଶ୍ରେଣୀରେ ପହଞ୍ଚିଛି । ବାୟୁ ପ୍ରଦୂଷଣ ବୃଦ୍ଧିର ସବୁଠୁ ବଡ଼ କାରଣ ପିଏମ୍ ୨.୫ । ଏହା ଏକ ପ୍ରକାର ପ୍ରଦୂଷକ, ଯାହା ମଣିଷ କେଶଠୁ ମଧ୍ୟ ୧୦୦ ଗୁଣ ଅଧିକ ପତଳା । ଏହା ଏତେ ସୂକ୍ଷ୍ମ କଣିକା ଯେ ଶ୍ୱାସକ୍ରିୟା ଜରିଆରେ ଶରୀର ମଧ୍ୟରେ ପ୍ରବେଶ କରେ ଏବଂ ଅନେକ ଗମ୍ଭୀର ରୋଗର କାରଣ ହୁଏ ।
ଗତ ବୁଧବାର ଦିଲ୍ଲୀର ବାୟୁ ଗୁଣବତ୍ତା ସ୍ତର ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଗଲା । ଅନେକ ଅଞ୍ଚଳରେ ଏକ୍ୟୁଆଇ ସ୍ତର ୪୦୦ ଅତିକ୍ରମ କରିଥିଲା, ଯାହା ଗମ୍ଭୀର ସ୍ଥିତି ରୂପେ ବିବେଚିତ । କେବଳ ଦିଲ୍ଲୀ ନୁହେଁ, ଏନ୍ସିଆର୍ର ଅନେକ ଜିଲ୍ଲାରେ ବି ସମାନ ସ୍ଥିତି । ପଡ଼ୋଶୀ ଦେଶ ପାକିସ୍ତାନ ଓ ବାଂଲାଦେଶରେ ମଧ୍ୟ ସମାନ ସ୍ଥିତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ବାୟୁରେ ଯଦି ପିଏମ୍ ୨.୫ ମାତ୍ରା କ୍ୟୁବିକ୍ ମିଟର ପିଛା ୫ ମାଇକ୍ରୋଗ୍ରାମ୍, ଏହାର ଅର୍ଥ ଆପଣ ପରିଷ୍କାର ବାୟୁରେ ଶ୍ୱାସକ୍ରିୟା କରୁଛନ୍ତି । କିନ୍ତୁ ଏହି ମାନକ ମଧ୍ୟରେ ଖୁବ୍ କମ୍ ସହର ଅଛନ୍ତି । ଭାରତ, ପାକିସ୍ତାନ ଓ ବାଂଲାଦେଶରେ ପିଏମ୍ ୨.୫ ମାତ୍ରା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସ୍ଥିର ମାନକଠୁ ଅନେକ ଗୁଣ ଅଧିକ । ନିକଟରେ ଲାହୋରରେ ଏକ୍ୟୁଆଇ ସ୍ତର ୧୯୦୦ ଅତିକ୍ରମ କରିଥିଲା ।
ବୈଜ୍ଞାନିକ ପତ୍ରିକା ଲାନ୍ସେଟ୍ର ଅଧ୍ୟୟନ ଅନୁସାରେ, ୨୦୧୯ ମସିହାରେ ବାୟୁ ପ୍ରଦୂଷଣ ଯୋଗୁ ଭାରତରେ ୧୬.୭ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ବିଶ୍ୱରେ ପ୍ରତି ବର୍ଷ ପ୍ରଦୂଷିତ ବାୟୁ ଯୋଗୁ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ପ୍ରଦୂଷିତ ବାୟୁ ଏଚ୍ଆଇଭି-ଏଡ୍ସ ଭଳି ରୋଗଠୁ ମଧ୍ୟ ଅଧିକ ବିପଦପୂର୍ଣ୍ଣ । ୟୁଏନ୍ଏଡ୍ସର ରିପୋର୍ଟ ଅନୁସାରେ, ଏଚ୍ଆଇଭି-ଏଡ୍ସ ଯୋଗୁ ପ୍ରତି ବର୍ଷ ୬.୩ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ଷ୍ଟେଟ୍ ଅଫ୍ ଗ୍ଲୋବାଲ ଏୟାର-୨୦୨୦ର ରିପୋର୍ଟ ଅନୁସାରେ, ୨୦୧୯ ମସିହାରେ ବାୟୁ ପ୍ରଦୂଷଣ ଯୋଗୁ ଭାରତରେ ୧.୧୬ ଲକ୍ଷ ନବଜାତକଙ୍କ ମୃତ୍ୟୁ ହୋଇଥିଲା ।