୮୦୦ ବର୍ଷ ତଳର ଭାସ୍କର୍ଯ୍ୟପୂର୍ଣ୍ଣ ଚଉରା ଆବିଷ୍କୃତ, ଚୂନରେ ଲୁଚିଥିଲା କାରୁକାର୍ଯ୍ୟ
ପୁରୀ,୧୦/୧୧: ପ୍ରାୟ ୮୦୦ ବର୍ଷ ତଳର ଭାସ୍କର୍ଯ୍ୟପୂର୍ଣ୍ଣ ପ୍ରାଚୀନ ତୁଳସୀ ଚଉରା ଆବିଷ୍କୃତ ହୋଇଛି । ଏହି ତୁଳସୀ ଚଉରା ଭୋଗବର୍ଦ୍ଧନ ଶଙ୍କରାନନ୍ଦ ମଠ ପରିସରରେ ଥିଲା । ଚଉରା ଉପରେ ମୋଟା ଚୂନ ପଲସ୍ତରା ହୋଇରହିଥିବାରୁ ଏହା ଭିତରେ ଲୁଚି ରହିଥିବା ଭାସ୍କର୍ଯ୍ୟନଜର ଆସୁନଥିଲା । ମଠ ପକ୍ଷରୁ କିଛିଦିନ ତଳେ ଚଉରାକୁ ପୁନଃ ଚୂନ ପ୍ରଲେପ ଦେବା ପାଇଁ ଯୋଜନା କରାଯିବା ସମୟରେ ଏହା ମଧ୍ୟରେ ଥିବା ପ୍ରସ୍ତର ଭାସ୍କର୍ଯ୍ୟ ସାମାନ୍ୟ ନଜର ଆସିଥିଲା ।
ଏଣୁ ସଂପୂର୍ଣ୍ଣ ରୂପେ ଚୂନକୁ ଛଡ଼ାଇବାକୁ ମଠ ଟ୍ରଷ୍ଟବୋର୍ଡ ନିଷ୍ପତ୍ତି ନେଇଥିଲେ । ୨ ଦିନ ଧରି ଚୂନ ଛଡ଼ାଇବା ପରେ ଚୂନ ପ୍ରଲେପ ତଳେ ଥିବା ଭାସ୍କର୍ଯ୍ୟ ଦୃଶ୍ୟମାନ ହୋଇଛି । ଏଥିରେ ହୋଇଥିବା କାରୁକାର୍ଯ୍ୟରୁ ଚଉରାଟି ପାଖାପାଖି ୮୦୦ ବର୍ଷ ପୁରଣା ହେବ ବୋଲି ଐତିହ୍ୟ ଗବେଷକ ଡ. ସୁରେନ୍ଦ୍ର ମିଶ୍ର କହିଛନ୍ତି ।
ଚଉରାଟିର ଉଚ୍ଚତା ୭ ଫୁଟ ୬ ଇଞ୍ଚ ହୋଇଥିବା ବେଳେ ଉତ୍ତର ଦିଗକୁ ୩ ଫୁଟ ଉଚ୍ଚତାର ସୂର୍ଯ୍ୟ ନାରାୟଣ ମନ୍ଦିର ରହିଛି । ଚତୁର୍ଭୁଜ ବିଶିଷ୍ଟ ସୂର୍ଯ୍ୟନାରାୟଣଙ୍କର ଦୁଇ ପଟେ ଲକ୍ଷ୍ମୀ ସରସ୍ୱତୀ ରହିଛନ୍ତି । ଏହାର ଦଧିନଉତିର ଉପର ଅଂଶ ଭାଙ୍ଗିଯାଇଛି । ଦଧିନଉତି ତଳେ ଚାରିପଟେ ଯୋଡ଼ହସ୍ତ ମୁଦ୍ରାରେ ଶ୍ରୀଗରୁଡ଼ ରହିଛନ୍ତି । ଏହି ନାରାୟଣ ମୂର୍ତ୍ତି ଅବିକଳ ଶ୍ରୀମନ୍ଦିର ଗାରଦରେ ଥିବା ମୂର୍ତ୍ତି ସଦୃଶ୍ୟ ହୋଇଛି ।
ଚଉରାର ଦକ୍ଷିଣ ପାଶ୍ୱର୍ରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ବିଗ୍ରହ ରହିଛନ୍ତି । ଶ୍ରୀମନ୍ଦିରର ଦକ୍ଷିଣପାଶ୍ୱର୍ରେ ମଧ୍ୟ ପୂର୍ବେ ଏହି ଭଳି ତ୍ରିମୂର୍ତ୍ତି ବିଗ୍ରହ ରହିଥିଲେ ବୋଲି ଗବେଷକ ଶ୍ରୀମିଶ୍ର କହିଛନ୍ତି । ଏହି ତ୍ରିମୂର୍ତ୍ତି ତଳକୁ ରାହୁ ମୁଣ୍ଡ ଓ ତା’ ତଳକୁ ସିଂହମୂର୍ତ୍ତି ରହିଛି । ଚଉରାର ପୂର୍ବ ଦିଗରେ ୪ ଫୁଟ ଉଚ୍ଚରେ ଶ୍ରୀରାଧାକୃଷ୍ଣଙ୍କର ଯୁଗଳମୂର୍ତ୍ତି ରହିଛି । ରାଧାକୃଷ୍ଣଙ୍କର ଉଭୟ ପାଶ୍ୱର୍ରେ ଦୁଇ ସଖୀ ରହିଛନ୍ତି । ଚଉରାର ପଶ୍ଚିମ ଦିଗରେ ନୃତ୍ୟରତ ଶ୍ରୀକୃଷ୍ଣଙ୍କ ବିଗ୍ରହ ରହିଛନ୍ତି । ଚଉରାରୁ ସଂପୂର୍ଣ୍ଣ ରୂପେ ଚୂନ ଅପସାରଣ କରିବାକୁ ଆଉ କିଛିଦିନ ସମୟ ଲାଗିବ । ଚଉରା ଉପରେ କେବେ କେଉଁ ମଠାଧୀଶଙ୍କ ସମୟରେ ଚୂନ ପଲସ୍ତରା ହୋଇଥିଲା ତାହା ଜଣାପଡ଼ିନାହିଁ ବୋଲି ମଠର ଅନ୍ତରୀଣ ପରିଚାଳନା ଟ୍ରଷ୍ଟି ଦୁର୍ଗାପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି । ସ୍ୱାମୀ ଶାଶ୍ୱତାନନ୍ଦ ସରସ୍ୱତୀଙ୍କ ପରିଚାଳନାରେ ଚଉରାର ପୁନରୁଦ୍ଧାର କରାଯାଇଥିଲା ।ସୂଚନାଥାଉକି, ବାଲିସାହିର ତିଆଡ଼ି ସାହିରେ ଥିବା ଏହି ମଠ ଦଶନାମୀ ସଂପ୍ରଦାୟର । ଆଦି ଶଙ୍କରାଚାର୍ଯ୍ୟ ଏହି ମଠରେ ରହିଥିବା ଜଣାଯାଏ ।