ରାଜ୍ୟ

ମାଛ ଧରୁଥିବା ବେଳେ ଅତଡ଼ା ଖସି ମାଟି ତଳେ ଚାପି ହୋଇଗଲେ ଯୁବକ, ଉଦ୍ଧାର ହେଲା ମୃତଦେହ

ନୀଳଗିରି,୧୦/୧୧:ନଦୀରେ ମାଛ ଧରୁଥିବା ବେଳେ ଅଘଟଣ । ଅତଡା ଖସି ଯିବାରୁ ବାଉଁଶବୁଦା ଓ ମାଟି ତଳେ ଚାପି ହୋଇ ପ୍ରାଣ ହରାଇଲେ ଯୁବକ । ଯୁବକ ଜଣକ ସନୁ ସିଂ ବୋଲି ଜଣାପଡ଼ିଛି । ବାଲେଶ୍ୱର ଜିଲ୍ଲା ବରମପୁର ଅଞ୍ଚଳରେ ଥିବା କମଳାନଦୀରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ନୀଳଗିରି ବ୍ଲକ ବରମପୁର ଥାନା ଅଧିନ ଭୋଗଡ଼ିହା ଅଞ୍ଚଳରେ କମଳା ନଦୀରେ ମାଛ ଧରୁଥିବା ବେଳେ ସନୁ ସିଂ ଭାସି ଯାଇଥିଲେ ।

ପରେ ଯାଇ ଅନ୍ୟ ଏକ ସ୍ଥାନରେ ଛିଡା ହୋଇ ପୁଣି ମାଛ ଧରିବାକୁ ଚେଷ୍ଟା କରୁଥିବା ବେଳେ ନଦୀକୂଳରେ ଅତଡ଼ା ଖସି ଯିବାରୁ ବାଉଁଶବୁଦା ଗଡି ଯାଇଥିଲା । ମାଟି ସହ ବାଉଁଶ ବୁଦା ଉପରେ ପଡି ଯିବାରୁ ସନୁ ସିଂ ତଳେ ଚାପି ହୋଇ ରହିଥିଲେ । ଏହା ଦେଖି ଗ୍ରାମବାସୀ ୧୦୮ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା ।

ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ହେଲେ କିଛି ସମୟ ମଧ୍ୟରେ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button