ରାଜ୍ୟ

ସର୍ଭେକୁ ବିତିଲା ୧୨ ବର୍ଷ: ଦୋ’ଛକିରେ ରାୟଗଡ଼ା-ଗୋପାଳପୁର ରେଳପଥ, ରେଳ ମନ୍ତ୍ରାଳୟ ପାଖରେ ପଡି଼ଛି ଫାଇଲ୍‌

ରାୟଗଡ଼ା ୧୦/୧୧: ସର୍ଭେକୁ ଏ ଭିତରେ ଦୀର୍ଘ ୧୨ ବର୍ଷ ବିତିଯାଇଛି । ଆଜି ପର୍ଯ୍ୟନ୍ତ ବଜେଟ୍ରେ ମଞ୍ଜୁର ହୋଇପାରୁନି ଅର୍ଥ ।ରେଳ ମନ୍ତ୍ରାଳୟ ପାଖରେ ଅଟକିଛି ଫାଇଛି । ଏଥିଯୋଗୁ ଦୋ-ଛକିରେ ଝୁଲୁଛି ରାୟଗଡ଼ା-ଗୋପାଳପୁର ରେଳପଥ ପ୍ରକଳ୍ପ । ରେଳ ବିଭାଗର ଦୃଷ୍ଟି ଆଢୁଆଳ ଥିବାରୁ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ପଡ଼ୋଶୀ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାବାସୀଙ୍କ ଆର୍ଥିକ ଅଭିବୃଦ୍ଧି ଓ ପ୍ରଗତି ହୋଇପାରୁନି ।

ପଛୁଆ ଅଞ୍ଚଳ ଭାବେ ଜିଲ୍ଲାର ନାଁ ରହିଛି । ଗମନାଗମନ କ୍ଷେତ୍ରରେ ଏହା ବହୁ ପଛରେ । ରେଳବାଇ କ୍ଷେତ୍ରରେ ଜିଲ୍ଲାର ବିକାଶ ଯେତିକି ହେବା କଥା ତାହା ହୋଇନାହିଁ । ଏଠାରେ ନୂଆ ରେଳ ପ୍ରକଳ୍ପ ନିର୍ମାଣ ଦିଗରେ କୌଣସି ଯୋଜନା ଠିକ୍ଭାବେ କାର୍ଯ୍ୟକାରୀ ହେଉନି । ରାୟଗଡ଼ା-ଗୋପାଳପୁର ରେଳ ପ୍ରକଳ୍ପରେ ଏହାର ତୀବ୍ର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏହା ହେଉଛି ଏକ ବଡ଼ ପ୍ରକଳ୍ପ । ଏଠାରୁ ଗୋପାଳପୁର ବନ୍ଦରକୁ ରେଳପଥ ସଂଯୋଗ କରିବା ଲାଗି ୨୦୦୬- ୦୭ରେ ରାୟଗଡ଼ା-ଗୋପାଳପୁର ପ୍ରକଳ୍ପ ପାଇଁ ରେଳବାଇ ବୋର୍ଡରୁ ମଞ୍ଜୁରି ମିଳିଥିଲା । ୨୮୫ କିଲୋମିଟର ଲମ୍ବ ଏହି ରେଳପଥରେ ୨୫ଟି ଷ୍ଟେସନ ନିର୍ମାଣ ଲାଗି ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ୨୦୧୧-୧୨ ଆର୍ଥିକ ବର୍ଷରେ ସର୍ଭେ କରାଯାଇଥିଲା । ୨୦୧୫ ଜାନୁୟାରୀ ୧୯ ତାରିଖରେ ରେଳବାଇ ବୋର୍ଡକୁ ଭୁବନେଶ୍ୱର ଡେପୁଟି ଚିଫ୍ ଇଞ୍ଜିନିୟର କାର୍ଯ୍ୟାଳୟ ପକ୍ଷରୁ ସର୍ଭେ ରିପୋର୍ଟ ପଠାଯାଇଥିଲା ।

ଏହି ପ୍ରକଳ୍ପ ଲାଗି ୧୧ ହଜାର ୬୪୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେତେବେଳେ ରିପୋର୍ଟରେ ଦର୍ଶାଯାଇଥିଲା । ବର୍ତ୍ତମାନ ଏହି ଖର୍ଚ୍ଚର ପରିମାଣ ଦୁଇଗୁଣ ହେବ । ଏହି ରେଳପଥରେ ଯେଉଁ ଷ୍ଟେସନଗୁଡ଼ିକ ନିର୍ମାଣ ହେବ ସେଗୁଡ଼ିକ ହେଲା ଗୁମୁଡ଼ା, କୁରୁପୁଙ୍କା, ମେରିଗୁଡ଼ା, ଗାତଲାଭଦ୍ରା, ଗୁଣପୁର, ଚିନ୍ତଲାଗୁଡ଼ା, ଚାଲଖମ୍ବା, ପଦ୍ମପୁର ଏବଂ ଗଜପତି ଜିଲ୍ଲାର ନୂଆଗଡ଼, ଲେଡ଼ିଗୁଡ଼ା, ଅନ୍ତରବା, ଚାନ୍ଦିପୁଟ ଓ ଗୁମ୍ଫା ଏବଂ ଗଞ୍ଜାମ ଜିଲ୍ଲାର ଭୀଷ୍ମଗିରି, ଦିଗପହଣ୍ଡି, ବାଲିପଡ଼ା, ଗୁଲୁଣ୍ଠି, ଜଗନ୍ନାଥପୁର ଓ ଗୋପାଳପୁର । ଏହି ପ୍ରକଳ୍ପ ନିର୍ମାଣ ହେଲେ ମାଲ୍ ଓ ଯାତ୍ରୀ ପରିବହନ କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ ଘଟିବ । ରାୟଗଡ଼ା ଜିଲ୍ଲାରେ ରହିଛି ଉତ୍କଳ ଆଲୁମିନା ଓ ଜେକେ କାଗଜକଳ ସମେତ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ର ବେଦାନ୍ତ ଆଲୁମିନା, କୋରାପୁଟର ନବରତ୍ନ କମ୍ପାନି ନାଲ୍କୋ ଏବଂ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍(ହାଲ) ଭଳି ବହୁ କାରଖାନା ।

ଏସବୁ କାରଖାନାକୁ ମାଲ୍ ପରିବହନର ମୁଖ୍ୟ ଜଙ୍କସନ ପାଲଟିଛି ରାୟଗଡ଼ା । ରାଜସ୍ୱ ଆଦାୟ କ୍ଷେତ୍ରରେ “ସି’ କାଟାଗୋରିରେ ରହିଛି ଏହି ଅଞ୍ଚଳ । ତେଣୁ ରେଳ ବିଭାଗ ଏଭଳି ଏକ ଗୁରୁତ୍ୱପୂର୍ଣ ପ୍ରକଳ୍ପ ପ୍ରତି ଦୃଷ୍ଟି ଦେଲେ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ସମେତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଲୋକେ ବେଶ୍ ଉପକୃତ ହୋଇପାରିବେ । ଏଥିସହ ଏସବୁ ଜିଲ୍ଲାଗୁଡ଼ିକ ଆର୍ଥିକ କ୍ଷେତ୍ରରେ ମଧ୍ୟ ପ୍ରଗତି ହୋଇପାରିବ । ଏବେ ଦେଖିବାର କଥା, ଆଉ କେତେ ବର୍ଷ ପରେ ରେଳ ବିଭାଗର ଶୁଭଦୃଷ୍ଟି ଏହି ପ୍ରକଳ୍ପ ଉପରେ ପଡୁଛି । ଆଉ କେବେ ଏସୁବ ଜିଲ୍ଲାର ଭାଗ୍ୟ ପରିବର୍ତ୍ତନ ହେଉଛି

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button