ରାଜ୍ୟ

ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ହେବନି ସ୍ଥାୟୀ ସେଡ୍‌

ପୁରୀ,୧୪/୦୯: ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ବଡ଼ଆଖଡ଼ା ମଠ ପର୍ଯ୍ୟନ୍ତ ବ୍ୟାରିକେଡ୍ ଉପରେ ସେଡ୍ ନିର୍ମାଣ ନିଷ୍ପତ୍ତିରୁ ଓହରିଛି ପ୍ରଶାସନ । ସେଡ୍ ନିର୍ମାଣ ହେବା ଦ୍ୱାରା ବାହାରୁ ମେଘନାଦ ପାଚେରି ଓ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ନଷ୍ଟ ନେଇ ଅଭିଯୋଗ ପରେ ପ୍ରଶାସନ ନରମିଛି । ଏନେଇ ପ୍ରଶାସନିକ ବୈଠକ ବସିଥିଲା । ଯେଉଁଥିରେ ସେଡ୍ ନିର୍ମାଣ ନେଇ କୌଣସି ଠୋସ୍ ପଦକ୍ଷେପ ନିଆଯାଇନି ।

ତେବେ ଷ୍ଟେନଲେସ୍ ଷ୍ଟିଲ୍ ବ୍ୟାରିକେଡ୍ କରାଯାଉଛି । ଏନେଇ ସୂଚନା ଅଧିକାର ଆଇନ ତଥ୍ୟରୁ ଜଣାପଡ଼ିଛି ।

ଶ୍ରୀମନ୍ଦିର ଚତୁଃପାଶ୍ୱର୍ ୧୦୦ ମିଟର ଅଞ୍ଚଳ ନିଷିଦ୍ଧାଞ୍ଚଳ । କୌଣସି ନିର୍ମାଣ କାମ କରିବାକୁ ହେଲେ ଏଏସ୍ଆଇ ଡିଜିଙ୍କ ଅନୁମତି ଆବଶ୍ୟକ । ମାତ୍ର ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଅନେକ ନିର୍ମାଣ କାମରେ ଏଏସ୍ଆଇ ଡିଜିଙ୍କ ବିନା ଅନୁମତିରେ କାମ ହେଉଛି । ଫଳରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ଶ୍ରୀମନ୍ଦିର ଉତ୍ତର, ପଶ୍ଚିମ, ଦକ୍ଷିଣ ଦ୍ୱାର ବାହାର ପଟେ ଶ୍ରଦ୍ଧାଳୁଙ୍କ ନିମନ୍ତେ ହୋଇଥିବା ସେଡ୍ ନିର୍ମାଣରେ ଏଏସ୍ଆଇ ଡିଜିଙ୍କ ଅନୁମତି ନିଆଯାଇନଥିବା ଅଭିଯୋଗ ହୋଇଛି । ଏହି ସେଡ୍ ନିର୍ମାଣ ଦ୍ୱାରା ମେଘନାଦ ପାଚେରିର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ମେଘନାଦ ପାଚେରି ସୌନ୍ଦର୍ଯୀକରଣ ନିମନ୍ତେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି । ମାତ୍ର ଏହି ସୌନ୍ଦର୍ଯ୍ୟ ସେଡ୍ ପଛରେ ଲୁଚି ଯାଉଥିବା ଅଭିଯୋଗ ହୋଇଛି ।

୪ ଦ୍ୱାର ଖୋଲିବା ପୂର୍ବରୁ ଏକମାତ୍ର ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ଥିଲା । ଏଥିଯୋଗୁ ସିଂହଦ୍ୱାରଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଲାଇନ୍ ଲମ୍ବୁଥିଲା । ଶ୍ରଦ୍ଧାଳୁ ଦହଗଞ୍ଚ ହେଉଥିଲେ । ୪ ଦ୍ୱାରା ଖୋଲିବା ପରେ ଏହି ବଡ଼ ଲାଇନ୍ ଆଉ ଦେଖିବାକୁ ମିଳୁନି । ଏବେ ଲୋକେ ବେଶ ସହଜରେ ଯେକୌଣସି ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଯାଇ ପାରୁଛନ୍ତି । ତେବେ ପ୍ରଶାସନ ୪ ଦ୍ୱାର ବାହାର ପାଶ୍ୱର୍ରେ ସେଡ୍ ନିର୍ମାଣ କରି ପୁନଶ୍ଚ କୃତ୍ରିମ ଗହଳି ସୃଷ୍ଟି କରିବା ଯୋଜନାରେ ଅଛି । ସେଡ୍ ନିର୍ମାଣ ନାମରେ କୋଟି କୋଟି ଟଙ୍କା ଠିକାଦାରଙ୍କୁ ଦିଆଯାଇ ଏହି ଜରିଆରେ ଅଫିସରମାନେ ହାତ ସଫେଇ କରୁଥିବା ଅଭିଯୋଗ ହୋଇଛି । ସେହିପରି ସେଡ୍ ପାଖରେ ଗଳାବାଟ କରାଯାଇ ଲାଞ୍ଚ ଦେଇପାରୁଥିବା ଲୋକ, ଯାତ୍ରୀ ଗୁମାସ୍ତାଙ୍କ ସହ ଆସୁଥିବା ଶ୍ରଦ୍ଧାଳୁ, ସେବାୟତଙ୍କ ସହ ଆସୁଥିବା ଶ୍ରଦ୍ଧାଳୁ, ଅଫିସରମାନଙ୍କ ପରିବାର ବର୍ଗଙ୍କୁ ଛଡ଼ା ଯାଉଛି । ବ୍ୟାରିକେଡ୍ରେ ସାଧାରଣ ଶ୍ରଦ୍ଧାଳୁମାନଙ୍କୁ ଘଣ୍ଟାଘଣ୍ଟା ଠିଆ କରି ପ୍ରଶାସନ କୃତ୍ରିମ ଗହଳି ସୃଷ୍ଟି କରୁଥିବା ବେଳେ ଗଳାବାଟରେ ଭିଆଇପିଙ୍କୁ ଛଡ଼ା ଯାଉଛି । ଏହାଦ୍ୱାରା ଲୋକଙ୍କୁ ଶୋଷଣର ଶିକାର ହେବାକୁ ପ୍ରଶାସନ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button