ଗର୍ଭ ଯନ୍ତ୍ରଣା ପାଉଥିବା କିରାଣିଙ୍କୁ ଡାକ୍ତରଖାନା ଛାଡ଼ିଲେନି ସିଡିପିଓ ! ଗର୍ଭସ୍ଥ ଶିଶୁର ମୃତ୍ୟୁ, ମହିଳା ଗୁରୁତର, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ
ଡେରାବିଶ,୨୯/୧୦: ଗର୍ଭବତୀଙ୍କ ଚିକିତ୍ସା ଓ ଯତ୍ନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାରର ପଦକ୍ଷେପ ନିଆଯାଉଥିବା ବେଳେ ଜଣେ ଗର୍ଭବତୀ ସରକାରୀ କର୍ମଚାରୀ ଗର୍ଭବେଦନା ସମୟରେ ଉପରିସ୍ଥ ଅଧିକାରୀଙ୍କ ଅସହଯୋଗ ନେଇ ଅଭିଯୋଗ ଆଣିଛନ୍ତି । ଅଧିକାରୀଙ୍କ ଅଧିକ କାର୍ଯ୍ୟ ଚାପ ଯୋଗୁଁ ତାଙ୍କ ଗର୍ଭସ୍ଥ ଶିଶୁଟିର ମୃତ୍ୟୁ ହୋଇଥିବା ନେଇ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମରେ ଅଭିଯୋଗ ହୋଇଛି ।
ଏଭଳି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଡେରାବିଶ ବ୍ଲକ୍ ମହିଳା ଓ ଶିଶୁ ସମନ୍ୱିତ ବିଭାଗରେ ଘଟିଥିବା ଜଣାଯାଇଛି ।
ଅଭିଯୋଗରୁ ପ୍ରକାଶ, ମହିଳା ଓ ଶିଶୁ ସମନ୍ୱିତ ବିଭାଗରେ କାର୍ଯ୍ୟରତ ବରିଷ୍ଠ ମହିଳା କିରାଣି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ୭ ମାସର ଗର୍ଭବତୀ ଥାଇ ମଧ୍ୟ ନିୟମିତ କାର୍ଯ୍ୟାଳୟକୁ ଆସୁଥିଲେ । ଗତ ଶୁକ୍ରବାର ଦିନ ତାଙ୍କର ଗର୍ଭ ବେଦନା ଆରମ୍ଭ ହୋଇଥିଲା । ଏହି ସମୟରେ ସେ ଡାକ୍ତରଖାନା ଯିବା ପାଇଁ ଅନୁମତି ଦେବାକୁ ସିଡିପିଓ ସ୍ନେହଲତା ସାହୁଙ୍କୁ ନିବେଦନ କରିଥିଲେ । ମାତ୍ର ସିଡିପିଓ ତାଙ୍କୁ ଏଥିପାଇଁ ଅନୁମତି ଦେଇନଥିବା ବେଳେ ଓଲଟା ଦୁର୍ବ୍ୟବହାର କରିଥିଲେ । ଉପରିସ୍ଥ ଅଧିକାରୀଙ୍କ କଟୁ ଭାଷା ସହି ନପାରି ବର୍ଷା ପ୍ରିୟଦର୍ଶିନୀ ସେଠାରେ ଅସୁସ୍ଥ ହୋଇ ପଡ଼ିଥିଲେ । ଖବର ପାଇ ତାଙ୍କର ସମ୍ପର୍କୀୟମାନେ ସେଠାରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ାର ଏକ ଘରୋଇ ଡାକ୍ତରଖାନାକୁ ନେଇ ଯାଇଥିଲେ । ତେବେ ସେଠାରେ ଗର୍ଭରେ ଥିବା ଶିଶୁର ମୃତ୍ୟୁ ହୋଇ ଯାଇଥିବା ନେଇ ଡାକ୍ତର ସୂଚନା ଦେଇଥିଲେ । ଦୀର୍ଘ ୪ ଦିନ ହେଲା ପୀଡ଼ିତା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି ।
ଏ ସମ୍ପର୍କରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣିରେ ସଂପୃକ୍ତ ପୀଡ଼ିତାଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯିବା ସହ ନ୍ୟାୟ ଭିକ୍ଷା କରାଯାଇଛି । ଏ ସମ୍ପର୍କରେ ସିଡିପିଓ ଶ୍ରୀମତୀ ସାହୁଙ୍କୁ ପଚାରିବାରୁ ସେ କହିଥିଲେ ଯେ, ମୋ ବିରୋଧରେ ହୋଇଥିବାଅଭିଯୋଗ ଭିତ୍ତିହୀନ ଓ କପୋଳକଳ୍ପିତ । ମୋତେ ହଟାଇବାକୁ ଏହା ଏକ ହୀନ ଚକ୍ରାନ୍ତ ।