ଦାଦନ ଜୀବନର ମୂଲ୍ୟ କେତେ? ୧୦ମାସରେ ୪୦ ମଲେଣି
ବ୍ରହ୍ମପୁର: ଦାଦନ ଖଟିବାକୁ ଯାଇ ବିଭିନ୍ନ କାରଣରୁ ଗଞ୍ଜାମର ଶ୍ରମିକମାନେ ଜୀବନ ହରାଉଛନ୍ତି। ଗତବର୍ଷ ୧୨ ମାସରେ ଗଞ୍ଜାମର ୪୦ ଜଣ ଦାଦନ ବାହାର ରାଜ୍ୟରେ ପ୍ରାଣ ହରାଇଥିଲେ। ଚଳିତ ବର୍ଷ ୧୦ମାସ ମଧ୍ୟରେ ୪୦ଜଣ ଦାଦନ ଶ୍ରମିକଙ୍କ ବିଭିନ୍ନ ରାଜ୍ୟରେ ମୃତ୍ୟୁ ଘଟିଲାଣି।
ଗଞ୍ଜାମ ଜିଲ୍ଲାରେ ୩ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକ ନାମ ପଞ୍ଜୀକରଣ କରିଛନ୍ତି।
ନାମ ପଞ୍ଜୀକରଣ କରିବା ପରେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସରକାରୀ ସହାୟତା ପାଉଛନ୍ତି। ଦାଦନ ଶ୍ରମିକମାନେ ବାହାର ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି। ଶ୍ରମ ବିଭାଗ ନିକଟରେ ଏ ସଂପର୍କରେ କୌଣସି ସୂଚନା ରହୁନାହିଁ। ବାହାର ରାଜ୍ୟରେ ନିର୍ମାଣ କ୍ଷେତ୍ରରେ ଯଦି ଜଣେ କାମ କରୁଥିବ ଓ ଶ୍ରମ ବିଭାଗରେ ନାମ ପଞ୍ଜୀକରଣ କରିଥିବେ, ତେବେ ତାଙ୍କୁ ସରକାରୀ ସହାୟତା ମିଳୁଛି। ହେଲେ ନିଜର ସାମାଜିକ ପ୍ରତିଷ୍ଠା ବଜାୟ ରଖିବା ପାଇଁ ୯୦ ପ୍ରତିଶତ ଦାଦନ ଶ୍ରମିକ ତଥ୍ୟ ପ୍ରଦାନ କରିବାକୁ କୁଣ୍ଠାବୋଧ କରୁଛନ୍ତି। ଗଞ୍ଜାମ ଜିଲ୍ଲାର ପ୍ରାୟ ୬ଲକ୍ଷ ଲୋକ ବିଭିନ୍ନ ରାଜ୍ୟରେ ଦାଦନ ଖଟୁଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଲୋକ ସୁରତର ବିଭିନ୍ନ ସୁତାକଳରେ କାମ କରୁଛନ୍ତି।
ବିଭିନ୍ନ ସମୟରେ କର୍ମସ୍ଥଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟୁଛି। ମୃତ୍ୟୁ ପରେ ବହୁ ଲୋଙ୍କ ମୃତଦେହ ଘରକୁ ମଧ୍ୟ ଆସିପାରୁ ନାହିଁ। ଏପରିକି ସେମାନଙ୍କୁ କମ୍ପାନି ତରଫରୁ ସେଭଳି କିଛି ଆର୍ଥିକ ସହାୟତା ମଧ୍ୟ ଦିଆଯାଉ ନାହିଁ। ଏଣୁ ଗଞ୍ଜାମରୁ ଦାଦନ ଯାଉଥିବା ଲୋକଙ୍କ ଜୀବନର ମୂଲ୍ୟ କେତେ ବୋଲି ବର୍ତ୍ତମାନ ପ୍ରଶ୍ନ ସୃଷ୍ଟି ହୋଇଛି। ରୋଜଗାର ଆଶାରେ ଦାଦନ ଯାଉଥିବା ଯୁବକଙ୍କ ମୃତ୍ୟୁ ଘଟିଲେ ପରିବାର ପୂରା ଉଜୁଡ଼ି ଯାଉଛି। ଏଥିପାଇଁ ଦାଦନ ଶ୍ରମିକଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ରଖିବା ସହ ସରକାରୀ ସହାୟତା ପ୍ରଦାନ କରିବା ଦିଗରେ ସରକାର କିଛି ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
ଦାଦନ ଯିବାର ମୁଖ୍ୟ କାରଣ ହେଉଛି ଅଧିକ ରୋଜଗାର ଆଶା। ଓଡ଼ିଶାରେ ଜଣେ ଅଣକୁଶଳୀ ଶ୍ରମିକ ପାଇଁ ସର୍ବନିମ୍ନ ଦୈନିକ ମଜୁରୀ ୪୫୨ ଟଙ୍କା ରହିଛି। କିନ୍ତୁ ଜଣେ ସୁରତର ସୂତାକଳରେ ଯେତେ ଅଧିକ ସମୟ କାମ କରିବେ ସେ ଅନୁସାରେ ମଜୁରୀ ମିଳିବ। ସେଠାରେ ଅଧିକ ପ୍ରାପ୍ୟ ଥିବାରୁ ଲୋକେ ସେଠାକୁ ଯାଉଛନ୍ତି। ସୁରତରେ ୮/୧୦ଜଣ ଗୋଟିଏ ଛୋଟ ଘରେ ରହି ଯାଉଛନ୍ତି। ପରିବାରର ବୋଝ ରହୁ ନାହିଁ। ଏଣୁ ଅଧିକ ରୋଜଗାର ଆଶାରେ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି। ଏ ସମ୍ପର୍କରେ ବ୍ରହ୍ମପୁର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀ କହନ୍ତି, ପଞ୍ଜୀକୃତ କଣ୍ଟ୍ରାକ୍ଟର୍ଙ୍କ ଜରିଆରେ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା ଶ୍ରମିକଙ୍କ ସୂଚନା ରହୁଛି। ୨୦୨୪-୨୫ରେ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରୁ ୩୯ କଣ୍ଟ୍ରାକ୍ଟର୍ଙ୍କ ଜରିଆରେ ୧୭୫୧ଜଣ ଓ ୨୦୨୩-୨୪ରେ ୭୨ କଣ୍ଟ୍ରାକ୍ଟର୍ଙ୍କ ଜରିଆରେ ୩୦୪୩ଜଣ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲେ। କିନ୍ତୁ ଅନ୍ୟ ଶ୍ରମିକମାନେ ନିଜ ଇଚ୍ଛାରେ ଯାଉଥିବାରୁ ସେମାନଙ୍କ ସମ୍ପର୍କରେ କୌଣସି ସୂଚନା ରହୁନାହିଁ।