ଦେଶ- ବିଦେଶ

ଦିଲ୍ଲୀ ଆକାଶ ଧୂଆଁମୟ,ଅନଲାଇନରେ ଚାଲିବ ପାଠ ପଢ଼ା

ନୂଆଦିଲ୍ଲୀ,୧୫/୧୧: ଚରମରେ ପହଞ୍ଚିଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ। ସହର ଓ ଆଖପାଖ ଅଞ୍ଚଳକୁ ଘେରି ରହିଛି ପ୍ରଦୂଷଣର ଚାଦର । ପ୍ରଦୂଷଣର ମୋଟା ଆସ୍ତରଣ ଓ ଧୂଆଁଳିଆ ପରିବେଶରେ ଲୋକମାନେ ଅଣନିଃଶ୍ୱାସୀ ଅନୁଭବ କରୁଛନ୍ତି । ତେବେ ଏପରି ସ୍ଥିତି ଲାଗି ରହିଥିବା ବେଳେ ଦିଲ୍ଲୀରେ ବାୟୁର ଗୁଣବତ୍ତା ସାଂଘାତିକ ସ୍ତରକୁ ଖସି ଯାଇଛି।

ଏହାକୁ ଦୃଷ୍ଟିରେ ରଖି ଅଲନାଇଲନରେ କ୍ଲାସ୍ କରାଇବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଅନଲାଇନ୍ କ୍ଲାସ୍ ଚାଲିବ। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏକ୍ସ ପୋଷ୍ଟ ଯୋଗେ ସୂଚନା ଦେଇଛନ୍ତି। ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଅନଲାଇନ୍ କ୍ଲାସ୍ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗତ ତିନି ଦିନ ହେବ ଦିଲ୍ଲୀର ବାୟୁ ଗୁଣବତ୍ତା ନିମ୍ନସ୍ତରକୁ ଖସି ଆସିଛି। ଏୟାର୍ କ୍ୱାଲିଟି ଇଣ୍ଡେକ୍ସ (AQI) ବା ବାୟୁ ଗୁଣବତ୍ତା ସୂଚକାଙ୍କ ୪୯୮ରେ ପହଞ୍ଚିଛି, ଯାହା ଅତ୍ୟନ୍ତ ଖରାପ। IQAir ରିପୋର୍ଟ ଅନୁସାରେ, ଆଜି ସକାଳ ୭ଟା ସୁଦ୍ଧା ଦିଲ୍ଲୀ ହେଉଛି ବିଶ୍ୱର ଦ୍ୱିତୀୟ ପ୍ରଦୂଷିତ ସହର। ପ୍ରଥମରେ ପାକିସ୍ତାନର ଲାହୋର ରହିଛି। ଲାହୋରରେ ବାୟୁ ଗୁଣବତ୍ତା ସୂଚକାଙ୍କ ୭୭୯। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମୀର ଆପ୍ ଅନୁଯାୟୀ, ଆଜି ସକାଳେ ଦିଲ୍ଲୀର ପାଞ୍ଚଟି ସହରରେ ପ୍ରଦୂଷଣର ମାତ୍ରା ସର୍ବାଧିକ ରହିଛି। ଜାହାଙ୍ଗୀରପୁରୀ (AQI ୪୫୮), ବାୱାନା (୪୫୫), ୱାଜିରପୁର (୪୫୫), ରୋହିଣୀ (୪୫୨) ଏବଂ ପଞ୍ଜାବୀ ବାଗ (୪୪୩)ରେ ପହଞ୍ଚିଛି। ସେପଟେ, ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜିଠାରୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଅନାବଶ୍ୟକ ନିର୍ମାଣ ଓ ଉଚ୍ଛେଦ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ, ଗୁରୁଗ୍ରାମ, ଗାଜିଆବାଦ, ଫରିଦାବାଦ ଓ ଗୌତମବୁଦ୍ଧ ନଗରରେ ଜିଆରଏପି-୩ ଲାଗୁ ହୋଇଥିବାରୁ ପେଟ୍ରୋଲ ଚାଳିତ ବିଏସ୍-୩ ଓ ଡିଜେଲ ଚାଳିତ ବିଏସ-୪ ବର୍ଗର ଗାଡ଼ି ଚାଳନା ଉପରେ ରୋକ୍ ଲଗାଯାଇଛି।କିନ୍ତୁ ଜାତୀୟ ସୁରକ୍ଷା, ସ୍ୱାସ୍ଥ୍ୟ ଓ କିଛି ନିର୍ଦ୍ଦିଷ୍ଟ ସର୍ବସାଧାରଣ ନିର୍ମାଣ ଉପରେ କୌଣସି କଟକଣା ରଖାଯାଇ ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button