ରାଜ୍ୟ

ଚଢ଼େଇବର-ବାୟାଁପଦା ଭାର୍ଗବୀ ନଦୀବନ୍ଧ ଧସୁଛି

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ଚଢ଼େଇବର-ବାୟାଁପଦା ନିକଟସ୍ଥ ଭାର୍ଗବୀ ନଦୀପଠାରୁ ବଡ଼ ବଡ଼ ମାଟି ଅତଡ଼ା ଧସୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଘୋର ଅସନ୍ତୋଷ ଦେଖାଦେଇଛି। ତେଣୁ ଏହି ପାର୍ଶ୍ବରେ ଜଳସମ୍ପଦ ବିଭାଗ ପଥର ପ୍ୟାକିଂ କରି ନଦୀବନ୍ଧକୁ ସୁଦୃଢ଼ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। କିଛି ବର୍ଷ ତଳେ ମାଫିଆ ଭ୍ୟାକୁମ ମେସିନ ଲଗାଇ ବାଲି ଉଠାଇ ନଦୀ ଶଯ୍ୟାକୁ ଗଭୀର କରି ଦେଇଥିଲେ।

ଫଳରେ ନଦୀରେ କୃତ୍ରିମ ଗଭୀର ଗଣ୍ଡ ସୃଷ୍ଟି ହୋଇଛି। ଏବେ ପୁରୋହିତପୁର ପଞ୍ଚାୟତ ଅଧୀନ ଚଢ଼େଇବର ଠାରୁ ପୂରଣପଧାନ ପଞ୍ଚାୟତ ଅଧୀନ ବାୟାଁପଦା ପର୍ଯ୍ୟନ୍ତ ପ୍ରାୟ ଦେଢ଼ ଶହ ମିଟର ନଦୀପଠା ଅତି ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ପାର୍ଶ୍ବ ନଦୀରେ ଚଳପ୍ରଚଳ କରୁଥିବା ଅଜଣା ଲୋକଙ୍କୁ ଗାଁ ଲୋକେ ନଦୀକୁ ନଗଡ଼ିବା ପାଇଁ ବାରଣ କରିଥାନ୍ତି। ନଦୀପଠାରେ ଭୋଜି କରିବାକୁ ଆସୁଥିବା ଯୁବକମାନଙ୍କ ମଧ୍ୟରୁ ଏକାଧିକ ଯୁବକ ବୁଡ଼ି ମୃତ୍ୟୁବରଣ କରିବାର ଦୃଷ୍ଟାନ୍ତ ରହିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଚଢ଼େଇବର ପଠାକୁ ଗାଁ ପିଲାମାନେ ଖେଳ ପଡ଼ିଆ ଭାବେ ବ୍ୟବହାର କରିଥାନ୍ତି। ପଠା ଖେଳପଡ଼ିଆରେ ଜଙ୍ଗଲ ବିଭାଗ ପକ୍ଷରୁ ବନୀକରଣ କରାଯାଇଥିଲା। ହେଲେ ଏବେ ଅତଡ଼ା ଧସିବା ଫଳରେ ପଠାରେ ଥିବା ବୃକ୍ଷ ସବୁ ନଦୀ ଗର୍ଭକୁ ଖସି ପଡ଼ୁଛି। ଆଉ ଗୋଟିଏ କଥା ହେଲା ପ୍ରଳୟଙ୍କରୀ ବନ୍ୟା ସମୟରେ ଆଖପାଖ ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଭାର୍ଗବୀ ନଦୀବନ୍ଧ ଦୁର୍ବଳ ହୋଇପଡ଼ିବା ହେତୁ ଅନେକ ସ୍ଥାନରେ ଘଳିଆ ପଡ଼ି ଗାଁ, ଧାନ ଫସଲ କ୍ଷେତ କ୍ଷତିଗ୍ରସ୍ତ ହେଉଛି। ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀଙ୍କ ନିକଟରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯିବା ସତ୍ତ୍ବେ ମଧ୍ୟ କୌଣସି ସୁଫଳ ମିଳିନି। ତେଣୁ ଉପରୋକ୍ତ ଦେଢ଼ଶହ ମିଟର ନଦୀପଠା ଅଞ୍ଚଳ ପଥର ପ୍ୟାକିଂ କରିବାକୁ ସମାଜସେବୀ ପ୍ରଦୀପ୍ତ ମହାନ୍ତିଙ୍କ ତତ୍ତ୍ବାବଧାନରେ ଦୁଇଖଣ୍ଡ ଗାଁର ମୁରବିମାନଙ୍କୁ ନେଇ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜଣାଇବାକୁ ସମୂହ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button