ରାଜଧାନୀ କଲେଜ ଅଧ୍ୟାପକଙ୍କ ନାଁରେ ଅଭିଯୋଗ ଆଣିଲେ ଅଭିଭାବକ: ପ୍ରାକ୍ଟିକାଲ୍ କ୍ଲାସରେ ଅଶ୍ଳୀଳ ବ୍ୟବହାର କରୁଛନ୍ତି
ଭୁବନେଶ୍ୱର,୨୧/୧୦: ଅଧ୍ୟାପକଙ୍କ ନାଁରେ ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ ଅଭିଯୋଗ ଆଣିଲେ ଶିକ୍ଷାର୍ଥୀଙ୍କ ବାପା । କେବଳ ଅସଦାଚରଣ ନୁହେଁ ବରଂ ଅଧ୍ୟାପକ କ୍ଲାସ ନ ନେଇ ଜମି ବେପାର କରୁଥିବା ଅଭିଯୋଗ କରିଛନ୍ତି । ଏପରିକି ଅଧ୍ୟାପକ ଜଣକ ଟଙ୍କା ଦେଇ ବିନା ଗବେଷଣାରେ ପିଏଚ୍ଡି କରୁଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି । ଏନେଇ ଉଚ୍ଚଶିକ୍ଷା ବିଭାଗକୁ ଅଭିଯୋଗପତ୍ର ପଠାଇଛନ୍ତି ।
ଏହାକୁ ଗୁରୁତର ସହ ନେଇଛି ଉଚ୍ଚଶିକ୍ଷା ବିଭାଗ । ଏହାର ତଦନ୍ତ କରିବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ଏ ହେଉଛି ରାଜଧାନୀ କଲେଜ ବିରୋଧରେ ଆସିଥିବା ଅଭିଯୋଗ ଘଟଣା ।
ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି, ଅଧ୍ୟାପକ ଜଣକ ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିକାଲ କ୍ଲାସ ସମୟରେ ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ମା, ବାପାଙ୍କ ନାମ ନେଇ ଖରାପ ଭାଷାରେ ଗାଳି ଦେଉଛନ୍ତି । କଲେଜରେ ୭ଘଣ୍ଟା ରହିବାର ନିୟମ ଥିଲେ ମଧ୍ୟ ରହୁନଥିବା ନେଇ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି । କେବଳ ଏତିକି ନୁହେଁ ଅଧ୍ୟାପକ ଜଣକ ଜମି ବେପାରରେ ସଂଶ୍ଲିଷ୍ଟ ଅଛନ୍ତି । ତେଣୁ ପିଲାଙ୍କ ପାଠପଢ଼ାରେ ଧ୍ୟାନ ନଦେଇ କଲେଜରେ ଉପସ୍ଥାନ ପକାଇ ଗାଏବ ହୋଇଯାଉଛନ୍ତି ବୋଲି ଅଭିଯୋଗ ହୋଇଛି । ଏନେଇ ଯଦି କୌଣସି ଅଭିଭାବକ କିମ୍ବା ଛାତ୍ରଛାତ୍ରୀ ଅଭିଯୋଗ କରୁଛନ୍ତି ସେମାନଙ୍କୁ ଧମକ ଦେଇ ଭୟଭୀତ କରାଉଛନ୍ତି । ଏହି ଅଧ୍ୟାପକଙ୍କୁ ରାଜଧାନୀ କଲେଜରୁ ହଟାଇବାକୁ ସେ ଦାବି କରିଛନ୍ତି । ଅଭିଯୋଗ ପାଇବା ପରେ ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି ।