ରାଜ୍ୟ

ସମ୍ଭାବ୍ୟ ବାତ୍ୟା ପାଇଁ ଚାଷୀଙ୍କୁ କୃଷି ବିଭାଗର ପରାମର୍ଶ, ୮୫ଭାଗ ପାଚିଥିବା ଧାନକୁ ତୁରନ୍ତ କାଟ

ଭୁବନେଶ୍ୱର,୨୧/୧୦: ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାରେ ମାତ୍ରାଧିକ ବର୍ଷାର ସମ୍ଭାବନା ଥିବାରୁ ଫସଲ ସୁପରିଚାଳନା ପାଇଁ ପରାମର୍ଶାବଳୀ ଜାରି କରିଛି ରାଜ୍ୟ କୃଷି ବିଭାଗ । ବର୍ଷା ଆରମ୍ଭ ପୂର୍ବରୁ ୮୫ଭାଗ ପାଚି ଯାଇଥିବା ସହଳ କିସମ ଧାନକୁ ତୁରନ୍ତ କାଟି ନେଇ ସୁରକ୍ଷିତ ସ୍ଥାନରେ ରଖିବାକୁ ବିଭାଗ ପରାମର୍ଶ ଦେଇଛି ।

ମଧ୍ୟମ ଓ ବିଳମ୍ୱ କିସମ ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରିବାକୁ ପରାମର୍ଶ ଦିଆଯାଇଛି । ଧାନ ଗଛ ପଡି ଯାଇଥିଲେ ବର୍ଷା ପରେ ହଳା କରି ଠିଆ କରନ୍ତୁ । ବର୍ଷା ଛାଡି ଖରା ପାଗ ହେବା ପରେ କେଣ୍ଡା କଟା ପୋକ ଲାଗିବାର ସମ୍ଭାବନା ରହିଛି। ଏହାର ନିୟନ୍ତ୍ରଣ କରିବା ପାଇଁ ସନ୍ଧ୍ୟା ସମୟରେ ପ୍ରତି ଲିଟର ପାଣିରେ ୧.୫ ମିଲିଲିଟର ହିସାବରେ ଲାମ୍ୱଡା ସାଇହୋଲାର୍ଥୀନ ଫସଲ ଓ ହୁଡା ଚାରିପଟେ ସିଞ୍ଚନ କରନ୍ତୁ ।

ସେହିପରି ବର୍ଷାଦିନିଆ ମକା ଓ ମିଲେଟ ଜାତୀୟ ଫସଲକୁ ତୁରନ୍ତ ଅମଳ କରି ଦେବାକୁ ବିଭାଗ ପରାମର୍ଶ ଦେଇଛି । ମୁଗ, ବିରି, ଚିନାବାଦାମ ଫସଲ ହୋଇଥିବା ଚାଷ ଜମିରୁ ପାଣି କାଟିବାର ବ୍ୟବସ୍ଥା କରିବାକୁ କୁହାଯାଇଛି । ପନିପରିବା ଚାଷ କରିଥିଲେ ତଳି ଘେରାରୁ ଅତ୍ୟଧିକ ଜଳ ନିଷ୍କାସନ କରିବାପାଇଁ ପରାମର୍ଶ ଦିଆଯାଇଛି । ଏହା ସହିତ ସମସ୍ତ ରବି ଫସଲ ଲଗାଇବା କିମ୍ୱା ବୁଣିବାକୁ ଏବେ ସାମୟିକ ସ୍ଥଗିତ ରଖିବେ ।

ମୂଳା, ବିନସ, କୋଶଳା, ଧନିଆ, ପାଳଙ୍ଗ ଚାଷ ହୋଇଥିଲେ ତୁରନ୍ତ ଅମଳ କରି ବିକ୍ରି କରିବା ଉଚିତ । ବାଇଗଣ, ବିଲାତି ବାଇଗଣ, ଫୁଲକାବି, ବନ୍ଧାକାବି, ବ୍ରୋକାଲି ଓ କାପସିକମ ଫସଲର ତଳି ଘେରାରେ ଧଳା ଜରି ଓ ବାଉଁଶ ଢେରା ଦେଇ ବର୍ଷା ଦାଉରୁ ରକ୍ଷା କରିବାକୁ ପଡିବ । ପୋଟଳ, କାକୁଡି, କଖାରୁ, ଜହ୍ନି ପ୍ରମୁଖ ଲତାଜାତୀୟ ପନିପରିବା ଓ ବାଇଗଣ, ଭେଣ୍ଡି, ସହଳ ଫୁଲକୋବି ଫସଲ ପ୍ରଭାବିତ ହେବାର ସମ୍ଭାବନା ଥିଲେ ଅମଳ ଉପଯାଗୀ ପନିପରିବାକୁ ତୋଳି ଦେବା ଉଚିତ । କଦଳୀ, ଅମୃତ ଭଣ୍ଡା ଗଛରେ ଢ଼ିରା ଦେବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ହେଲେ ଆମକୃଷି ଦେୟ ମୁକ୍ତ ନମ୍ୱର ୧୫୫୩୩୩ ସହ ଯୋଗାଯୋଗ କରିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button