ଆଉ ଗଛ ତଳେ ନୁହେଁ ବରଂ ନୂତନ ମନ୍ଦିରରେ ପୂଜା ପାଇବେ ଜଗତଜନନୀ ମା’ ବାଇଧର ଦେବୀ

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଆମ୍ବପଡା ଗ୍ରାମରେ ଜଗତଜନନୀ ମା’ ବାଇଧର ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା, ବିଗ୍ରହ ପ୍ରତିଷ୍ଠା, ରତ୍ନ ମୁଦ, ଘୃତ ଯଜ୍ଞ ଓ ଅନ୍ନ ଯଜ୍ଞ ମହାସମାବେଶରେ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ଦେଢ଼ ଶହ ବର୍ଷ ହେବ ମା’ ବାଇଧର ଦେବୀ ଗଛ ତଳେ ପୂଜା ପାଇ ଆସୁଥିଲେ । ହେଲେ ଆଜି ଆମ୍ବପଡା ଗ୍ରାମବାସୀଙ୍କ ମିଳିତ ସହଯୋଗରେ ମନ୍ଦିର ନିର୍ମାଣ କରାଯାଇ ପ୍ରତିଷ୍ଠା କରାଯାଇଛି ।
ଗ୍ରାମରେ ନାମ ସଂକୀର୍ତନ ହରି ବୋଲ, ହୁଳହୁଳିରେ ଦୀର୍ଘ ଚାରି ଦିନ ଧରି ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ପ୍ରଥମ ଦିନ ରତ୍ନ ମୁଦ, ଅଙ୍କୁର ରୋପଣ, ସାଲା ସଂସ୍କାର କରାଯାଇଥିଲା । ଦ୍ୱିତୀୟ ଦିନରେ କଳସ ଯାତ୍ରା, ପଞ୍ଚ କର୍ମ, ସୂର୍ଯ୍ୟ ପୂଜା, ଦେବତା ଆବାହନ, ଅଗ୍ନି ସଂସ୍କାର ଆଳତୀ ।
ତୃତୀୟ ଦିନରେ ଗୋ ପୂଜା, ସାଲା ପ୍ରବେଶ, ମଣ୍ଡଳ ପୂଜା, ମହତୀ ସ୍ନାନ, ରାତ୍ର କାଳରେ ଦେବତାଙ୍କ ନ୍ୟାସ ସହ ଶେଷ ଦିନରେ ସୂର୍ଯ୍ୟ ପୂଜା, ଗୋ ପୂଜା, ପଞ୍ଚ କର୍ମ, ଆହୁତୀ, ଦେବତା ସ୍ନାନ ଏବଂ ମା’ଙ୍କୁ ଯଜ୍ଞ ମଣ୍ଡପରୁ ନିଜ ମନ୍ଦିରରେ ଥିବା ଅସ୍ଥାନକୁ ଘଣ୍ଟ ଘଣ୍ଟା ହରିବୋଲ ହୁଳହୁଳି ଦେଇ ମହାଆଡ଼ମ୍ବରରେ ଆସନରେ ବ୍ରାହ୍ମଣମାନଙ୍କ ଦ୍ୱାରା ସ୍ଥାପନ କରାଯାଇ ଯଜ୍ଞ ପୂର୍ଣ୍ଣାହୁତି ହୋଇଥିଲା ।
ଏହି ଅବସରରେ ଚିଲିକା ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଯୋଗ ଦେଇଥିଲେ । ପ୍ରତିଦିନ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଜଗତଜନନୀ ମା’ ବାଇଧର ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠାକୁ ନେଇ ଆମ୍ବପଡା ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମଳିଛି ।




