ରାଜ୍ୟ

ବିଦ୍ୟାର୍ଥୀଙ୍କୁ ନିଶାମୁକ୍ତ କରାଇବା ୟୁଜିସିର ଚିନ୍ତା, ପ୍ରତିବର୍ଷ ନିଶା କବଳରେ ସାଢ଼େ ୫ ହଜାର

ଭୁବନେଶ୍ୱର,୧୫/୧୦: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)କୁ ଏବେ ନିଶାମୁକ୍ତ କ୍ୟାମ୍ପସ ଚିନ୍ତା ଘାରିଛି । ନିୟମିତ ବ୍ୟବଧାନରେ ଶିକ୍ଷାନୁଷ୍ଠାନ କ୍ୟାମ୍ପସକୁ ନିଶାମୁକ୍ତ କରିବା ପାଇଁ ଚିଠି କରାଯାଇଛି । ବିଶେଷ କରି ଗ୍ଲୋବାଲ ୟୁଥ୍ ଟବାକୋ ସର୍ଭେ (ଜିୱାଇଟିଏସ୍) ୨୦୧୯ ରିପୋର୍ଟ ୟୁଜିସିର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ଦେଶରେ ପ୍ରତିବର୍ଷ ସାଢ଼େ ୫ ହଜାର ନୂଆ ପିଲା ନିଶା ସେବନ ଆରମ୍ଭ କରୁଛନ୍ତି । ଏପରିକି ୫୫ ପ୍ରତିଶତ ୨୦ ବର୍ଷରୁ କମ୍ ବର୍ଗର ପିଲାମାନେ ନିଶା ସହ ଅଭ୍ୟସ୍ତ ଅଛନ୍ତି । କେବଳ ଏତିକି ନୁହେଁ ୮.୫ ପ୍ରତିଶତ ସ୍କୁଲ ପିଲା ନିୟମିତ ଭାବେ ନିଶା ସେବନ କରୁଛନ୍ତି । ଯାହାକୁ ନେଇ ଏବେ ଚିନ୍ତାରେ ୟୁଜିସି । କିଭଳି ଭାବେ ସମସ୍ତ ଶିକ୍ଷାନୁଷ୍ଠାନକୁ ନିଶା ମୁକ୍ତ କରାଯିବ ସେନେଇ ଅଭିଯାନ ଆରମ୍ଭ କରିବାକୁ କୁହାଯାଇଛି । ଏନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ଜାରି ହୋଇଛି। ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଏବଂ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି ।

ୟୁଜିସି ପକ୍ଷରୁ ଜାରି ହୋଇଥିବା ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ ଜିୱାଇଟିଏସ୍ ୨୦୧୯ ରିପୋର୍ଟରେ ଦର୍ଶାଯାଇଛି ୧୩ରୁ ୧୫ ବର୍ଷ ବୟସର ୮.୫ ପ୍ରତିଶତ ସ୍କୁଲ ପିଲା ନିଶା ସେବନ କରୁଛନ୍ତି । ପ୍ରତିବର୍ଷ ସାଢ଼େ ୫ହଜାର ପିଲା ନିଶା କବଳରେ ପଡ଼ୁଛନ୍ତି । କେବଳ ଏତିକି ନୁହେଁ, ଗ୍ଲୋବାଲ ଆଡଲ୍ଟ ଟବାକୋ ସର୍ଭେ (ଜିଏଟିଏସ୍) ଦର୍ଶାଉଛି, ୨୦ରୁ କମ୍ ବୟସ ବର୍ଗର ପିଲାମାନେ ବହୁ ଦିନ ଧରି ନିଶାସେବନ କରୁଛନ୍ତି ।

ଏପରିକି ଇଲେକ୍ଟ୍ରୋନିକ୍ସ ସିଗାରେଟ୍ ସହ ଜଡ଼ିତ ହେଉଛନ୍ତି । ଯାହା ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି । ଡିଏନ୍ଏ ନଷ୍ଟ କରୁଛି । କ୍ୟାନସର ସୃଷ୍ଟି କରୁଛି । ବିଭିନ୍ନ ଶ୍ୱାସ ରୋଗ, ହୃଦ୍ରୋଗ, ସ୍ନାୟୁ ରୋଗ ଭଳି ବିଭିନ୍ନ ସାଂଘାତିକ ରୋଗରେ ପଡ଼ୁଛନ୍ତି । ଏପରିକି ଭବିଷ୍ୟତରେ ପିଲା ଜନ୍ମ କରିବାରେ ସମସ୍ୟା ଉପୁଜିବାର ସମ୍ଭାବନା ମଧ୍ୟ ରହିଛି । ଏଭଳି ଭୟଙ୍କର ସ୍ଥିତିକୁ ମୁକାବିଲା କରିବାକୁ ହେଲେ ଏବେଠୁ ଶିକ୍ଷକ ଏବଂ ଅଭିଭାବକମାନେ ସଚେତନ ହେବାକୁ ପଡ଼ିବ । ଯୁବପିଢ଼ିଙ୍କୁ ଏଭଳି ଖରାପ ଅଭ୍ୟାସରୁ ନିବୃତ୍ତ ରଖିବା ପାଇଁ ସଚେତନ କରିବାକୁ ପଡ଼ିବ । ତେଣୁ ଏହି ପ୍ରକ୍ରିୟା ଶିକ୍ଷାନୁଷ୍ଠାନରେ ଆରମ୍ଭ ହେବା ଆବଶ୍ୟକ ବୋଲି ୟୁଜିସି କହିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ଅନୁଯାୟୀ, ନିଶାମୁକ୍ତ ଶିକ୍ଷାନୁଷ୍ଠାନ କ୍ୟାମ୍ପସ ଗଠନରେ ସମସ୍ତଙ୍କ ସହଯୋଗ କାମନା କରିଛି ୟୁଜିସି । ପିଲାଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବାକୁ କୁହାଯାଇଛି ।

ଶିକ୍ଷାନୁଷ୍ଠାନ ଆଖପାଖରେ ନିଶା ଦ୍ରବ୍ୟ ବିକ୍ରୟ ନିଷେଧକୁ କଡ଼ାକଡ଼ି କକରାଯିବ । ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ କୁହାଯାଇଛି । କ୍ୟାମ୍ପସକୁ ଯେପରି କୌଣସି ନିଶାଦ୍ରବ୍ୟ ପ୍ରବେଶ ନକରେ ସେଥିଲାଗି ଧ୍ୟାନ ଦେବାକୁ କୁହାଯାଇଛି । ଏହାକୁ ସୁନିଶ୍ଚିତ କରିବା ଲାଗି ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button