ରାଜ୍ୟ

ପୋଷ୍ଟମର୍ଟମ୍‌ ରିପୋର୍ଟ: ୩ ଘଣ୍ଟା ଛଟପଟ ହୋଇଥିଲା ରାମୁ

ଭୁବନେଶ୍ବର: ବିଦ୍ୟୁତ୍‌ ଆଘାତରେ ହିଁ ଦନ୍ତାହାତୀ ‘ରାମୁ’ର ମୃତ୍ୟୁ ହୋଇଛି। ଯେଉଁ ସମୟରେ ସେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲା ସଙ୍ଗେ ସଙ୍ଗେ ତାହାର ମୃତ୍ୟୁ ହୋଇ ନ ଥିଲା। ବରଂ ବିଦ୍ୟୁତ୍‌ ଆଘାତ ପାଇବାର ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଜଙ୍ଗଲ ଭିତରେ ଛଟପଟ ହୋଇଥିଲା। ଜୀବନ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ମଧ୍ୟ କରିଥିଲା।

ତା’ସତ୍ତ୍ବେ ସଫଳ ହୋଇ ନ ଥିଲା। ସୋମବାର ସକାଳୁ ‘ରାମୁ’ର ମୃତ୍ୟୁ ଖବର ସାମ୍ନାକୁ ଆସିଥିଲେ ମଧ୍ୟ ଏହାର ଢେର୍‌ ପୂର୍ବରୁ ମଧ୍ୟ ରାତିରେ ତାହାର ଜୀବନ ଚାଲି ଯାଇଥିଲା। ଓୟୁଏଟି ଓ ନନ୍ଦନକାନନର ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା କରାଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ତେବେ ଲାବରେଟୋରି ରିପୋର୍ଟ ଆସିବା ପରେ ଏହା ଆହୁରି ସ୍ପଷ୍ଟହେବ।

ଆହୁରି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହେଉଛି ଯେ ‘ରାମୁ’ର ଶୁଣ୍ଢରେ ଚାର୍ଜିଂ ମାର୍କ (ବିଦ୍ୟୁତ୍‌ ଆଘାତର ଚିହ୍ନ) ରହିଥିଲା। ଯେଉଁଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବିଦ୍ୟୁତ୍‌ ଆଘାତରେ ହିଁ ତାହାର ଜୀବନ ଯାଇଛି। ବନ ବିଭାଗର ପ୍ରାରମ୍ଭିକ ରିପୋର୍ଟରେ ମଧ୍ୟ ସମାନ ତଥ୍ୟ ଦେଖିବାକୁ ମିଳିଥିଲା। ତେବେ ଜଙ୍ଗଲର ଯେଉଁ ସ୍ଥାନରେ ରାମୁର ମୃତଦେହ ପଡ଼ିଥିଲା ତାହା ନିକଟରେ ଥିବା ବସ୍ତିବାସିନ୍ଦା ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ବସ୍ତି ନିକଟ ଦେଇ ପ୍ରତିଦିନ ହାତୀ ଚଳପ୍ରଚଳ କରୁଛନ୍ତି। କୌଣସି କ୍ଷତି କରୁନାହାନ୍ତି। ତେଣୁ ତାହାକୁ କାହିଁକି କିଏ ମାରିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏଥିସହ ଅଭିଯୋଗ ଆଣିଛନ୍ତି ଯେ ରାମୁକୁ ଧରିବାକୁ ବନ ବିଭାଗ କରିଥିବା ଟ୍ରାଙ୍କୁଲାଇଜ୍‌ରେ ମୃତ୍ୟୁ ହୋଇଛି। ଅଯଥାରେ ବସ୍ତିବାସିନ୍ଦାଙ୍କୁ ଦୋଷ ଦିଆଯାଉଛି ବୋଲି ସେମାନେ କହିଛନ୍ତି।

ସେପଟେ ଭରତପୁର ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍‌ ଆଘାତରେ ପ୍ରଥମ ହାତୀ ମୃତ୍ୟୁ ଘଟଣା ପ‌ରେ ବନ ବିଭାଗ ଅଧିକ ସତର୍କ ହେବା ସହ ଜଙ୍ଗଲ ଚାରିପାଖରେ କଡ଼ା ପ୍ରହରା ଲଗାଇଛି। ଜଙ୍ଗଲର ୩୨ କିମି ରାସ୍ତାରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ଅବସରପ୍ରାପ୍ତ ଯବାନ ଓ ବନ ବିଭାଗ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଡିଏଫ୍‌ଓ ଓ ଏସିଏଫ୍‌ଙ୍କ ନେତୃତ୍ବରେ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଟିମ୍‌ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଜଙ୍ଗଲ ଉପରେ ନଜର ରଖିବେ। ପ୍ରତିଦିନର ରିପୋର୍ଟ ବନ ବିଭାଗକୁ ପଠାଇବେ। ରବିବାର ସନ୍ଧ୍ୟାରେ ଜଙ୍ଗଲ ଭିତରେ ସୁସ୍ଥ ଅବସ୍ଥାରେ ଦନ୍ତାହାତୀ ରାମୁ ବୁଲୁଥିବା ନଜରକୁ ଆସିଥିଲା। ତେଣୁ ରାତିରେ ହିଁ ତାହାର ମୃତ୍ୟୁ ହୋଇଛି। ‌ଯେଉଁ ସ୍ଥାନରେ ସେ ବୁଲୁଥିଲା ତାହାର ତଥ୍ୟ ସଂଗ୍ରହ କରୁଛି ବନ ବିଭାଗ। ଲୋକଙ୍କୁ ପଚରାଉଚରା କରିବା ସହ କେଉଁ ସମୟରେ କେଉଁଠି ହାତୀଟି ଶେଷ ଥର ପାଇଁ ଦୃଶ୍ୟମାନ ହୋଇଥିଲା ତାହା ଖୋଜା ଚାଲିଛି।

ପିସିସିଏଫ୍‌ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ କହିଛନ୍ତି, ”କୌଣସି ବି ପରିସ୍ଥିତିରେ ଦନ୍ତାହାତୀ ରାମୁର ମୃତ୍ୟୁ ସହ ସାଲିସ କରାଯିବ ନାହିଁ। ଯିଏ ହେଉ ନା କାହିଁକି ଏଭଳି ନୃଶଂସ କାଣ୍ଡ ଘଟାଇଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ସଂରକ୍ଷିତ ଜଙ୍ଗଲ ଉପରେ ନଜର ରଖିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାମୁର କଙ୍କାଳକୁ ସଂରକ୍ଷଣ କରାଯିବ କି ନାହିଁ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ। ବିଭିନ୍ନ ଆଡ଼ୁ ପ୍ରସ୍ତାବ ଆସୁଥିବାରୁ ଆମେ ସଂରକ୍ଷଣ କରିବାକୁ ଚିନ୍ତା କରୁଛୁ। ଏକ କମିଟି ଗଠନ କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।” ହାତୀର ସମ୍ପୂର୍ଣ୍ଣ ଶରୀର ମାଟିରେ ମିଶିବାକୁ ୩ ମାସ ସମୟ ଲାଗିଥାଏ ବୋଲି ସେ କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button