ସଲଙ୍ଗାବାହାଲ ଜଙ୍ଗଲରେ ମହାବଳ!
ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ବନାଞ୍ଚଳ ଅନ୍ତର୍ଗତ ସଲଙ୍ଗାବାହାଲ ଓ ମଝାପଡ଼ା ଜଙ୍ଗଲରେ ମହାବଳ ଆତଯାତ ହେଉଛି। ସ୍ଥାନୀୟ ଅଞ୍ଚଳରେ ପଡ଼ିଥିବା ପାଦଚିହ୍ନ ଓ ଦୁଇଟି ବଳଦର ମୃତଦେହ ଆଧାରରେ ଗ୍ରାମବାସୀଙ୍କର ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ତେବେ ବନବିଭାଗ ପକ୍ଷରୁ ଏ ବାବଦରେ କିଛି ସ୍ପଷ୍ଟ କରାଯାଇନାହିଁ। ସୂଚନା ଅନୁସାରେ ମଝାପଡ଼ା ପଞ୍ଚାୟତର ଜୟକୁଦର ନଦୀ ଅପରପାର୍ଶ୍ବ ଝାଡ଼ଖଣ୍ଡର ଦୁମକି ଜଙ୍ଗଲରେ ଗୋଟିଏ ଓ ଓଡ଼ିଶା ସୀମାନ୍ତ କୁନମେଣ୍ଡରା ନଦୀ ନିକଟରେ ଗୋଟିଏ ବଳଦର ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଶୁକ୍ରବାର ମଝାପଡ଼ା ସରପଞ୍ଚ ମାରିଆନୁସ୍ କିରୋଙ୍କୁ ଜଣାଇଥିଲେ। ବଳଦଙ୍କୁ କେହି ଜନ୍ତୁ ମାରି ଖାଇଥିବାବେଳେ ଘଟଣାସ୍ଥଳରେ ବାଘ ଭଳି ଜନ୍ତୁର ପାଦଚି଼ହ୍ନ ରହିଥିବା ଦେଖା ଯାଇଥିଲା।
ଏ ସମ୍ପର୍କରେ ସରପଞ୍ଚ ରାଏବଗା ବନପାଳ ଲୋକନାଥ ପଟେଲଙ୍କୁ ଜଣାଇଥିଲେ। ଶନିବାର ରାଏବଗା ବନପାଳ ଶ୍ରୀ ପଟେଲ ଓ ସଲଙ୍ଗାବାହାଲ ବନରକ୍ଷୀ ରତନ ମହାକୁଡ଼ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ସେଠାରେ ମାଟିରେ ପଡ଼ିଥିବା ପାଦଚି଼ହ୍ନ ବାଘର ବୋଲି ସନ୍ଦେହ କରି ରାଉରକେଲା ଡିଏଫ୍ଓଙ୍କୁ ସୂଚନା ଦେଇଥିଲେ। ଏ ସଂପର୍କରେ ଡିଏଫ୍ଓ ଯଶୋବନ୍ତ ସେଠୀଙ୍କୁ ପଚାରିବାରୁ ଏ ବିଷୟରେ ସେ ସୂଚନା ପାଇଥିବା କହିଛନ୍ତି। ଆସନ୍ତାକାଲି ବିଶେଷଜ୍ଞ ଦଳ ଦ୍ବାରା ଘଟଣାସ୍ଥଳରେ ଅନୁଧ୍ୟାନ କରାଯିବ। ସେଠାରେ ଟ୍ରାପ୍ କ୍ୟାମେରା ଲଗାଯିବା ସହ ଡ୍ରୋନ୍ ମାଧ୍ୟମରେ ନଜର ରଖାଯିବ ଓ ଗ୍ରାମବାସୀଙ୍କୁ ପଚରାଉଚରା କଲା ପରେ ସବୁକିଛି ସ୍ପଷ୍ଟହେବ ବୋଲି ଶ୍ରୀ ସେଠୀ କହିଛନ୍ତି। ପାଦଚିହ୍ନର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଥିବା ଜଣାପଡ଼ିଛି।