ମଙ୍ଗଳବାର ୩ ଏଆଇ ଉତ୍କର୍ଷ କେନ୍ଦ୍ର ଘୋଷଣା କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,୧୫/୧୦: ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର ଉପରେ ତିନୋଟି ଏଆଇ ସେଣ୍ଟର ଅଫ୍ ଏକ୍ସଲେନସ (ସିଓଇ) ଘୋଷଣା କରିବେ । ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଏହି ତିନୋଟି ଉତ୍କର୍ଷ କେନ୍ଦ୍ରକୁ ଶିକ୍ଷାନୁଷ୍ଠାନ, ଶିଳ୍ପ ଅଂଶୀଦାର ଏବଂ ଷ୍ଟାର୍ଟଅପ୍ମାନେ ନେତୃତ୍ୱ ପ୍ରଦାନ କରିବେ ।
ସେମାନେ ଆନ୍ତଃବିଭାଗୀୟ ଗବେଷଣା କରିବେ, ଅତ୍ୟାଧୁନିକ ଆପ୍ଲିକେସନ୍ ବିକଶିତ କରିବେ ଏବଂ ଏହି ତିନୋଟି କ୍ଷେତ୍ରରେ ଅଧିକ ସମାଧାନ ସୃଷ୍ଟି କରିବେ । ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏକ ପ୍ରଭାବଶାଳୀ ଏଆଇ ଇକୋସିଷ୍ଟମକୁ ବିକଶିତ କରିବା ଏବଂ ଏହି ସବୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଗୁଣାତ୍ମକ ମାନବସମ୍ବଳ ପ୍ରସ୍ତୁତ କରିବା ।
୨୦୨୩-୨୪ ବଜେଟ୍ ଘୋଷଣାର ପାରା ୬୦ ଅଧୀନରେ ଭାରତରେ ଏଆଇ ତିଆରି କରିବା ଏବଂ ଭାରତ ପାଇଁ ଏଆଇ କାର୍ଯ୍ୟ କରିବା ଲକ୍ଷ୍ୟର ଏକ ଅଂଶ ଭାବରେ ଏହି କେନ୍ଦ୍ରଗୁଡିକ ପ୍ରତିଷ୍ଠା କରିବାକୁ ଘୋଷଣା କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ୨୦୨୩-୨୪ ଆର୍ଥିକ ବର୍ଷରୁ ୨୦୨୭-୨୮ ଆର୍ଥିକ ବର୍ଷ ମଧ୍ୟରେ ମୋଟ ୯୯୦ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ ତିନୋଟି ଏଆଇ ସେଣ୍ଟର ଅଫ୍ ଏକ୍ସଲେନସ ଗଠନକୁ ମଞ୍ଜୁରୀ ଦେଇଛନ୍ତି ।
ଏହି ପଦକ୍ଷେପର କାର୍ଯ୍ୟକାରିତା ତଦାରଖ କରିବା ପାଇଁ ଜୋହୋ କର୍ପୋରେସନର ପ୍ରତିଷ୍ଠାତା ତଥା ସିଇଓ ଡ. ଶ୍ରୀଧର ଭେମ୍ବୁଙ୍କ ଅଧ୍ୟକ୍ଷତାରେ ଏକ ଶୀର୍ଷ କମିଟି ଗଠନ କରାଯାଇଛି । ଏହି ଅବସରରେ ସଚିବ ଶ୍ରୀ କେ. ସଞ୍ଜୟ ମୂର୍ତ୍ତିଙ୍କ ସମେତ ଆଇଆଇଟିର ନିର୍ଦ୍ଦେଶକ, ଉଚ୍ଚ ଶିକ୍ଷାନୁଷ୍ଠାନର ମୁଖ୍ୟ (ଏଚ୍ଇଆଇ), ଶିଳ୍ପନେତା, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ଏବଂ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବେ ।