ଦେଶ- ବିଦେଶ

‘ମଧ୍ୟପ୍ରାଚ୍ୟର ଚେହେରା ବଦଳାଇବାର ସୁଯୋଗ ଆସିଛି’

ନୂଆଦିଲ୍ଲୀ: ଇସ୍ରାଏଲ ବିରୋଧରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ଏକ ଭୟଙ୍କର ଭୁଲ୍ ଥିଲା ଏବଂ ମଧ୍ୟପ୍ରାଚ୍ୟର ଚେହେରା ବଦଳାଇବା ପାଇଁ ତେଲ ଅବିବ ପାଖରେ ୫୦ ବର୍ଷ ମଧ୍ୟରେ ସବୁଠାରୁ ବଡ଼ ସୁଯୋଗ ଆସିଛି ବୋଲି ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ନଫତାଲି ବେନେଟ୍ କହିଛନ୍ତି। ଗତରାତିରେ ତେହେରାନ ଇସ୍ରାଏଲକୁ ଟାର୍ଗେଟ କରି ୪୦୦ରୁ ଅଧିକ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରିଥିବା ବେଳେ ସେଥିରେ ୧୦୮ଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ସାମିଲ ଥିଲା।

ଏ ନେଇ ଏକ୍ସରେ ଏକ ପୋଷ୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇସ୍ରାଏଲ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଏବଂ ଇରାନର ଆଣବିକ କାର୍ଯ୍ୟକ୍ରମ ଓ ଶକ୍ତି କେନ୍ଦ୍ରଗୁଡ଼ିକୁ ଧ୍ୱଂସ କରିବା ଦରକାର। ଇସ୍ରାଏଲର ଏଲିଟ୍ ସାଏରେଟ୍ ମାଟକଲ୍ ୟୁନିଟ୍ର ପୂର୍ବତନ କମାଣ୍ଡୋ ବେନେଟ୍ ନ୍ୟୁ ରାଇଟ୍ ପାର୍ଟିର ନେତୃତ୍ୱ ନେଉଛନ୍ତି ଏବଂ ସେ ଜୁନ୍ ୨୦୨୧ରୁ ଜୁନ୍ ୨୦୨୨ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ବେନେଟ୍ ଇରାନକୁ ଆତଙ୍କବାଦରୂପକ ଅକ୍ଟୋପସର ମୁଣ୍ଡ ବୋଲି ବର୍ଣ୍ଣନା କରିଛନ୍ତି। ଆୟାତୋଲ୍ଲା ତେହେରାନରେ ଥିବା ତାଙ୍କ ପ୍ରାସାଦରେ ସୁରକ୍ଷିତ ଭାବରେ ବସିଥିବା ବେଳେ ଏହି ଅକ୍ଟୋପସ ଆମକୁ ହତ୍ୟା କରିବା ପାଇଁ ତା’ର ଶୁଣ୍ଢଗୁଡ଼ିକୁ (ହମାସ, ହେଜବୁଲ୍ଲା, ହୁତି ଇତ୍ୟାଦି) ପଠାଇଥିଲା। ଏହି ଶୁଣ୍ଢଗୁଡିକ ସାମୟିକ ଭାବରେ ପକ୍ଷାଘାତଗ୍ରସ୍ତ ହେବା ପରେ ଏବେ ମୁଣ୍ଡ ଆସୁଛି ଆକ୍ରମଣ କରିବାକୁ। ଆମେ ଆମ ପିଲାମାନଙ୍କ ଭବିଷ୍ୟତ ପ୍ରତି ଥିବା ଏହି ଭୟଙ୍କର ବିପଦକୁ ଦୂର କରିବା ଦରକାର। ଆମେ ଇରାନର ଲୋକମାନଙ୍କୁ ଏହାର ମହିଳା ଓ ଝିଅମାନଙ୍କୁ ଅତ୍ୟାଚାର କରୁଥିବା ଶାସନକୁ ଉଚ୍ଛେଦ କରିବାକୁ ସୁଯୋଗ ଦେଇପାରିବା ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି।

ଇସ୍ରାଏଲର ସାମରିକ ଅଭିଯାନରେ ହେଜବୁଲ୍ଲା ମୁଖ୍ୟ ହସନ ନସ୍ରଲ୍ଲା ଏବଂ ହମାସ ନେତା ଇସମାଇଲ ହାନିୟେହଙ୍କ ମୃତ୍ୟୁ ପରେ ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା। ତେଲ ଅବିବର ଅତ୍ୟାଧୁନିକ ପ୍ରତିରକ୍ଷା ବ୍ୟବସ୍ଥା ତେହେରାନ ଦ୍ୱାରା ପ୍ରକ୍ଷେପିତ ଅଧିକାଂଶ କ୍ଷେପଣାସ୍ତ୍ରକୁ ଅଟକାଇଥିଲା। ତେବେ କିଛି କ୍ଷେପଣାସ୍ତ୍ର ମାଡ଼ କରିବାରେ ସଫଳ ହୋଇଥିଲେ ବି ଇସ୍ରାଏଲରେ ବିଶେଷ କ୍ଷୟକ୍ଷତି ହୋଇନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button