ଇରାନ୍ ନ ଯିବାକୁ ନାଗରିକଙ୍କୁ ପରାମର୍ଶ

ନୂଆଦିଲ୍ଲୀ: ମଙ୍ଗଳବାର ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ସ୍ଥିତି ଜଟିଳ ହୋଇ ପଡ଼ିଥିବା ବେଳେ କେନ୍ଦ୍ର ସରକାର ବୁଧବାର ଭାରତୀୟ ନାଗରିକମାନଙ୍କୁ ଅତି ଜରୁରୀ ନ ଥିଲେ ଇରାନ ଗସ୍ତ ନ କରିବାକୁ ପରାମର୍ଶ ଦେଇଛନ୍ତି। ଅଧିକାରୀମାନେ ଇରାନରେ ଥିବା ଭାରତୀୟମାନଙ୍କୁ ସତର୍କ ରହିବା ଏବଂ ତେହେରାନରେ ଥିବା ଦୂତାବାସ ସହିତ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଇରାନ ମଙ୍ଗଳବାର ବିଳମ୍ବିତ ରାତିରେ ଇସ୍ରାଏଲ ଉପରକୁ ପ୍ରବଳ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଯଦିଚ ଇସ୍ରାଏଲ ଅଧିକାଂଶ କ୍ଷେପଣାସ୍ତ୍ରକୁ ଅଟକାଇଥିବା ଦାବି କରୁଛି, ତଥାପି ତେଲ୍ ଅବିବ ଓ ଆମେରିକୀୟ ଅଧିକାରୀମାନେ ତେହେରାନକୁ ‘ଗୁରୁତର ପରିଣାମ’ ପାଇଁ ଚେତାବନୀ ଦେଇଛନ୍ତି, ଯାହା ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ତେଲ୍ ଅବିବସ୍ଥିତ ଭାରତୀୟ ଦୂତାବାସ ମଧ୍ୟ ମଙ୍ଗଳବାର ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ଉପଦେଶାବଳି ଜାରି କରିଛି। ଭାରତୀୟମାନେ ସତର୍କତା ଅବଲମ୍ବନ କରିବା ସହ ଦେଶ ଭିତରେ ଅନାବଶ୍ୟକ ଯାତ୍ରାରୁ ଦୂରେଇ ରହିବାକୁ ହେବ। ଏହାସହିତ ସୁରକ୍ଷା ଆଶ୍ରୟସ୍ଥଳୀ ନିକଟରେ ରହିବାକୁ ପରାମର୍ଶ ଦିଆଯାଇଛି। ଦୂତାବାସ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ଆମର ସମସ୍ତ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଇସ୍ରାଏଲ କର୍ତ୍ତୃପକ୍ଷଙ୍କ ସହ ନିୟମିତ ଯୋଗାଯୋଗରେ ରହିଛି।
ସେପଟେ ଇରାନ ବୁଧବାର କହିଛି ଯେ ଇସ୍ରାଏଲ ଉପରେ ତା’ର କ୍ଷେପଣାସ୍ତ୍ର ଆକ୍ରମଣ ଶେଷ ହୋଇଛି, କାରଣ ତେହେରାନ ଅଧିକ ଉତ୍ତେଜନା ଏଡ଼ାଇବାକୁ ଚାହୁଛି। ଯଦି ଇସ୍ରାଏଲ ସରକାର ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନ ନିଅନ୍ତି, ତେବେ ଆମର କାର୍ଯ୍ୟାନୁଷ୍ଠାନ ଶେଷ ହୋଇଛି ବୋଲି ବୁଝିବାକୁ ହେବ। ନ ହେଲେ ଆମେ କଡ଼ା ଜବାବ ଦେବୁ ବୋଲି ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାକି ଟ୍ୱିଟ୍ କରି କହିଛନ୍ତି। ଇତିମଧ୍ୟରେ ଇସ୍ରାଏଲ ଉଭୟ ଲେବାନନ ଓ ଗାଜାରେ ବୋମାମାଡ଼ ଓ ସ୍ଥଳ ଆକ୍ରମଣକୁ ଜୋରଦାର କରିଛି, ଯେଉଁଥିରେ ଅନେକ ଲୋକ ମୃତାହତ ହୋଇଥିବା ସୂଚନା ମିଳିଛି।