ଦେଶ- ବିଦେଶ

ସାଟେଲାଇଟ୍‌ର ପରିଭାଷା ବଦଳାଉଛି ‘କ୍ୟୁବ୍‌ସାଟ୍‌’

ହାକାଶରେ ବିଭିନ୍ନ ମହାଜାଗତିକ ପ୍ରକ୍ରିୟାର ଅନୁଶୀଳନ ପାଇଁ ମଣିଷ କୃତ୍ରିମ ଉପଗ୍ରହମାନ ପଠାଇ ପରୀକ୍ଷାନିରୀକ୍ଷା ଜାରି ରଖିଛି। ସୁତରାଂ ପୃଥିବୀ ବାହାରକୁ ଉପଗ୍ରହ ପଠାଇବା ଆଉ ନୂଆ କଥା ହୋଇ ରହିନାହିଁ। ୧୯୫୭ ମସିହାରେ ସୋଭିଏତ ସଂଘ ‘ସ୍ପଟ୍ନିକ୍-୧’ ନାମକ ପ୍ରଥମ ଉପଗ୍ରହ ମହାକାଶକୁ ଛାଡ଼ିଥିବା ବେଳେ ସମ୍ପ୍ରତି ୧୦ ହଜାରରୁ ଅଧିକ ସକ୍ରିୟ କୃତ୍ରିମ ଉପଗ୍ରହ ପୃଥିବୀକୁ ପ୍ରଦକ୍ଷିଣ କରୁଛନ୍ତି।

ପ୍ରାୟ ସବୁଗୁଡ଼ିକ ଯୋଗାଯୋଗ, ଦିଗନିର୍ଣ୍ଣୟ, ସାମରିକ ରଣନୀତି, ପ୍ରଯୁକ୍ତିବିଦ୍ୟାର ବିକାଶ ଅଥବା ପୃଥିବୀ ବିଜ୍ଞାନ ସମ୍ପର୍କରେ ତଥ୍ୟ ସଂଗ୍ରହରେ ନିୟୋଜିତ। ସେମାନଙ୍କ ଭିତରୁ ଅତି ଅଳ୍ପ, ଏପରିକି ୩ ପ୍ରତିଶତରୁ କମ୍ ଉପଗ୍ରହ ଅନ୍ତରୀକ୍ଷ ଅନୁଶୀଳନରେ ବ୍ୟସ୍ତ ଅଛନ୍ତି। ଅନୁସନ୍ଧାନର ପରିସରକୁ ଦୃଷ୍ଟିରେ ରଖି ଉପଗ୍ରହଗୁଡ଼ିକରେ ନାନା ପ୍ରକାର ସରଞ୍ଜାମ ମଧ୍ୟ ଖଞ୍ଜାଯାଉଛି। ତଦନୁଯାୟୀ ତାହାର କଳେବର ମଧ୍ୟ ବୃହତ୍ତର ହେଉଛି। ତେବେ ଅନ୍ତରୀକ୍ଷରେ ଏଭଳି ଗବେଷଣା ପାଇଁ ବୃହତ୍କାୟ ଉପଗ୍ରହଗୁଡ଼ିକ ଅପେକ୍ଷା ଅତି କ୍ଷୁଦ୍ର ଉପଗ୍ରହଗୁଡ଼ିକ ଅଧିକ ଉପାଦେୟ ସାବ୍ୟସ୍ତ ହେଉଥିବା ଜଣାଯାଇଛି। ଏ ପରିପ୍ରେକ୍ଷୀରେ ‘କ୍ୟୁବ୍ସାଟ୍’ ନାମକ କ୍ଷୁଦ୍ରତମ ଘନାକାର କୃତ୍ରିମ ଉପଗ୍ରହଗୁଡ଼ିକ ଚର୍ଚ୍ଚାର ବିଷୟ ହୋଇଛି।

ଅନ୍ତରୀକ୍ଷରେ ଗବେଷଣା ପାଇଁ ବୃହତ୍କାୟ ଉପଗ୍ରହ ଅପେକ୍ଷା ଅତିକ୍ଷୁଦ୍ର ‘କ୍ୟୁବ୍ସାଟ୍’ ଉପଗ୍ରହ ଅଧିକ ଉପାଦେୟ। ଏହାର ନିର୍ମାଣ ଖର୍ଚ୍ଚ ବହୁତ କମ୍ ହୋଇଥିବାରୁ ଏହାର ବିକଳ୍ପ ନାହିଁ ବୋଲି ବୈଜ୍ଞାନିକମାନେ କହୁଛନ୍ତି।

ଅଧିକାଂଶ କ୍ୟୁବ୍ସାଟ୍ର ଓଜନ କ୍ରିକେଟ୍ ବଲର ଓଜନ ଠାରୁ ମଧ୍ୟ କମ୍। କିଛି କ୍ୟୁବ୍ସାଟ୍ ଏତେ କ୍ଷୁଦ୍ର ଯେ ତାହାକୁ ହାତ ପାପୁଲିରେ ଧରିହେବ। ମାତ୍ର ଟିକି ସାପର ବିଷ ଟାଣ ନ୍ୟାୟରେ ଏହି ଉପଗ୍ରହଗୁଡ଼ିକର ଅନ୍ତରୀକ୍ଷ ଅନୁଶୀଳନ କଳ୍ପନାତୀତ ଭାବେ ଅଧିକ। ଆକାରରେ କ୍ଷୁଦ୍ର ତଥା ଶସ୍ତା ହେବା ସହ ଏହି ଉପଗ୍ରହଗୁଡ଼ିକର କ୍ଷିପ୍ରତା ହିଁ ମହାକାଶ ବିଜ୍ଞାନୀଙ୍କ ଅନ୍ବେଷଣରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ସାଧାରଣ ଆକୃତି ବିଶିଷ୍ଟ କ୍ୟୁବ୍ସାଟ୍ର ଓଜନ ୪ ପାଉଣ୍ଡ୍ ବା ୨ କିଲୋଗ୍ରାମ୍। ଏହାର ନିର୍ମାଣ ଖର୍ଚ୍ଚ ବହୁତ କମ୍ ଥିବାରୁ ଏତେ ଶସ୍ତାରେ ମହାକାଶ ସମ୍ବନ୍ଧରେ ଜ୍ଞାନ ଆହରଣ କରିବାରେ କ୍ୟୁବ୍ସାଟ୍ର ବିକଳ୍ପ ନାହିଁ ବୋଲି ବୈଜ୍ଞାନିକମାନେ ସ୍ବୀକାର କରନ୍ତି। ବହୁବିଧ ଉଦ୍ଦେଶ୍ୟ ସାଧନ ପାଇଁ ପାରମ୍ପରିକ କୃତ୍ରିମ ଉପଗ୍ରହଗୁଡ଼ିକରେ ମାତ୍ରାଧିକ ଯନ୍ତ୍ରପାତି ଖଞ୍ଜିବା ଅପେକ୍ଷା ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପାଇଁ ଗୋଟିଏ କରି କ୍ୟୁବ୍ସାଟ୍କୁ ଉପଯୋଗ କରି ସହଜରେ ଓ ଶସ୍ତାରେ ସଂଖ୍ୟାଧିକ କ୍ୟୁବ୍ସାଟ୍ ଦ୍ବାରା ଅଧିକ ଫଳାଫଳ ମିଳିପାରିବ।

ପୃଥିବୀ ବାହାରର ଗ୍ରହ ଆବିଷ୍କାର ହେଉ କି କୌଣସି ଗ୍ରହାଣୁପୁଞ୍ଜର ଆକାର ମାପିବା ହେଉ, ଏହି କ୍ୟୁବ୍ସାଟ୍ଗୁଡ଼ିକର ଭୂମିକା ଗୁରୁତ୍ବପୂର୍ଣ୍ଣ। ସବୁଠୁ ବଡ଼ କଥା ହେଲା, ଏଗୁଡ଼ିକ ଏତେ ଶସ୍ତା ଯେ, କୌଣସି ସାଧାରଣ ଘରୋଇ କମ୍ପାନି ବା ବିଶ୍ବବିଦ୍ୟାଳୟର ପରୀକ୍ଷାଗାର ମଧ୍ୟ କ୍ୟୁବ୍ସାଟ୍ ହାସଲ କରିବା ପାଇଁ ସକ୍ଷମ ହୋଇପାରୁଛନ୍ତି। ସେମାନଙ୍କ କ୍ଷୁଦ୍ର କଳେବର ଯୋଗୁଁ ବହୁସଂଖ୍ୟାରେ କ୍ୟୁବ୍ସାଟ୍କୁ ମଧ୍ୟ ମହାକାଶକୁ ଏକକାଳୀନ ଉତ୍କ୍ଷେପଣ କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button