ରାଜ୍ୟ

ଏମ୍‌କେସିଜି ମେଡିକାଲ୍‌ ଅବ୍ୟବସ୍ଥାର ଗୁମର କଥା: କାମରେ ଲାଗୁନି ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ୟୁନିଟ୍‌

ବ୍ରହ୍ମପୁର: ଏମ୍କେସିଜି ବଡ଼ଡାକ୍ତରଖାନା ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ଦିଗକୁ ସରକାର ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ସୁପର୍ସ୍ପେସାଲିଟି ବିଭାଗ ସହ ପ୍ରତ୍ୟେକ ବିଭାଗ ପାଇଁ ନୂତନ କୋଠା ତିଆରି ହୋଇଛି। କିନ୍ତୁ ଆବଶ୍ୟକ ରକ୍ଷଣାବେକ୍ଷଣ ଓ ନିମ୍ନମାନର କାମ ଯୋଗୁ ବିଭିନ୍ନ ସମୟରେ କୋଠାରୁ ସିଲିଂ ଖସିବା ଘଟଣା ଦେଖିବାକୁ ମିଳିଛି।

ଏମ୍କେସିଜି ମେଡିକାଲ ପରିସରରେ ଥିବା ପୋର୍ଟେବଲ୍ ହେଲ୍ଥ କେୟାର୍ ୟୁନିଟ୍ (ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ୟୁନିଟ୍) ବ୍ୟବହାର ନହୋଇ ପଡ଼ି ରହିଛି। ତାହା କାମରେ ଲାଗୁ ନଥିବାରୁ ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି। ପ୍ରତ୍ୟେକ ୟୁନିଟ୍ରେ ତାଲା ଝୁଲୁଛି। ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଥିବା ଏହି ୟୁନିଟ୍ ବର୍ତ୍ତମାନ ରୋଗୀଙ୍କ ପାଇଁ ବ୍ୟବହାର ହୋଇପାରୁ ନାହିଁ। କର୍କଟ ରୋଗ ନିଦାନ ବିଭାଗ ପଛପଟେ ଏହି ପୋର୍ଟେବଲ୍ ହେଲ୍ଥ କେୟାର୍ ୟୁନିଟ୍ ରହିଛି। ସେଠାରେ ରୋଗୀଙ୍କ ପାଇଁ ୫୦ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଡାକ୍ତରଙ୍କ ଚାମ୍ବର ଠାରୁ ଆରମ୍ଭ କରି ଡ୍ୟୁଟି ରୁମ୍, ସାଧାରଣ ଶଯ୍ୟା, ଆଇସିୟୁ ଭଳି ସମସ୍ତ ବ୍ୟବସ୍ଥା ରହିଛି। ପ୍ରତ୍ୟେକ ୟୁନିଟ୍ ଛୋଟ ଛୋଟ କୋଠରିରେ ତିଆରି ହୋଇଛି।

ୟୁନିଟ୍ଗୁଡ଼ିକରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ସହିତ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସୁବିଧା ରହିଛି। କରୋନା ସମୟରେ ୨୦୨୧ ଡିସେମ୍ବର ୧୨ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍ଘାଟନ କରିଥିଲେ। କରୋନା ଆକ୍ରାନ୍ତ ସଂକଟାପନ୍ନ ରୋଗୀଙ୍କୁ ସେଠାରେ ଚିକିତ୍ସା କରାଯାଉଥିଲା। ଏହି ୟୁନିଟ୍ର କୋଠରିଗୁଡ଼ିକ ଅଲଗା ଅଲଗା ହୋଇ ଥିବାରୁ ସଂକ୍ରମଣ ବ୍ୟାପିବାର ଭୟ ନଥିଲା। ପରେ କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହେବାରୁ ରୋଗୀଙ୍କୁ ସେଠାକୁ ସ୍ଥାନାନ୍ତର କରାଯାଇଥିଲା। କରୋନା ଥମିବା ପରେ ସେହି ୟୁନିଟ୍କୁ ବିଶୋଧନ କରାଯାଇ ତାକୁ କର୍କଟ ରୋଗ ନିଦାନ ବିଭାଗରେ ରୂପାନ୍ତର କରାଯାଇଥିଲା। କାରଣ କର୍କଟ ରୋଗ ବିଭାଗରେ ଶଯ୍ୟାର ଅଭାବ ରହିଥିଲା। ଏବେ ସେହି ୟୁନିଟ୍ରେ ଆଉ ରୋଗୀଙ୍କୁ ରଖାଯାଉ ନାହିଁ। ଏଣୁ ଏହି ଅତ୍ୟାଧୁନିକ ପୋର୍ଟେବଲ୍ ହେଲ୍ଥ କେୟାର୍ ୟୁନିଟ୍ ବ୍ୟବହାର ନହୋଇ ପଡ଼ି ରହିଛି।

ସେହି ୟୁନିଟ୍ ମେଡିକାଲ ପରିସରରେ ଥିଲେ ସୁଦ୍ଧା ଅଲଗା ହୋଇ ରହିଛି। ଏଠାରେ ବିଭିନ୍ନ ସଂକ୍ରାମକ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ପୃଥକାବାସରେ ରଖାଯିବାକୁ ଯୋଜନା କରାଯାଇଥିଲା। ହେଲେ ତାହା ମଧ୍ୟ ସମ୍ଭବ ହୋଇ ନଥିଲା। ଏ ସମ୍ପର୍କରେ ଏମ୍କେସିଜି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା.ସୁଚିତ୍ରା ଦାଶ କହିଛନ୍ତି, ସେହି ୟୁନିଟ୍ରେ ନିରାଶ୍ରୟ ବୃଦ୍ଧ-ବୃଦ୍ଧା ରୋଗୀଙ୍କୁ ରଖିବାକୁ ବିଚାର କରାଯାଇଥିଲା। କିନ୍ତୁ ୟୁନିଟ୍ର କ୍ୟାବିନ୍ଗୁଡ଼ିକ ପ୍ରବେଶ ରାସ୍ତା ଉଚ୍ଚରେ ରହିଥିବା ବେଳେ ପାହାଚ ମଧ୍ୟ ନାହିଁ। ଏଣୁ ସେଠାକୁ ବୟସ୍କ ରୋଗୀ ଚଢ଼ି ପାରିବେ ନାହିଁ। ୟୁନିଟ୍କୁ ସଫା କଲେ ପାଣି ଯିବା ପାଇଁ ରାସ୍ତା ନାହିଁ। ସଫା ନକଲେ ତାହା ନଷ୍ଟ ହୋଇଯିବ। ଏଣୁ ସେହି ୟୁନିଟ୍ରେ ଲାଗିଥିବା ସାମଗ୍ରୀ ଅନ୍ୟ ବିଭାଗରେ ବ୍ୟବହାର କରି କୋଠରିକୁ ଅନ୍ୟ କାର୍ଯ୍ୟରେ ଲଗାଇବା ଦିଗରେ ଚିନ୍ତା କରାଯାଉଛି ବୋଲି ପ୍ରଫେସର ଦାଶ ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button