ରାଜ୍ୟ

ଚିନ୍ତା ବଢ଼ାଉଛି ନିଯୁକ୍ତି ପରୀକ୍ଷା ବିଭ୍ରାଟ, ପ୍ରଶ୍ନପତ୍ର ପ୍ରଘଟ, ପରୀକ୍ଷା କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ

ଭୁବନେଶ୍ୱର ୦୨/୧୦: ଦିନକୁ ଦିନ ଚିନ୍ତା ବଢ଼ାଉଛି ନିଯୁକ୍ତି ପରୀକ୍ଷା ବିଭ୍ରାଟ । କେତେବେଳେ ପ୍ରଶ୍ନପତ୍ର ପ୍ରଘଟ ତ ଆଉ କେତେବେଳେ ପରୀକ୍ଷା କେନ୍ଦ୍ରରେ ଅବ୍ୟବସ୍ଥା । ସେହିପରି ଚାକିରି ବିକ୍ରି ଏବଂ ବ୍ଲାକଲିଷ୍ଟ ହୋଇଥିବା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରାଯାଉଥିବା ଅଭିଯୋଗ ହେଉଛି । ଖାଲି ସେତିକି ନୁହେଁ, ନିଯୁକ୍ତି ଆଶାୟୀମାନେ ବାରମ୍ବାର ମାଳମାଳ ଅଭିଯୋଗ ନେଇ ଆନ୍ଦୋଳନ କରୁଥିଲେ ମଧ୍ୟ ସୁଫଳ ମିଳୁନି ।

ନିଯୁକ୍ତିକାରୀ ସଂସ୍ଥା ବେପରୁଆ ହୋଇଗଲେଣି । କଲ୍ୟାଣ ମଣ୍ଡପ ଏବଂ ସାଇବର କାଫେ ଭଳି ସ୍ଥାନରେ ପରୀକ୍ଷା କରୁଛନ୍ତି । ପରୀକ୍ଷା ଧାର୍ଯ୍ୟ ସମୟର ବିଳମ୍ବରେ ଆରମ୍ଭ ହେଉଛି । ନିଯୁକ୍ତିକାରୀ ସଂସ୍ଥାର ସୁରକ୍ଷା କବଚରେ ବାରମ୍ବାର ଘଳିଆ ମେଲିବାରେ ଲାଗିଛି । ତେଣୁ ଢୋଲ ଭିତର ମୂଷା ନଧରିବା ଯାଏ ଏମିତି ବିଶୃଙ୍ଖଳା ରୋକିବା କଷ୍ଟକର ବୋଲି ଶିକ୍ଷାବିତ୍ମାନେ କହୁଛନ୍ତି ।

ସୋମବାର ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସଏସଏସସି) ପକ୍ଷରୁ ରାଜସ୍ୱ ନିରୀକ୍ଷକ(ଆର୍ଆଇ), ଆଇସିଡଏସ୍ ସୁପରଭାଇଜର, ଅମିନ ଓ ଏସ୍ଏଫ୍ଏସ୍ ପାଇଁ ଅନ୍ଲାଇନ୍ ପରୀକ୍ଷା ଥିଲା । ରାଜଧାନୀର ନୟାପଲ୍ଲୀରେ ଏକ ସେଣ୍ଟର କରାଯାଇଥିଲା, ଯେଉଁଠି ପରୀକ୍ଷା ଦେବା ପାଇଁ ଉପଯୁକ୍ତ ପରିବେଶ ନଥିଲା । ପରୀକ୍ଷାର୍ଥୀଙ୍କୁ ରୋଷେଇ ଘରେ ଯାଞ୍ଚ କରାଯାଇଥିଲା । ସେହି ବିଲ୍ଡିଂରେ କଲ୍ୟାଣ ମଣ୍ଡପ, ରେଷ୍ଟୁରାଣ୍ଟ, ହୋମିଓପାଥି କ୍ଲିନିକ୍ ଚାଲୁଛି । ଏପରିକି ଧାର୍ଯ୍ୟ ସମୟର ୧ ଘଣ୍ଟା ବିଳମ୍ବରେ ପରୀକ୍ଷା ହୋଇଥିଲା । ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ପାଇଁ ପରୀକ୍ଷା ଏପରି ପରିବେଶରେ କରାଯାଉଛି । ଏହାକୁ ଦେଖି ପିଲାମାନେ ବିରୋଧ କରିଥିଲେ । ହେଲେ ଶୁଣିବ କିଏ?

Related Articles

Leave a Reply

Your email address will not be published. Required fields are marked *

Back to top button