ରାଜ୍ୟ

ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ : ୩ଗିରଫ

ବାଣପୁର : ଏସିଆ ମହାଦେଶର ସର୍ବ ବୃହତ ଶାଳ ଶାଗୁଆନ ଜଙ୍ଗଲ ବରବରାରେ କାଠ ଚୋରଙ୍କ ଉତ୍ପାତ ବଢିବାରେ ଲାଗିଛି । ରବିବାର ରାତିରେ ଏକ ପିକ୍‌ଅପ ଭ୍ୟାନରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଶାଗୁଆନ କାଠ ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ବନାଞ୍ଚଳ ଅଧିକାରୀ ଚଢାଉ କରି କାଠ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛନ୍ତି । ରବିବାର ରାତିରେ ବରବରା ଜଙ୍ଗଲରୁ ମୂଲ୍ୟବାନ ଶାଗୁଆନ କାଠ ଚୋରା ଚାଲାଣ ହେବାକୁ ଥିବା ବିଷୟ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କୁ ସୂଚନା ମିଳିଥିଲା।

ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ବନପାଳ ପୂର୍ଣ୍ଣଚନ୍ଦ୍ର ସୋରେନ, ବିଶ୍ୱଜୀତ ପ୍ରଧାନ, ନିହାର ରଞ୍ଜନ ପ୍ରଧାନ, ଅଜୁ ଶବର ପ୍ରମୁଖ ବରବରା ଗ୍ରାମ ଛକରେ ଛପି ରହିଥିଲେ । ରାତ୍ରି ପ୍ରାୟ ସାଢେ ଆଠଟାରେ ଶାଗୁଆନ କାଠ ବୋଝେଇ କରି ଏକ ପିକ୍‌ଅପ ଭ୍ୟାନ ଉକ୍ତ ରାସ୍ତାରେ ଯିବା ବେଳେ ବନ ଅଧିକାରୀମାନେ ଗାଡି ଅଟକାଇ ତନଖି କରିଥିଲେ । ଗାଡିରୁ ୪୦ଫୁଟରୁ ଉର୍ଦ୍ଧ୍ୱ ଆଠଟି ଶାଗୁଆନ କାଠ ଗଣ୍ଡି ଜବତ କରିବା ସହ ଗାଡିରେ ଥିବା ଗଞ୍ଜାମ ଜିଲା ବେଗୁନିଆ ପଡା କୁମାରୀପାରୀ ଗ୍ରାମର ବିଷ୍ଣୁ ସ୍ୱାଇଁ, ରାଜୀବ କୁମାର ସ୍ୱାଇଁ ଓ ନିକଟସ୍ଥ ମନ୍ଦାର ଗ୍ରାମର ସାଗର ଶବରକୁ ଗିରଫ କରିଥିଲେ । ଏନେଇ ସୋମବାର ଏକ ମକଦ୍ଦମା ରୁଜୁ କରି ସମସ୍ତ ତିନି ଜଣଙ୍କୁ ଅଦାଲତ ଚାଲାଣ କରାଯାଇଛି । ଜବତ କାଠର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକା ହେବ ବୋଲି ବନ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ତେବେ କିଛି ଦିନ ଧରି ବରବରା ଜଙ୍ଗଲରେ ଏକ ମହାବଳ ବାଘ ବୁଲୁଥିବା ଭିଡିଓ ସ୍ଥାନୀୟ ଅଞ୍ଚଳରେ ଭାଇରାଲ ହୋଇଥିଲା । ତେବେ ଏହା ଏକ ଗୁଜବ ଏବଂ ଜଙ୍ଗଲରୁ ମୂଲ୍ୟବାନ ଶାଳ ଶାଗୁଆନ କାଠ ଚୋରି କରିନେବା ପାଇଁ କାଠ ଚୋରଙ୍କ କାରସାଦି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଥିଲା । ବର୍ତ୍ତମାନ ଏହା ସତ୍ୟ ପ୍ରମାଣିତ ହୋଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button