ଦେଶ- ବିଦେଶ

ଲେବାନନରେ ପେଜର ପରେ ପୁଣି ୱାକିଟକି ବିସ୍ଫୋରଣ: ୨୦ଜଣଙ୍କ ମୃତ୍ୟୁ, ୪୫୦ରୁ ଅଧିକ ଆହତ

ଗାତାର ବିସ୍ଫୋରଣ । ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ ନୂତନ ଘଟଣା ଏବେ ସମଗ୍ର ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି । ଏବେ ବିସ୍ଫୋରଣରେ ଥରୁଛି ଲେବାନନ । ପେଜର ପରେ ୱାକିଟକି ବିସ୍ଫୋରଣ । ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ସଦସ୍ୟଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ମଙ୍ଗଳବାର ପେଜର ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା ।

ପ୍ରାୟ ୩ ହଜାର ଲୋକ ଆହତ ହୋଇଥିଲେ ।

ପେଜର ହେଉଛି ଏକ ଇଲେକ୍ଟ୍ରୋନିକ୍ସ ଡିଭାଇସ । ମେସେଜ୍ ପଠାଇବା ଏବଂ ପଢିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ରେଡିଓ ସିଗନାଲ୍ ଦ୍ୱାରା ଏହା ମେସେଜ୍ ରିସିଭ୍ କରିଥାଏ । ମୋବାଇଲ୍ ନଥିବା ବେଳେ ଏହାର ବହୁଳ ବ୍ୟବହାର ହେଉଥିଲା । ୧୯୯୦ ଦଶକରେ ବେଶ୍ ଲୋକପ୍ରିୟ ଥିଲା ପେଜର ।

ବିଶେଷ କରି ଡାକ୍ତର, ବ୍ୟବସାୟୀ ଏବଂ ଜରୁରୀ ସେବା ସହ ଜଡିତ ବ୍ୟକ୍ତି ଏହାକୁ ବ୍ୟବହାର କରୁଥିଲେ । ପେଜରର ସବୁଠାରୁ ବଡ ଫିଚର୍ସ ହେଉଛି ଏହା କୌଣସି ନେଟୱାର୍କ ସହିତ କନେକ୍ଟ ହେବା ଆବଶ୍ୟକ ନାହିଁ, ଏହା କେବଳ ରେଡିଓ ସିଗନାଲରେ କାମ କରେ । ତେବେ ଗତକାଲି ପୁଣି ୱାକିଟକି ଏବଂ ଅନ୍ୟ ଇଲେକଟ୍ରୋନିକ ଡିଭାଇସରେ ବିସ୍ଫୋରଣ ହୋଇଛି । ଲେବାନନର ରାଜଧାନୀ ବିରୁଟର ଦକ୍ଷିଣାଞ୍ଚଳରେ ଏହି ବିସ୍ଫୋରଣ ହୋଇଛି । ଏଥିରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି । ୪୫୦ରୁ ଅଧିକ ଆହତ ହୋଇଛନ୍ତି ।

ପେଜର ବିସ୍ଫୋରଣରେ ମୃତକମାନଙ୍କ ଅନ୍ତିମ ସଂସ୍କାର ଚାଲିଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା । ୱାକିଟକି ସହ ବିରୁଟରେ କିଛି ଘରୋଇ ସୋଲାର ଏନର୍ଜୀ ସିଷ୍ଟମରେ ମଧ୍ୟ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣ ହୋଇଥିବା ୱାକିଟକି ହିଜବୁଲ୍ଲା ପକ୍ଷରୁ ୫ ମାସ ପୂର୍ବେ କିଣା ଯାଇଥିଲା । ମଙ୍ଗଳବାର ବିସ୍ଫୋରଣ ହୋଇଥିବା ପେଜରଗୁଡିକ ସହିତ ଏହି ୱାକିଟକିଗୁଡିକ ମଧ୍ୟ କିଣାଯାଇଥିବା ହିଜବୁଲ୍ଲା ପକ୍ଷରୁ କୁହାଯାଇଛି ।

ଉଭୟ ପେଜର ଓ ୱାକିଟକି ବିସ୍ଫୋରଣ ସମାନ ଧରଣର ହୋଇଛି । ବିସ୍ଫୋରଣ ପାଇଁ ସିଧା ସଳଖ ଇସ୍ରାଏଲ ଗୁଇନ୍ଦା ସଂସ୍ଥାକୁ ମୋସାଦକୁ ଦାୟୀ କରିଛି ହିଜବୁଲ୍ଲା । ଇସ୍ରାଏଲ ଉପରେ ଭୟଙ୍କର ପ୍ରତିଶୋଧ ନେବାକୁ ଶପଥ ନେଇଛି । ବିସ୍ଫୋରଣ ପରେ ହିଜବୁଲ୍ଲା ପକ୍ଷରୁ ଇସ୍ରାଏଲ ଉପରେ ରକେଟ ଆକ୍ରମଣ ହୋଇଛି। ଅନ୍ୟପଟେ ପେଜର ବିସ୍ଫୋରଣ ପରେ ନୂଆ ପର୍ଯ୍ୟାୟ ଯୁଦ୍ଧ ଘୋଷଣା କରିଥିଲେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ। ତା ପରେ ୱାକିଟକି ବିସ୍ଫୋରଣ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button