ରାଜ୍ୟ

ମାଲକାନଗିରି ଜିଲ୍ଲା ଲଗାଣ ବର୍ଷାରେ ବେହାଲ, ଆସନ୍ତାକାଲି ବନ୍ଦ ରହିବ ସ୍କୁଲ

ମାଲକାନଗିରି: ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ସ୍ଥିତି ସଙ୍ଗିନ ହୋଇପଡିଛି। ବୁଡିଛି ଜାତୀୟ ରାଜପଥର ସମସ୍ତ ପୋଲ। ପୋଲ ଉପରେ ୮ରୁ ୧୦ ଫୁଟର ପାଣି ବୋହୁଛି। ମାଲକାନଗିରି ଜିଲ୍ଲାର ସମସ୍ତ ବ୍ଲକକୁ ଯାତାୟତ ଠପ ହୋଇଯାଇଛି । ପୋଟେରୁ ଗାଁରେ ୧୦ ଫୁଟର ପାଣି ପ୍ରବାହିତ ହେଉଥିବାବେଳେ ମାଲକାନଗିରି ଜିଲ୍ଲା ଏକ ପ୍ରକାର ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି।

ଯାହା ଫଳରେ ଯାତାୟାତ ଠପ୍ ହୋଇଯାଇଛି।

ପାଙ୍ଗାମ ନଦୀ ପୋଲ ଉପରେ ୧୦ ଫୁଟର ପାଣି ପ୍ରବାହିତ ହେଉଥିବାରୁ ଜୟପୁର ମାଲକାନଗିରି ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି। ସେହିଭଳି ଏମଭି-୭ ନିକଟରେ ତମସା ନଦୀ ଜାତୀୟ ରାଜପଥକୁ ଗିଳିଛି। ପୋଟେରୁ ,କାଙ୍ଗୁରୁକୁଣ୍ଡା,ଏମଭି-୯୦,ଏମଭି-୯୬ ,ପାଙ୍ଗାମ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଛି। ସେହିଭଳି ପୋଟେରୁ ନଦୀର ପାଣି ବଢିଯିବାରୁ ପୋଟେରୁ ଗାଁ ଭିତରେ ପଶିବାରୁ ଲୋକେ ତ୍ରାହିତ୍ରାହୀ ଡାକ ଛାଡିଲେଣି।ପ୍ରଶାସନ ତରଫରୁ ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯାଇଛି। ସମସ୍ତଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି।ଜାତୀୟ ରାଜପଥ କଡରେ ଶହ ଶହ ଟ୍ରକ ଠିଆ ହୋଇଛି। ସମସ୍ତ ଟ୍ରକ କର୍ମଚାରୀଙ୍କୁ ପ୍ରଶାସନ ତରଫରୁ ଖାଇବାର ବ୍ୟବସ୍ଥା ଏବଂ ରହିବାର ବ୍ୟବସ୍ଥା କରାଯାଇଥିବା କୁହାଯାଇଛି।

ବର୍ଷାରେ କେବଳ ଜାତୀୟ ରାଜପଥ ହିଁ ନୁହେଁ,ବରଂ ଜିଲ୍ଲାର ବଣ୍ଡାଘାଟି ରାସ୍ତାରେ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି। ସେହିପରି ଚିତ୍ରକୋଣ୍ଡା ରାସ୍ତାରେ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି। କୋରକୋଣ୍ଡା ବ୍ଲକର ନାକାମାମୁଡି ପଞ୍ଚାୟତର ବାୟାପଡା ରାସ୍ତା ସଂପୂର୍ଣ୍ଣ ଭାଙ୍ଗିଯାଇଛି। ଗତ ପନ୍ଦର ଦିନ ତଳେ ଏହି ରାସ୍ତା ବର୍ଷାରେ ଭାଙ୍ଗିଯାଇଥିବା ବେଳେ ସଂପୂର୍ଣ୍ଣ ଧୋଇ ହୋଇଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button