ଦେଶ- ବିଦେଶ

ଚାହିଦାରେ ଅକ୍ଷର ଶାଢ଼ି

୨୦୨୦ ମସିହାରେ ‘ଶକୁନ୍ତଳା ଦେବୀ’ ଚଳଚ୍ଚିତ୍ରର ପ୍ରଚାର ବେଳେ ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲନ ପିନ୍ଧିଥିବା ‘ସମ୍ବଲପୁରୀ ବାନ୍ଧ ଶ୍ରୀଗଣିତ ଶାଢ଼ି’ର ଚାହିଦା ବେଶ୍ ବଢ଼ିଯାଇଥିଲା। ପ୍ରତ୍ୟେକ ମହିଳା ଏହି ଗଣିତ ଶାଢ଼ି ଖୋଜି ଖୋଜି ପିନ୍ଧୁଥିଲେ। ସାଧାରଣତଃ ସମ୍ବଲପୁରୀ ଡିଜାଇନ୍ରେ ଶଙ୍ଖ, କୁମ୍ଭ, ଚକ୍ର ଆଦି ବହୁ ପାରମ୍ପରିକ କାରିଗରୀ ଲୋକେ ପୂର୍ବରୁ ପସନ୍ଦ କରିଥିଲେ।

ଚାହିଦା ଦେଖି କଳା ଓ ଗୋଲାପି ରଙ୍ଗ ସହ ବହୁ ରଙ୍ଗର ଶ୍ରୀଗଣିତ ଶାଢ଼ି କାରିଗରମାନେ ବୁଣିବା ଆରମ୍ଭ କରି ଦେଇଛନ୍ତି। ଆଗରୁ ଏହି ଶାଢ଼ି ୮ରୁ ୧୦ ହଜାର ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ବେଳେ ଚାହିଦା ଦେଖି ଏବେ ତାହାର ଦାମ୍ ବଢ଼ିଯାଇଛି। ଏହି ଶାଢ଼ି ଏବେ ୧୩ ହଜାରରୁ ଆରମ୍ଭ ହୋଇ ଡିଜାଇନ୍ ଅନୁଯାୟୀ ୨୬ ହଜାର ଟଙ୍କା ପର୍ଯ୍ୟନ୍ତରେ ବିକ୍ରି ହେଉଛି।

ଏହାର କଟନ୍, ମିକ୍ସ ସିଲ୍କ ଓ ପିୟୋର୍ ପାଟ ଆଦି ୩ରୁ ୪ଟି ରକମର ଶାଢ଼ି ଆସୁଛି। ଏହାର ମିକ୍ସ ପାଟ ଶାଢ଼ି ଦର ୧୩ ହଜାର ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ପିୟୋର ଶ୍ରୀଗଣିତ ପାଟର ଦାମ୍ ପ୍ରାୟ ୨୫ ହଜାର ଟଙ୍କା ଯାଏ ରହୁଛି। ଏହି ଶାଢ଼ିର ନିଆରା ସମୀକରଣ ମହିଳାଙ୍କୁ ଏକ ସମ୍ଭ୍ରାନ୍ତ ଲୁକ୍ ଦେଉଥିବାରୁ ଏହା ଅଫିସ୍ ପାର୍ଟିଠାରୁ ଆରମ୍ଭ କରି ବିବାହ ଭୋଜି ଯାଏ, ସବୁ ସ୍ଥାନକୁ ପିନ୍ଧି ଯିବା ପାଇଁ ଏକ ଉପଯୁକ୍ତ ବସ୍ତ୍ର ହୋଇପାରିଛି।

ଏହାକୁ ଆଖିରେ ରଖି ବିଭିନ୍ନ ପ୍ରକାର ଶାଢ଼ିରେ ଆହୁରି ବିଭିନ୍ନ ରକମର ଡିଜାଇନ୍ ବାହାରିଲାଣି। ଯେପରି ସ୍ବସ୍ତିକ ଚିହ୍ନ, ଓଁ ଚିହ୍ନ, ଇଂରେଜୀ ଓ ଓଡ଼ିଆ ଅକ୍ଷର, ବିଭିନ୍ନ ରଙ୍ଗର ସମିଶ୍ରଣ ଅକ୍ଷର ସହିତ ସର୍ବେ ଭବନ୍ତୁ ସୁଖିନଃ ଭଳି ଶ୍ଳୋକ ଲେଖାଯାଇଥିବା ଶାଢ଼ି ଆଜିକାଲିର ଟ୍ରେଣ୍ଡ୍ ଭାବେ ଉଭା ହୋଇଛି। ଏପରିକି ଏୗଶ୍ବର୍ଯ୍ୟା ରାୟ, ମାଧୁରୀ ଦିକ୍ଷୀତ, ସ୍ମୃତି ଇରାନୀ, ନୀତା ଅମ୍ବାନୀ ଓ ତାଙ୍କର ଝିଅ ଓ ବୋହୂ ମଧ୍ୟ ସମ୍ବଲପୁରୀ ଶାଢ଼ିକୁ ବେଶ୍ ପସନ୍ଦ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବଜେଟ୍ ଉପସ୍ଥାପନ ବେଳେ ସମ୍ବଲପୁରୀ ଶାଢ଼ି ପିନ୍ଧି ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛନ୍ତି।

କହିବାକୁ ଗଲେ, ଆଗରୁ ବିବାହ ବ୍ରତରେ ଦାମିକା ଶାଢ଼ି ହିସାବରେ ପ୍ରାୟତଃ ସମ୍ବଲପୁରୀ ପାଟ ବ୍ୟବହାର କରାଯାଉଥିଲା। ଗୋଟେ ସମୟରେ ନଣନ୍ଦ ପୁଟୁଳିରେ ପ୍ରଥମେ ସମ୍ବଲପୁରୀ ପାଟ ଖୋଜା ପଡୁଥିଲା। ଝିଅଟିଏ ବିବାହ ସମୟରେ ପାଟଟିଏ ନ ପିନ୍ଧିଲେ ଲୋକ ଖୁଣ କାଢୁଥିଲେ। ସେଥିପାଇଁ ବିବାହଠାରୁ ଅଷ୍ଟମଙ୍ଗଳା ପର୍ଯ୍ୟନ୍ତ ପାଟଶାଢ଼ି ହିଁ ଦିଆଯାଉଥିଲା। ତା’ ଭିତରେ ଲୁଚି ରହିଥିଲା ମାଟିର ମହକ, ବୁଣାକାରମାନଙ୍କ ସ୍ନେହଭରା ଆଶିଷ। ସେଥିପାଇଁ ଏବେର ବୁଣାକାର ମଧ୍ୟ ପାରମ୍ପରିକ ବୁଣା ସହିତ ବିଭିନ୍ନ ପ୍ରକାର ନୂତନ ଡିଜାଇନ୍ ଓ ପ୍ରିଣ୍ଟି୍ଂକୁ ନଜରରେ ରଖି ଶାଢ଼ି ବୁଣୁଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button