ରାଜ୍ୟ

ରାଜ୍ୟରେ ସକ୍ରିୟ ଆନ୍ଧ୍ର ବିଇଡି ଦଲାଲ

ଭୁବନେଶ୍ୱର: ରାଜ୍ୟରେ ବିଇଡି ନାମଲେଖା ଜାରି ରହିଥିବା ବେଳେ ‘ଆନ୍ଧ୍ର ବିଇଡି’ ପାଇଁ ଦଲାଲ ସକ୍ରିୟ ହୋଇଗଲେଣି। ଖୁବ୍‌ ସହଜରେ ଏବଂ ବିନା ପାଠପଢ଼ାରେ ବିଇଡି ଯୋଗ୍ୟତା ହାସଲ କରିବାର ସ୍ୱପ୍ନ ଦେଖାଉଛନ୍ତି। ଅର୍ଦ୍ଧସତ୍ୟ କହି ନାମଲେଖା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ରାଜି କରାଉଛନ୍ତି। ଥରେ ଜଣେ ରାଜି ହୋଇଗଲେ, ଚାଲାକି କରି ଆଗ ସେମାନଙ୍କ ଅସଲ ପ୍ରମାଣପତ୍ର ହାତେଇ ନେଉଛନ୍ତି।

ଫଳରେ ପରେ ଆଉ ପଛକୁ ଫେରିବାକୁ କିମ୍ବା ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ଛାତ୍ରଛାତ୍ରୀମାନଙ୍କ ପାଖରେ ସୁଯୋଗ ରହୁନି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଦଲାଲଙ୍କ କଥାରେ ପଡ଼ି ବହୁ ଛାତ୍ରଛାତ୍ରୀ ଠକେଇର ଶିକାର ହେଉଛନ୍ତି। ଆଡମିସନ୍‌ ସମୟରେ ଦଲାଲଙ୍କ ପ୍ରତିଶ୍ରୁତି ଓ ବାସ୍ତବ ସ୍ଥିତିରେ ମେଳ ଖାଉନାହିଁ। ଲକ୍ଷେରୁ ଦେଢ଼ଲକ୍ଷ ଟଙ୍କାରେ ବିଇଡି କରାଇଦେବାର ପ୍ରତିଶ୍ରୁତି ଦେଇ ଆଡମିସନ୍‌ କରାଇଦେବା ପରେ ଗୋଟିଏ ପରେ ଗୋଟିଏ ବାହାନା କରି ଶିକ୍ଷାନୁଷ୍ଠାନଗୁଡ଼ିକ ପର୍ଯ୍ୟାୟକ୍ରମେ ଛାତ୍ରଛାତ୍ରୀଙ୍କୁ ଶୋଷୁଛନ୍ତି। ଖାଲି ସେତିକି ନୁହେଁ, କିଛି ଦଲାଲ ଏନ୍‌ସିଟିଇ ଅନୁମୋଦନ ନଥିବା କଲେଜରେ ମଧ୍ୟ ଛାତ୍ରଛାତ୍ରୀଙ୍କ ନାମ ଲେଖାଇ ସେମାନଙ୍କୁ ଠକୁଛନ୍ତି।

ଆନ୍ଧ୍ର ବିଇଡି ପାଇଁ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟ ଓ ଆନ୍ଧ୍ର କେଶରୀ ବିଶ୍ୱବିଦ୍ୟାଳୟ ଦୁଇଟି ପରିଚିତ ନାମ। ଏହି ଦୁଇଟିରେ ନାମ ଲେଖାଇବା ପାଇଁ ରାଜ୍ୟରେ ବହୁ ଦଲାଲ୍‌ ସକ୍ରିୟ ହୋଇଛନ୍ତି। ଯେଉଁ ଛାତ୍ରଛାତ୍ରୀମାନେ ବିଇଡି ପ୍ରବେଶିକା ପରୀକ୍ଷା ଦେଇଛନ୍ତି, ସେମାନଙ୍କୁ ଫୋନ୍‌ କରି କେତେ ମାର୍କ ପାଇଛନ୍ତି, ପଚାରୁଛନ୍ତି। ସାମାନ୍ୟ କମ୍‌ ମାର୍କ ଥିଲେ ମଧ୍ୟ ଓଡ଼ିଶା ବିଇଡି ହେବ ନାହିଁ ବୋଲି କହିବା ସହ ବର୍ଷେ ନଷ୍ଟ ନକରି କମ୍‌ ଖର୍ଚ୍ଚରେ ଆନ୍ଧ୍ର ବିଇଡି କରିପାରିବେ କହି ପ୍ରଲୋଭିତ କରୁଛନ୍ତି। ନାଗାର୍ଜୁନ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କଲେଜରେ ପଢ଼ିବା ପାଇଁ ଦୁଇବର୍ଷର କୋର୍ସ ଫି’ ବାବଦକୁ ୧ ଲକ୍ଷ ୩୦ ହଜାର ଟଙ୍କା ପଡ଼ୁଛି। ସେହିପରି ଆନ୍ଧ୍ର କେଶରୀ ପାଇଁ ୧ ଲକ୍ଷ ଟଙ୍କାରେ ହୋଇଯାଉଥିବା କହୁଛନ୍ତି। ପରୀକ୍ଷା ସମୟରେ ସମସ୍ତ ସହଯୋଗ ମିଳୁଛି ଏବଂ ନିୟମିତ କ୍ଲାସ୍‌ ନକଲେ ମଧ୍ୟ କୌଣସି ଅସୁବିଧା ନାହିଁ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ଯିଏ ଟିକିଏ ବି ଦଲାଲଙ୍କ ଏହି ପ୍ରତିଶ୍ରୁତିରେ ଢଳୁଛି, ତା’ଠାରୁ ଆଗ ଅସଲ ସାର୍ଟିଫିକେଟ୍‌ ନେଇଯାଉଛନ୍ତି। ଫଳରେ ଛାତ୍ରଛାତ୍ରଙ୍କ ପାଖେ ଆଉ ପଛକୁ ଫେରିବା ବା ମନ ବଦଳାଇବାର ସୁଯୋଗ ରହୁନାହିଁ। କିନ୍ତୁ ଦଲାଲଙ୍କ ପ୍ରତିଶ୍ରୁତି ଓ ବାସ୍ତବ ସ୍ଥିତି ଭିନ୍ନ।

ନାଗାର୍ଜୁନ ବିଶ୍ୱବିଦ୍ୟାଳୟ ଅଧୀନରେ ପଢ଼଼଼ୁଥିବା ଜଣେ ଛାତ୍ରୀଙ୍କ କହିବା ଅନୁଯାୟୀ, ନାମଲେଖା ସମୟରେ ତାଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ପଡ଼ିବ ବୋଲି କୁହାଯାଇଥିଲା। ହେଲେ ନାମଲେଖା ପରେ ଆଉ ପାଖାପାଖି ଅଧିକ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। କ୍ଲାସ୍‌ ନକରି କେବଳ ପରୀକ୍ଷା ଦେଲେ ଉପସ୍ଥାନ ପାଇଁ ଅଧିକ ୧୫ହଜାର ଦେବାକୁ ପଡ଼ୁଛି। ସେହିପରି ୪ଟି ସେମିଷ୍ଟର୍‌ ପାଇଁ ଯିବାକୁ ପ୍ରତିଥର ପ୍ରାୟ ୨୦ ହଜାର ଲେଖାଏଁ ଦେବାକୁ ପଡ଼ୁଛି। ସେଥିମଧ୍ୟରେ ରହିବା ଓ ଖାଇବା ବ୍ୟବସ୍ଥା ସେମାନେ କରିଥା’ନ୍ତି। ଏନ୍‌ସିଟିଇ ଅନୁମୋଦନ ନଥିବା ବହୁ କଲେଜରେ ମଧ୍ୟ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଶିକ୍ଷାବିତ୍‌ଙ୍କ କହିବାନୁଯାୟୀ, ନାମଲେଖା ପାଇଁ ରାଜ୍ୟରେ ବିଇଡି ସିଟ୍‌ ତୁଳନାରେ ପ୍ରାୟ ୩୬ଗୁଣା ଛାତ୍ରଛାତ୍ରୀ ଆବେଦନ କରୁଛନ୍ତି। ଫଳରେ ଅବଶିଷ୍ଟ ଛାତ୍ରଛାତ୍ରୀ ଅନ୍ୟ ରାଜ୍ୟରେ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଆନ୍ଧ୍ର ବିଇଡି ରାଜ୍ୟରେ ଗ୍ରହଣୀୟ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ଉତ୍ସାହ ମଧ୍ୟ ରହିଛି। ଏଣୁ ନାମଲେଖା ପୂର୍ବରୁ ସମ୍ପୃକ୍ତ କଲେଜର ଅନୁମୋଦନ ଅଛି ନା ନାହିଁ ଯାଞ୍ଚ କରିବା ଆବଶ୍ୟକ। ଅରିଜିନାଲ ସାର୍ଟିଫିକେଟ ଦେବାକୁ ମଧ୍ୟ କୌଣସି ନିୟମ ନାହିଁ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସତର୍କତା ଓ ସଚେତନତା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button