ଆଖିବୁଜିଲା ଡେବ୍ରିଗଡ଼ର ଆକର୍ଷଣ ‘ଖରସେଲ୍’
ବୁର୍ଲା: ଡେବ୍ରିଗଡ଼ ଅଭୟାରଣ୍ୟରେ ଦୀର୍ଘ ବର୍ଷ ଧରି ଥିବା ହାତୀ ଖରସେଲ୍ର ଆଜି ମୃତ୍ୟୁ ଘଟିଛି। ଏ ସଂପର୍କରେ ଡେବ୍ରିଗଡ଼ ଡିଏଫ୍ଓ ଅଂଶୁପ୍ରଜ୍ଞା ଦାଶ ସୂଚନା ଦେଇଛନ୍ତି। ଖରସେଲ୍ର ବୟସ ୬୫ରୁ ଊର୍ଦ୍ଧ୍ବ। ମୃତ୍ୟୁର ୫ରୁ ୬ ମାସ ପୂର୍ବରୁ ତା’ର ଚଳପ୍ରଚଳ ଓ ଖାଦ୍ୟପେୟ କମି ଆସିଥିଲା। ଏହି ଘଟଣାକୁ ନେଇ ବନ୍ୟପ୍ରାଣୀପ୍ରେମୀଙ୍କ ମହଲରେ ଗଭୀର ଶୋକ ପ୍ରକାଶ ପାଇଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟର ପର୍ଯ୍ୟଟକ, କର୍ମଚାରୀ, ମାହୁନ୍ତ ଓ ଗାଁଲୋକେ ତାକୁ ଝୁରୁଛନ୍ତି।
ଗତ ପ୍ରାୟ ୬ ମାସ ହେଲା ଅସୁସ୍ଥତା ଯୋଗୁଁ ଖରସେଲ୍ ଖାଇବା ପିଇବା ଛାଡ଼ି ଦେଇଥିଲା। ଚାଲିବାରେ ମଧ୍ୟ ତାକୁ କଷ୍ଟ ହେଉଥିଲା। ଅଗଷ୍ଟ ୨୩ ତାରିଖ ଦିନ ଶେଷଥର ପାଇଁ ସେ ନିୟମିତ ଭାବେ ହୀରାକୁଦ ଜଳଭଣ୍ଡାରକୁ ଚାଲି ଚାଲି ଗାଧୋଇବା ପାଇଁ ଯାଇଥିଲା। କିନ୍ତୁ ସେହି ଦିନଠାରୁ ଖେରସେଲ୍ର ଅବସ୍ଥା ପୂରା ବିଗିଡ଼ି ଯାଇଥିଲା। ଠିଆ ହେବା ପରିବର୍ତ୍ତେ ଶୋଇ ରହୁଥିଲା। ଭୁବନେଶ୍ୱରସ୍ଥିତ ସେଣ୍ଟର ଅଫ୍ ୱାଇଲ୍ଡ ଲାଇଫ୍ ଷ୍ଟଡିର ଡାକ୍ତର ଇନ୍ଦ୍ରମଣି ନାଥଙ୍କ ପରାମର୍ଶକ୍ରମେ ଗତ ଅଗଷ୍ଟ ୨୪ରୁ ତା’ର ଚିକିତ୍ସା ଜାରି ରହିଥିଲା। ଶେଷରେ ଗତକାଲି ଅପରାହ୍ଣରେ ଖରସେଲ ସବୁଦିନ ପାଇଁ ଆଖି ବୁଜିଛି। ସମସ୍ତ କର୍ମଚାରୀ, କେୟାରଟେକର ଏବଂ ମାହୁନ୍ତ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ଉପସ୍ଥିତିରେ ଯେଉଁ ସ୍ଥାନରେ ଖରସେଲ୍କୁ ବନ୍ଦୀ କରି ରଖାଯାଇଥିଲା, ସେହି ସ୍ଥାନରେ ଗଛ ତଳେ ପୋତି ଦିଆଯାଇଛି। ଏହା ସେଠାରେ ଏକ ସମାଧି ପରି ନିର୍ମାଣ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।
ଖରସେଲ୍ର ଜୀବନ କାହାଣୀ ଯେତିକି ରୋଚକ ସେତିକି ଭୟାନକ। ୧୯୯୮ ମସିହାର କଥା। ଲାଙ୍ଗିର ଖରସେଲ ସଂରକ୍ଷିତ ଜଙ୍ଗଲରେ ଏକ ହାତୀ ତାଣ୍ଡବ ରଚିଥାଏ। ଅନେକଙ୍କ ପ୍ରାଣ ବି ନେଇଥାଏ। ହାତୀଟି ଗାଁରୁ ଆଉ ଜଙ୍ଗଲକୁ ଫେରିବାକୁ ଚାହୁଁନଥାଏ। ମଣିଷ ଦେଖିଲା ମାତ୍ରେ ଆକ୍ରମଣ କରିବା ସହ ଧନଜୀବନ ନଷ୍ଟ କରୁଥାଏ। ସେହି ସମୟରେ ବନ ବିଭାଗ ଉକ୍ତ ହାତୀଟିକୁ ଟ୍ରାଙ୍କୁଲାଇଜ୍ କରି ଡେବ୍ରିଗଡ଼ ଆଣିଥିଲା। ତେବେ ଖରସେଲ୍ ଜଙ୍ଗଲରୁ ଆସିଥିବାରୁ ହାତୀଟିର ନାଁ ଖରସେଲ୍ ଦିଆଯାଇଥିଲା। ସେହି ଦିନଠାରୁ ୨୬ ବର୍ଷ ଧରି ସେ ଡେବ୍ରିଗଡ଼ ଅଭୟାରଣ୍ୟରେ ରହି ଆସୁଥିଲା। ୨୦୦୫-୨୦୦୯ ମଧ୍ୟରେ ଯୁବାବସ୍ଥାରେ ଥିବା ବେଳେ ଖରସେଲ୍ ଡେବ୍ରିଗଡ଼ରୁ ପଳାୟନ ପାଇଁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଥିଲା। ତେବେ ଧରାପଡ଼ିବା ବେଳେ ସେ ଆଂଶିକ ଦୃଷ୍ଟିହୀନ ହୋଇଯାଇଥିବା ଡ଼େବ୍ରିଗଡ଼ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ। ସେହି ସମୟରେ ତା’ର ଆଖି ଚିକିତ୍ସା କରାଯାଇଥିଲେ ସୁଦ୍ଧା ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିନଥିଲା। ୨୦୧୮-୧୯ ମସିହାରୁ ଧୀରେଧୀରେ ଡେବ୍ରିଗଡ଼ ଅଭୟାରଣ୍ୟ ଭିତରେ ତା’ର ଗତିବିଧି ଉପରେ ବିଭାଗ କଟକଣା ଲଗାଇଥିଲା ଏବଂ କେବଳ ଗାଧୋଇବା ପାଇଁ ଜଳଭଣ୍ଡାର ପର୍ଯ୍ୟନ୍ତ ଚାଲିବାରେ ତା’ର ଚଳପ୍ରଚଳ ସୀମିତ ରହିଥିଲା। ଖେରସେଲର ମାଂସପେଶୀ, ପାଦ ଯନ୍ତ୍ରଣା, ଧୂଳିଆ ଦୃଷ୍ଟିଶକ୍ତି ଇତ୍ୟାଦି ସମସ୍ୟା ସୃଷ୍ଟି ହୋଇଥିଲା। ଏସବୁ ଭିତରେ କିନ୍ତୁ ୧୯୯୮ର ଖରସେଲ ଓ ଏବେକାର ଖରସେଲ୍ ଭିତରେ ଅନେକ ପରିବର୍ତ୍ତନ ହୋଇଥିଲା। ସେ ପୂରା ସୁଧୁରି ଯାଇଥିଲା।