ଖୁବ ଧୁମଧାମରେ ପାଳିତ ହେଲା ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ, ଉତ୍ସବମୁଖର ଯାଜପୁର ମାଣତିର ଗାଁ
ଓଡିଆ ପରମ୍ପରାରେ ଜନ୍ମାଷ୍ଟମୀ ପର୍ବର ରହିଛି ଖୁବ ସ୍ୱତନ୍ତ୍ରତା । ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ ଜନ୍ମ ପରଦିନ ପାଳନ ହୁଏ ନନ୍ଦୋତ୍ସବ । ଏହି ପରମ୍ପରାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମାଣତିର ଗାଁରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି ଏହି ପର୍ବ । ଯାହାକୁ ଦେଖିବା ଲାଗି ଆଖପାଖ ଅଞ୍ଚଳରୁ ଲାଗିଥିଲା ଲୋକଙ୍କ ଭିଡ ।
ପବିତ୍ର ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ଉତ୍ସବ ମୁଖରିତ ହୋଇଉଠିଥିଲା ଗୋପପୁର । ତା’ ପରଦିନ ପାଳିତ ହୋଇଥିଲା ନନ୍ଦୋତ୍ସବ । ଓଡିଆ ରୀତିନୀତି ଓ ପରମ୍ପରାକୁ ଆଦରି ଦୀର୍ଘ ବର୍ଷ ହେବ ପାଳିତ ହୋଇଆସୁଛି ପବିତ୍ର ଜନ୍ମାଷ୍ଟମୀ ।
ଏହି ସମୟରେ ସମ୍ପୂର୍ଣ୍ଣ ଗ୍ରାମ ପରିବେଶ ହୋଇଉଠେ ଉତ୍ସବମୁଖର । ଏହି ପରମ୍ପରାକୁ ପାଥେୟ କରି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମାଣତିର ଗାଁରେ ବେଶ୍ ଧୁମଧାମରେ ପାଳିତ ହୋଇଛି ଜନ୍ମାଷ୍ଟମୀ । ଗାଁର ମଦନମୋହନଜୀଉ ସାଂସ୍କୃତିକ ପରିଷଦ ପକ୍ଷରୁ ୩ଦିନ ଧରି ପାଳନ ହୁଏ ଏହି ଉତ୍ସବ । ଯାହାକୁ ଦେଖିବା ଲାଗି ଆଖପାଖ ଅଞ୍ଚଳରୁ ବହୁ ଲୋକଙ୍କ ଭିଡ ଜମେ । ଗାଁର ସମସ୍ତ ଲୋକେ ଏକତ୍ରିତ ହୋଇ ପାଳନ କରିଥାନ୍ତି ଏହି ଉତ୍ସବ । ବିଶେଷ କରି କୁନି କୁନି ପିଲା ରାଧାକୃଷ୍ଣ, ଗୋପାଳ ଆଦି ବିଭିନ୍ନ ବେଶରେ ସୁସଜ୍ଜିତ ହୋଇଥାନ୍ତି ।
ଯାହାକି ଉତ୍ସବର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ଏକ ବିରାଟ ପଟୁଆରେ ନନ୍ଦ ରାଜା ନଗର ପରିକ୍ରମା କରିବା ସହ ଲଡୁ ବାଣ୍ଟିଥାନ୍ତି । ଏହି ଅବସରରେ ଗାଁର ଯୁବକମାନଙ୍କ ଲଉଡି ଖେଳ, ଦଧିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥାଏ । ଏଥିସହ ଏଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ମଧ୍ୟ ଅନୁଷ୍ଠିତ ହୋଇଥାଏ । ପୂଜ୍ୟପୂଜା, ନାରାୟଣ ସେବା, ଗୀତିନାଟ୍ୟ, ଜଣାଅଜଣା ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପରିଷଦ ପକ୍ଷରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥାଏ ।