ଆକ୍ସନ ମୋଡ୍ରେ କମିଶନରେଟ୍ ପୋଲିସ; ରାଜଧାନୀରେ ମାଟିରେ ମିଶିଲା ଦେଶୀ ମଦ ଭାଟି
ଚିକିଟି ମଦମୃତ୍ୟୁ ଘଟଣା ପରେ ଆକ୍ସନରେ କମିଶରେଟ୍ ପୋଲିସ । ଭୁବନେଶ୍ବର ସାଲିଆସାହିର ୩ଟି ସ୍ଥାନରେ ବଡ ଧରଣର ରେଡ୍ ।
ଗଞ୍ଜାମ ଚିକିଟି ମଦ ମୃତ୍ୟ ଘଟଣା ପରେ ସଜାଗ କମିଶନରେଟ ପୋଲିସ । ରାଜଧାନୀ ଭୁବନେଶ୍ବରରେ ବେଆଇନ ମଦ କାରବାର ଚାଲିଥିବା ସାଲିଆ ସାହିରେ ହୋଇଛି ବଡ଼ ଧରଣର ଚଢ଼ାଉ । ତିନୋଟି ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣରେ ମଦ ଜବତ କରାଯାଇଛି । କେବଳ ସେତିକି ନୁହେଁ । ମଦ କାରଖାନା ଉପରେ ଚାଲିଛି ବୁଲଡୋଜର ।
ଭୁବନେଶ୍ଵର ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ବରେ ଚଢ଼ାଉ କରିଥିଲା କମିଶନରେଟ ପୋଲିସ । ଚଢ଼ାଉ ବେଳେ ମଦ, ପୋଚ, ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ବ୍ୟାପକ ପରିମାଣରେ ପୋଚ ଓ ଦେଶୀ ମଦ ନଷ୍ଟ କରାଯାଇଛି । ଚଢ଼ାଉ ବେଳେ ଜଣାପଡ଼ିଛି, ଏଠାରେ ମଦ ତିଆରି ବେଳେ କେମିକାଲ ବ୍ୟବହାର ହେଉଥିଲା। ମଦ ତିଆରି କରୁଥିବା କିଛି ଲୋକଙ୍କୁ ଅଟକ ରଖି ଅଧିକ ତନାଘନା କରୁଛି ପୋଲିସ ।
କେବଳ ଭୁବନେଶ୍ବର କାହିଁକି, ଅନ୍ୟ ଆଡ଼େ ମଧ୍ୟ ସଜାଗ ହୋଇଛି ପୋଲିସ । ଶନିବାର ବାଙ୍କୀର କଳାପଥର ଓ ବ୍ରହ୍ମପୁରା ଅଞ୍ଚଳରେ ବଡ଼ ଧରଣର ଚଢ଼ାଉ କରିଛି କଟକ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାର୍ଡ । ଚଢ଼ାଉ ସମୟରେ ବିପୁର ପରିମାଣର ଚୋରା ଦେଶୀ ମଦ ଜବତ କରାଯାଇଛି । ୩ ଜଣ ମଦ ବ୍ୟବସାୟୀଙ୍କୁ ଅଟକ ରଖି ଅଧିକ ତନାଘନା କରୁଛି ପୋଲିସ ।
ଚିକିଟି ମଦ ମୃତ୍ୟ ଘଟଣା ପରେ ଚୋରା ଦେଶୀ ମଦ କାରବାର ଉପରେ ବ୍ରେକ୍ ଲଗାଇବାକୁ ସଜାଗ ହୋଇଛି ପୋଲିସ । ବିଭିନ୍ନ ସ୍ଥାନରେ ଚଢ଼ାଉ ସହ ମଦ ପ୍ରସ୍ତୁତ ହେଉଥିବା କାରଖାନା ଉପରେ ଚାଲିଛି ବୁଲଡୋଜର ।