ଏୟାର ଇଣ୍ଡିଆକୁ ଭାରି ପଡ଼ିଲା ଅଯୋଗ୍ୟ କ୍ରୁ ମେମ୍ବରଙ୍କ ସହ ଉଡ଼ାଣ ଭରିବା, ୯୦ ଲକ୍ଷର ଜରିମାନା ଲଗାଇଲା DGCA

ନୂଆଦିଲ୍ଲୀ: ଅଯୋଗ୍ୟ କ୍ରୁ ମେମ୍ବରଙ୍କୁ ନେଇ ଉଡ଼ାଣ ଭରିବା ଏୟାର ଇଣ୍ଡିଆକୁ ଭାରି ପଡ଼ିଛି। ଏଭଳି କରିଥିବାରୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା DGCA ଏୟାର ଇଣ୍ଡିଆ ଉପରେ ୯୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଏହା ବ୍ୟତୀତ ନିର୍ଦ୍ଦେଶାଳୟ, ଏୟାର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକଙ୍କ ଉପରେ କ୍ରମଶଃ ୬ ଲକ୍ଷ ଟଙ୍କା ଏବଂ ତିନି ଲକ୍ଷ ଟଙ୍କାର ଜରିମାନା ଲଗାଇଛି।
ଡିଜିସିଏର ଏକ ପ୍ରେସ ରିଲିଜ ଅନୁଯାୟୀ, ଏୟାର ଇଣ୍ଡିଆ ଲିମିଟେଡ ଜଣେ ‘ନନ୍ ଟ୍ରେନ୍ର ଲାଇନ୍ କ୍ୟାପ୍ଟେନ’କୁ ନେଇ ଉଡ଼ାଣ ଭରିଥିଲା। ନିର୍ଦ୍ଦେଶାଳୟ ଏହାକୁ ଏକ ସମ୍ବେଦନଶୀଳ ଘଟଣା ବୋଲି କହିବା ସହ ଏହାଦ୍ବାରା ଗୁରୁତର ସୁରକ୍ଷା ପରିସ୍ଥିତି ଉପୁଜିଥାନ୍ତା ବୋଲି କହିଛି। ଏହା ସହ ଡିଜିସିଏ ଉକ୍ତ ପାଇଲଟଙ୍କୁ ଭବିଷ୍ୟତରେ ଆଉ ଏଭଳି ନକରିବାକୁ ଚେତାବନୀ ମଧ୍ୟ ଦେଇଛି।
ସୂଚନାଥାଉକି, ଜୁଲାଇ ୧୦ ତାରିଖରେ ଏୟାରଲାଇନ ଦ୍ବାରା ଜାରି ରିପୋର୍ଟରେ ଘଟଣା ସାମ୍ନାକୁ ଆସିବା ପରେ ନିର୍ଦ୍ଦେଶାଳୟ ଏୟାରଲାଇନର ପରିଚାଳନାର ଯାଞ୍ଚ କରିଥିଲା। ଯାଞ୍ଚ ପରେ ନିର୍ଦ୍ଦେଶାଳୟ କହିଛି ଯେ, ଅନେକ ପଦାଧିକାରୀ ତଥା କର୍ମଚାରୀଙ୍କ ଦ୍ବାରା ନିୟମର ଉଲ୍ଲଘଂନ କରାଯାଇଛି, ଏହାଦ୍ବାରା ଗୁରୁତର ସୁରକ୍ଷା ସ୍ଥିତି ଉତ୍ପନ୍ନ ହୋଇଥାନ୍ତା। ବିମାନର କମାଣ୍ଡର ଏବଂ ଏୟାର ଇଣ୍ଡିଆର କିଛି ଅଧିକାରୀଙ୍କୁ ଜୁଲାଇ ୨୨ରେ କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲା। କିନ୍ତୁ ଏୟାର ଇଣ୍ଡିଆର ଉତ୍ତର ସନ୍ତୋଷଜନକ ନଥିଲା। ଏଥିପାଇଁ ଏୟାରଲାଇନ ଉପରେ ଜରିମାନା ଲଗାଯାଇଛି।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ୨୦୨୪ରେ ଏୟାର ଇଣ୍ଡିଆ ଲିମିଟେଡ ଉପରେ ଡିଜିସିଏ ୮୦ ଲକ୍ଷ ଟଙ୍କାର ଜରିମାନା ଲଗାଇଥିଲା। ଏହି ଜରିମାନା, ଅଧିକ ଦୂରତା ବିଶିଷ୍ଟ ଉଡ଼ାଣ ଭରିବା ପୂର୍ବରୁ କ୍ରୁ ମେମ୍ବରଙ୍କୁ ଆବଶ୍ୟକୀୟ ଆରାମ ନଦେବା କାରଣରୁ ଲଗାଯାଇଥିଲା।