ଭାରତ ଭୁଲି ଯାଇଥିବା କାହାଣୀ: ଅପରେସନ୍ ୱେଷ୍ଟ୍ ଏଣ୍ଡ୍ ଅର୍ଥ, ନାରୀ ଓ ଗୁପ୍ତ କ୍ୟାମେରା
ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ଓ ଉପକରଣ କିଣା ବେଳେ ନେତା ଓ ସରକାରୀ ଅଧିକାରୀମାନେ ଲାଞ୍ଚ ଗ୍ରହଣ କରିବା ଘଟଣା ଦେଶରେ ଅନେକ ଥର ରାଜନୈତିକ ଝଡ଼ ସୃଷ୍ଟି କରିଛି। କିନ୍ତୁ, ଏଥିପାଇଁ ସେମାନେ ଲାଞ୍ଚ ଗ୍ରହଣ କରୁଥିବା ସମୟର ଭିଡିଓ ଉତ୍ତୋଳନ କରି ସର୍ବସାଧାରଣରେ ପ୍ରସାରଣ କରିବା ଅଭିଯାନ ‘ଅପରେସନ୍ ୱେଷ୍ଟ୍ ଏଣ୍ଡ୍’ ଏକଦା ସମଗ୍ର ଦେଶକୁ ଥରହର କରିପକାଇ ଥିଲା।
କେବଳ ସେତିକି ନୁହେଁ, ସେଥିପାଇଁ ତତ୍କାଳୀନ ବିଜେପି ମୁଖ୍ୟ ବଙ୍ଗାରୁ ଲକ୍ଷ୍ମଣ ଓ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିସ୍ଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।
ପ୍ରତିରକ୍ଷା ସାମଗ୍ରୀ ଖରିଦ କରାଯିବା ପ୍ରକ୍ରିୟାରେ କରାଯାଉଥିବା ଦୁର୍ନୀତି ପ୍ରସଙ୍ଗ ସର୍ବସାଧାରଣଙ୍କୁ ଅବଗତ କରାଇବା ଲାଗି ୨୦୦୧ରେ ସମ୍ବାଦ ପତ୍ରିକା/ୱେବ୍ସାଇଟ୍ ‘ତେହେଲ୍କା’ ‘ଅପରେସନ୍ ୱେଷ୍ଟ୍ ଏଣ୍ଡ୍’ ନାମରେ ଷ୍ଟିଙ୍ଗ୍ ଅପରେସନ୍ କରିଥିଲା। ସାଢ଼େ ସାତ ମାସରୁ ଊର୍ଦ୍ଧ୍ବ ସମୟର ଅଭିଯାନ ଚଳାଇ ପତ୍ରିକାର ବିଶେଷ ପ୍ରତିନିଧିମାନେ କେତେଜଣ ଦୁର୍ନୀତିପରାୟଣ ସରକାରୀ ଅଧିକାରୀ ଏବଂ ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ଶାସକ ମେଣ୍ଟ ଏନ୍ଡିଏ ରାଜନେତାଙ୍କ ଲାଞ୍ଚ ଗ୍ରହଣ ଓ ଦୁର୍ନୀତି ସଂପର୍କିତ ଆଲୋଚନାର ଗୁପ୍ତ ଭିଡିଓ ରେକର୍ଡ କରିଥିଲେ।
ୱେଷ୍ଟ୍ ଏଣ୍ଡ୍ ଇଣ୍ଟର୍ନ୍ୟାସ୍ନାଲ୍
ସେତେବେଳେ ଦେଶ ଶାସନ କରୁଥାଏ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ବରେ ବିଜେପି ନେତୃତ୍ବାଧୀନ ଏନ୍ଡିଏ ସରକାର। ସରକାରଙ୍କ ପ୍ରତିରକ୍ଷା ଦୁର୍ନୀତିର ସପ୍ରମାଣ ପର୍ଦ୍ଦାଫାସ୍ କରିବାକୁ ‘ତେହେଲ୍କା’ ପତ୍ରିକା ପକ୍ଷରୁ ଏକ ଯୋଜନା କରାଯାଇ ‘ୱେଷ୍ଟ୍ ଏଣ୍ଡ୍ ଇଣ୍ଟର୍ନ୍ୟାସ୍ନାଲ୍’ ନାମକ ଜାଲ୍ କମ୍ପାନି ଗଠନ କରାଗଲା। ଲଣ୍ଡନସ୍ଥିତ ମୁଖ୍ୟାଳୟ ଥିବା ଏହି କମ୍ପାନି ଅସ୍ତ୍ରଶସ୍ତ୍ର ନିର୍ମାଣ କରେ ବୋଲି ପତ୍ରିକାର ‘ଇନ୍ଭେଷ୍ଟିଗେଟିଭ୍ ଜର୍ଣ୍ଣାଲିଷ୍ଟ୍’ମାନେ ଏହାର ପ୍ରତିନିଧି ସାଜି ଭାରତୀୟ ପ୍ରତିରକ୍ଷା ପ୍ରତିଷ୍ଠାନର କନିଷ୍ଠ ଅଧିକାରୀମାନଙ୍କୁ ଅବଗତ କରାଇ ଷ୍ଟିଙ୍ଗ୍ ଅପରେସନ୍ ଆରମ୍ଭ କରିଥିଲେ।
ତୃଣମୂଳସ୍ତରକୁ ଅଭିଯାନ ଆରମ୍ଭ
ପ୍ରତିରକ୍ଷା ମନ୍ତ୍ରାଳୟରେ ନିଯୁକ୍ତ ବରିଷ୍ଠ ସେକ୍ସନ୍ ଅଫିସର୍ ପି. ଶଶୀ ମେନନ୍ଙ୍କ ପାଖରୁ ପ୍ରଥମେ ଅଭିଯାନ ଆରମ୍ଭ କରାଯାଇଥିଲା। କିଛି ଆର୍ଥିକ ଲାଞ୍ଚ ପାଇ ପି. ଶଶୀ ମେନନ୍ ‘ୱେଷ୍ଟ ଏଣ୍ଡ୍ ଇଣ୍ଟର୍ନ୍ୟାସ୍ନାଲ୍’ର ଟିମ୍ ବୋଲାଉଥିବା ଛଦ୍ମବେଶୀ ସାମ୍ବାଦିକମାନଙ୍କୁ ନୂଆଦିଲ୍ଲୀସ୍ଥିତ ବ୍ରିଗେଡିୟର୍ ଅନୀଲ ସହଗଲ୍ଙ୍କ ବାସଭବନକୁ ନେଇଯାଇଥିଲେ। ସେ ଥିଲେ ଭାରତୀୟ ସେନାର ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଖରିଦ କରିବା ନିମନ୍ତେ ଥିବା ‘ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ଅର୍ଡନାନ୍ସ୍ ଆଣ୍ଡ୍ ସପ୍ଲାଏ’ର (ଡିଜିଓଏସ୍) ଉପ-ନିର୍ଦ୍ଦେଶକ। ସେନା ପାଇଁ ଖରିଦ କରାଯାଉଥିବା ପ୍ରତିରକ୍ଷା ସାମଗ୍ରୀ ବିଷୟରେ ସୂଚନା ଓ ସେନା ସେସବୁ କିଭଳି ଖରିଦ କରୁଛି ଏବଂ ସେମାନେ କିଭଳି ତାଙ୍କ କମ୍ପାନି ସାମଗ୍ରୀ ବିକ୍ରୟ କରିବେ ସେ ଉପାୟ ମେନନ୍ ଓ ସହଗଲ୍ ତାଙ୍କୁ ବତାଇ ଦେଲେ।
ପଞ୍ଚତାରକା ହୋଟେଲ୍ରେ ଆପ୍ୟାୟନ
ଏଥିପାଇଁ ବ୍ରିଗେଡିୟର୍ ସହଗଲ୍ ପଞ୍ଚତାରକା ହୋଟେଲ୍ରେ ଆପ୍ୟାୟିତ ହେବେ ବୋଲି ‘ତେହେଲ୍କା ଟିମ୍’ ନିକଟରେ ଦାବି କରିଥିଲେ। ଏହାଛଡ଼ା, ଭାରତୀୟ ବାୟୁସେନାର ସାମଗ୍ରୀ ଖରିଦ ବିଭାଗରେ ନିଯୁକ୍ତ ସେନା ଅଧିକାରୀ ଲେଫ୍ଟନାଣ୍ଟ୍ କର୍ଣ୍ଣେଲ୍ ଶର୍ମାଙ୍କୁ ମଧ୍ୟ ସେ ସାଥିରେ ଆଣିଥିଲେ। ହୋଟେଲ୍ରେ ବୈଠକ ସରିବା ପରେ ବ୍ରିଗେଡିୟର୍ ସହଗଲ୍ ସେନାବାହିନୀର ସାମଗ୍ରୀ ଖରିଦ ସମ୍ବନ୍ଧୀୟ କାଗଜପତ୍ର ପ୍ରତିବଦଳରେ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ଅର୍ଥ ନେବା ପରେ ବ୍ରିଗେଡିୟର୍ ‘ହ୍ୟାଣ୍ଡ୍-ହେଲ୍ଡ୍ ଥର୍ମାଲ୍ କ୍ୟାମେରା’ ବିକ୍ରୟ ପାଇଁ କେମିତି ଟେଣ୍ଡର୍ ପକାଇବାକୁ ହୁଏ ସେ କଥା ବତାଇ ଦେଇଥିଲେ। ଆଳାପଆଲୋଚନା ବେଳେ ବ୍ରିଗେଡିୟର୍ ସହଗଲ୍ ଏହା ମଧ୍ୟ କହିଥିଲେ ଯେ, କମ୍ପାନିକୁ ସମସ୍ତଙ୍କୁ କିଛି କିଛି ଅର୍ଥ ଦେବାକୁ ପଡ଼ିବ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିସ୍ଙ୍କୁ ବି କିଛି କମିସନ୍ ଅର୍ଥ ଦିଆଯିବ। ମେନନ୍ ମଧ୍ୟ ସେମାନଙ୍କୁ ଅଗ୍ନେୟାସ୍ତ୍ର, ଟ୍ୟୁବ୍, ପୋଷାକପତ୍ର ଓ ହେଲିକପ୍ଟର୍ ଆଦି ଖରିଦ ସମ୍ବନ୍ଧୀୟ ଗୋପନୀୟ କାଗଜପତ୍ର ଯୋଗାଇ ଦେଲେ।
ପ୍ରତିରକ୍ଷା ମଧ୍ୟସ୍ଥିଙ୍କ ପ୍ରତିଶ୍ରୁତି
୨୦୦୦ ନଭେମ୍ବର ୨୬ ଦିନ ସେମାନେ ‘ତେହେଲ୍କା ଟିମ୍’କୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଟ୍ରଷ୍ଟି ଆର୍. କେ. ଗୁପ୍ତାଙ୍କ ପୁଅ ଦୀପକ ଗୁପ୍ତାଙ୍କ ସହିତ ପରିଚୟ କରାଇଥିଲେ। ସରକାରରେ ତାଙ୍କର ପ୍ରଭାବ ଅଛି ଏବଂ ଠିକା ହାସଲ କରିବାରେ ଇଂଲଣ୍ଡ୍ କମ୍ପାନିକୁ ସାହାଯ୍ୟ କରିବେ ବୋଲି ଦୀପକ ପ୍ରତିଶ୍ରୁତି ଦେଲେ। ଏଥର ‘ତେହେଲ୍କା ଟିମ୍’ ‘ଆର୍ଏସ୍ଏସ୍’ ଟ୍ରଷ୍ଟି ତଥା ଖ୍ୟାତନାମା ପ୍ରତିରକ୍ଷା ମଧ୍ୟସ୍ଥି ଆର୍. କେ. ଗୁପ୍ତାଙ୍କୁ ଭେଟିଲେ। ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଓ ଲାଲ୍କୃଷ୍ଣ ଆଡ୍ଭାନୀଙ୍କ ସହିତ ତାଙ୍କର ଘନିଷ୍ଠ ସମ୍ପର୍କ ଥିବା ଦାବି କରି କାମ ହୋଇଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ସେ ନିଜେ ଲାଞ୍ଚ ଅର୍ଥ ନେଇ ପ୍ରତିରକ୍ଷା ସଚିବ, ଯୁଗ୍ମ ସଚିବ, ଅଣ୍ଡର୍ ସେକ୍ରେଟେରି, ବିଜେପି କୋଷାଧ୍ୟକ୍ଷ ବେଦପ୍ରକାଶ ଗୋୟଲ୍ ଓ ଅଧ୍ୟକ୍ଷ ବଙ୍ଗାରୁ ଲକ୍ଷ୍ମଣଙ୍କୁ ଦେବେ ବୋଲି କହିଲେ। ସତକୁ ସତ ନେତା ଓ ସରକାରୀ ଅଧିକାରୀଙ୍କୁ ମିଶାଇ ପ୍ରାୟ ୧୬ଜଣ ଲାଞ୍ଚ ଗ୍ରହଣ କଲେ। ସେ ସମୟରେ ପ୍ରତିରକ୍ଷା ପରାମର୍ଶଦାତା ବ୍ରଜେଶ ମିଶ୍ରଙ୍କ ଲାଞ୍ଚ ପରିମାଣ କୋଟିଏ ଟଙ୍କା ବୋଲି ଦର୍ଶାଇ ଗୁପ୍ତା ତାଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିବାକୁ ଚାହିଁ ନ ଥିଲେ।
ବଙ୍ଗାରୁ ଲକ୍ଷ୍ମଣ ନେଲେ ଲକ୍ଷେ ଟଙ୍କା
୨୦୦୦ ମସିହା ଡିସେମ୍ବର ୨୩ରେ ଅସ୍ତ୍ର ନିର୍ମାତା କମ୍ପାନିର ପ୍ରତିନିଧି ସାଜିଥିବା ସାମ୍ବାଦିକମାନେ ବିଜେପି ଅଧ୍ୟକ୍ଷ ବଙ୍ଗାରୁ ଲକ୍ଷ୍ମଣଙ୍କ ସହିତ ପ୍ରଥମ ବୈଠକ କଲେ। ତା’ପରେ ସେମାନେ ସେ ସପ୍ତାହ ସାରା ଅନେକ ଥର ଲକ୍ଷ୍ମଣଙ୍କୁ ଭେଟିଲେ। ‘ହ୍ୟାଣ୍ଡ୍-ହେଲ୍ଡ୍ ଥର୍ମାଲ୍ କ୍ୟାମେରା’ ଯୋଗାଣ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରାଳୟକୁ ସୁପାରିସ କରିବା ବାବଦକୁ ସେମାନେ ଅର୍ଥ ଦେବେ ବୋଲି ବଙ୍ଗାରୁଙ୍କୁ ପ୍ରତିଶ୍ରୁତି େଦଲେ। ଏ ବାବଦକୁ ୨୦୦୧ ଜାନୁଆରି ୧ ତାରିଖ ଦିନ ବିଜେପି କାର୍ଯ୍ୟାଳୟରେ ଲକ୍ଷ୍ମଣ ଲକ୍ଷେ ଟଙ୍କା ଲାଞ୍ଚ ନେଲେ। ୨୦୦୧ ଜାନୁଆରି ୭ ତାରିଖ ଦିନ ଜାଲି ପ୍ରତିନିଧି ଓ ଲକ୍ଷ୍ମଣଙ୍କ ମଧ୍ୟରେ ଅଷ୍ଟମ ତଥା ଚୂଡ଼ାନ୍ତ ବୈଠକ ହେଲା। ଏଥିସହ ତତ୍କାଳୀନ ରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିସ୍ଙ୍କୁ ପ୍ରଭାବିତ କରିବା ଲାଗି ସମତା ପାର୍ଟି ଅଧ୍ୟକ୍ଷା ଜୟା ଜେଟ୍ଲୀଙ୍କ କଥା ଅନୁସାରେ ଦଳୀୟ କାର୍ଯ୍ୟକର୍ତ୍ତା ଗୋପାଳ ପଚେରୱାଲ୍ଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ଦିଆଯାଇଥିଲା।
ରିଲିଜ୍ ହେଲା ଗୁପ୍ତ ଭିଡିଓ
‘ତେହେଲ୍କା ଷ୍ଟିଙ୍ଗ୍ ଅପରେସନ୍’ ସମୟରେ ଉତ୍ତୋଳିତ ଗୁପ୍ତ ଭିଡିଓ ସବୁର ‘ସିଡି’ କରାଯାଇ ୨୦୦୧ ମାର୍ଚ ୧୩ରେ ରିଲିଜ୍ କରାଯିବାରୁ ଦେଶରେ ପ୍ରବାହିତ ହେଲା ରାଜନୈତିକ ଝଡ଼। ଜଣାପଡ଼ିଲା ଜାତୀୟ ନିରାପତ୍ତା କଥା ବିଚାର କରି ନୁହେଁ, ରାଜନେତା ଓ ଅମଲାଙ୍କ ଲୋଭ ଦ୍ବାରା ପ୍ରତିରକ୍ଷା ସାମଗ୍ରୀ କିଣା ବ୍ୟାପାର ଚାଲିଛି। ପରିସ୍ଥିତି ଏମିତି ହେଲା ଯେ, ବଙ୍ଗାରୁ ଲକ୍ଷ୍ମଣ ବିଜେପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ। ନିରୁପାୟ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିସ୍ ଇସ୍ତଫା ଦେବାକୁ ବାଧ୍ୟ ହେଲେ। ସମତା ପାର୍ଟି ଅଧ୍ୟକ୍ଷା ପଦରୁ ଜୟା ଜେଟ୍ଲୀ ବି ଇସ୍ତଫା ଦେଲେ। ମମତା ବାନାର୍ଜୀ ମଧ୍ୟ ମେଣ୍ଟ ସରକାରରୁ ଓହରିଗଲେ।
ଦେହଜୀବୀ ଯୋଗାଣ
କେବଳ ଆର୍ଥିକ ଲାଞ୍ଚ ନୁହେଁ, ସେନା ଅଧିକାରୀଙ୍କୁ ଦେହଜୀବୀ ମଧ୍ୟ ଯୋଗାଇ ଦିଆଯାଇଥିଲା ବୋଲି ସୂଚନା ରହିଛି। କିନ୍ତୁ, ଘଟଣା ଜଣାପଡ଼ିବା ପରେ ଭୀଷଣ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲା। ବିଜେପି ଓ ସମତା ପାର୍ଟି ‘ଇନ୍ଭେଷ୍ଟିଗେଟିଭ୍ ଜର୍ଣ୍ଣାଲିଜିମ୍’ର ନୈତିକତା ଉପରେ ସନ୍ଦେହ ବ୍ୟକ୍ତ କରିଥିଲେ। କିନ୍ତୁ, ଏ ଅଭିଯାନରେ ସମ୍ପୃକ୍ତ ଥିବା ଅନ୍ୟତମ ସାମ୍ବାଦିକ ଅନିରୁଦ୍ଧ ବହଲ୍ କହିଥିଲେ, ସେନା କର୍ମଚାରୀମାନେ ଦେହଜୀବୀ ଦାବି କରିବାରୁ ଆମେ ନାଚାର ହୋଇଗଲୁ। ପ୍ରତିବାଦ କରି ବିଫଳ ହେଲୁ। ସରକାରୀ ଅଧିକାରୀମାନେ କେଉଁ ସ୍ତରକୁ ଯାଇ ପାରନ୍ତି ତାହା ଅବଗତ କରାଇବାକୁ ଆମେ ଦେହଜୀବୀ ଯୋଗାଇବାକୁ ନିଷ୍ପତ୍ତି ନେଇଥିଲୁ।
ସରକାରୀ କାର୍ଯ୍ୟାନୁଷ୍ଠାନ
ଏହି ଘଟଣା କେନ୍ଦ୍ର ସରକାରଙ୍କ ଭାବମୂର୍ତ୍ତିକୁ କ୍ଷତାକ୍ତ କରିଥିଲା। ପ୍ରତିହିଂସା ପରାୟଣ ହୋଇ ସରକାର ‘ତେହେଲ୍କା’ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ ଓ ଗୁଇନ୍ଦା ବ୍ୟୁରୋ ଲଗାଇଲେ କିନ୍ତୁ, କିଛି ପାଇଲେ ନାହିଁ। ‘ୱେବ୍ସାଇଟ୍’ରେ ଅର୍ଥ ବିନିଯୋଗ କରିଥିବା ବିନିଯୋଗକାରୀଙ୍କର ମଧ୍ୟ ତଦନ୍ତ କରାଗଲା। କୌଣସି ଅଭିଯୋଗ ନ ଥାଇ ‘ତେହେଲ୍କା’ର ପୃଷ୍ଠପୋଷକ ଶଙ୍କର ଶର୍ମାଙ୍କୁ ଜେଲ୍ରେ କଏଦ କରାଗଲା। ଷ୍ଟିଙ୍ଗ୍ ଅପରେସନ୍ ଚଳାଇଥିବା ସାମ୍ବାଦିକମାନଙ୍କୁ ମଧ୍ୟ ଜେଲ୍ରେ ପୂରାଗଲା। ୨୦୧୨ ଏପ୍ରିଲ୍ ୨୭ ତାରିଖରେ ସିବିଆଇର ସ୍ବତନ୍ତ୍ର ଅଦାଲତ ପୂର୍ବତନ ବିଜେପି ଅଧ୍ୟକ୍ଷ ବଙ୍ଗାରୁ ଲକ୍ଷ୍ମଣ ଓ ଅନ୍ୟ ୬ ଜଣଙ୍କୁ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କଲେ। ତହିଁ ଆରଦିନ ଅଦାଲତ ତାଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ ଓ ଏକ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ କଲେ।