ସିବିଆଇ ଷ୍ଟାଟସ ରିପୋର୍ଟ: କାହିଁକି ଏମିତି କହିଲେ ଟପ୍ କୋର୍ଟ?
ନୂଆଦିଲ୍ଲୀ:ସୁପ୍ରିମକୋର୍ଟରେ ପୁଣି କୋଲକାତା ଆରଜି କର ହସ୍ପିଟାଲ ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ହୋଇଛି । ଏହି ମାମଲାରେ ମଙ୍ଗଳବାର ଚତୁର୍ଥ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଘଟଣାର ତଦନ୍ତ କରୁଥିବା ସିବିଆଇ ଦାଖଲ କରିଛି ନୂଆ ଷ୍ଟାଟସ ରିପୋର୍ଟ । ସିବିଆଇ ଷ୍ଟାଟସ ରିପୋର୍ଟରେ କଣ ରହିଛି, ତାହା ଖୁଲାସା କରିବାକୁ ମନା କରିଦେଇଛନ୍ତି ଟପ୍ କୋର୍ଟ ।
କିନ୍ତୁ କୋର୍ଟ କହିଛନ୍ତି ଯେ, ସିବିଆଇ ଷ୍ଟାଟସ ରିପୋର୍ଟର ତଥ୍ୟ ଚିନ୍ତାଜନକ । ରିପୋର୍ଟ ସଂପର୍କରେ ଖୁଲାସା କଲେ ଯାଂଚ ପ୍ରଭାବିତ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ନିଦରେ ଶୋଇନାହିଁ ସିବିଆଇ
ଆରଜି କର ହସପିଟାଲ କାଣ୍ଡର ଚତୁର୍ଥ ଶୁଣାଣି ବେଳେ ସୁପ୍ରିମକୋର୍ଟ ବିଭିନ୍ନ ପକ୍ଷର ଦଲିଲ ଶୁଣିଛନ୍ତି । ସିବିଆଇ ଯାଂଚ ନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ଯାଂଚ ଏଜେନସୀ ନିଦରେ ଶୋଇନାହିଁ । ସତ ଖୋଜିବାକୁ ଯାଂଚ ଏଜେନସୀକୁ ସମୟ ଦିଆଯିବା ଦରକାର । ଚାର୍ଜସିଟ୍ ଦାଖଲ ପାଇଁ ଧାର୍ଯ୍ୟ ୯୦ ଦିନର ଟାଇନଲାଇନ ପାଇଁ ଆହୁରି କିଛି ଦିନ ରହିଛି । ତେଣୁ ଯାଂଚ ପାଇଁ ସମୟସୀମା ଧାର୍ଯ୍ୟ କରିବା ଠିକ୍ ହେବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ମହିଳା ଡାକ୍ତରଙ୍କ ଡ୍ୟୁଟି ଆୱାର ଓ ସୁରକ୍ଷା ପ୍ରସଙ୍ଗରେ କ’ଣ କହିଲେ କୋର୍ଟ ?
ମହିଳା ଡାକ୍ତରମାନଙ୍କ ଡ୍ୟୁଟି ଆୱାର ଓ ସୁରକ୍ଷା ପ୍ରସଙ୍ଗ ମଧ୍ୟ ଶୁଣାଣି ବେଳେ ଉଠିଛି । ଏ ବାବଦରେ ପଶ୍ଚିମବଙ୍ଗ ସରକାରଙ୍କ ବିଜ୍ଞପ୍ତି ନେଇ ଟିପ୍ପଣୀ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ମହିଳା ଡାକ୍ତରମାନଙ୍କ ଡ୍ୟୁଟି ଆୱାର ପରିବର୍ତତେ ସେମାନଙ୍କ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ । ମହିଳା ଡାକ୍ତରମାନେ ରାତିରେ ଡ୍ୟୁଟି କରିପାରିବେ ନାହିଁ ବୋଲି କେମିତି କହିପାରିବା ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସିଜେଆଇ ଡି.ୱାଇ ଚନ୍ଦ୍ରଚୂଡ । ମହିଳା ଡାକ୍ତରମାନେ କୌଣସି ଆଶ୍ୱସ୍ତି ଚାହାନ୍ତି ନାହିଁ । ସେମାନେ ସବୁ ସିଫ୍ଟରେ କାମ କରିବା ପାଇଁ ପ୍ରସ୍ତୁତ । ଏ ନେଇ ନୋଟିଫିକେସନରେ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୁରକ୍ଷା ନାଁରେ ମହିଳାଙ୍କ ସ୍ୱତନ୍ତ୍ରତା ଉପରେ ଅଙ୍କୁଶ ଲଗାଯାଇପାରିବ ନାହିଁ ବୋଲି ସିଜେଆଇ କହିଛନ୍ତି ।